ନୂଆଦିଲ୍ଲୀ: ଦୀର୍ଘ ୫୦୦ ବର୍ଷ ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର କରିଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ ଜମିକୁ ନେଇ ଆବଶ୍ୟକ ପ୍ରମାଣ ମୁସଲମାନ୍ ପକ୍ଷ ଦାଖଲ କରିପାରିନଥିଲେ। ଏହାପରେ ୨.୭୭ ଏକର ବିବାଦୀୟ ଜମିକୁ ରାମ ଲାଲାଙ୍କ ପାଖକୁ ଯାଇଛି। ସେହିଭଳି ସୁନ୍ନି ସେଣ୍ଟ୍ରାଲ୍ ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ବିବାଦୀୟ ମାମଲାର ବିଚାର କେଉଁ ଆଧାରରେ କଲେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ମାମଲାର ବିଚାର କରିବା ବେଳେ ସୁପ୍ରିମକୋର୍ଟ ସମ୍ୱିଧାନରେ ଥିବା ଧାରା ୧୪୨କୁ ବ୍ୟବହାର କରିଛନ୍ତି। ବିଚାର ବେଳେ ନ୍ୟାୟ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଏହି ସ୍ୱତନ୍ତ୍ର ଆଇନର ଅଧିକାର ଦେଇଛି ସମ୍ୱିଧାନ।
ରାୟ ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ, ‘ମୁସଲମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର କରିବାକୁ ଯାଇ ଏବେ ଏହି ନିଷ୍ପତ୍ତି ନିଆଯାଇଛି। ୪୫୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ମସଜିଦରୁ ଭୁଲ୍ ଭାବରେ ମୁସଲମାନଙ୍କ ବଞ୍ଚିତ କରାଯାଇଛି। ତେଣୁ ତାଙ୍କୁ ବିକଳ୍ପ ଜମି ଦିଆନଗଲେ କେବେ ନ୍ୟାୟ ମିଳିପାରିବ ନାହିଁ’।
ସେହିଭଳି ଏହି ମାମଲାର ବିଚାର କରିବା ବେଳେ ଆଉ ଏକ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଧାରା ୧୪୨କୁ ଦ୍ୱିତୀୟ ଥର ବ୍ୟବହାର କରିଥିଲେ। ନିର୍ମୋହି ଆଖଡ଼ାକୁ ମନ୍ଦିର ଟ୍ରଷ୍ଟରେ ସାମିଲ୍ କରିବାକୁ ସୁପ୍ରିମକୋର୍ଟ ଏହି ଧାରାରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ନିର୍ମୋହି ଆଖଡ଼ା ନିଜକୁ ସେବାୟତ ବୋଲି ଦାବି କରି ଯେଉଁ ଆବେଦନ କରିଥିଲା ତାହା ଖାରଜ କରିଥିଲେ ୫ ଜଣିଆ ଖଣ୍ଡପୀଠ।
ଏହା ପୂର୍ବରୁ ଉତ୍ତର ପ୍ରଦେଶର ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଛାଡ଼ପତ୍ର ମାମଲା ବେଳେ ସୁପ୍ରିମକୋର୍ଟ ଏହି ଧାରା ୧୪୨କୁ ପ୍ରୟୋଗ କରିଥିଲେ। ବିବାହର ୨୨ ବର୍ଷ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ହେଲେ ସ୍ତ୍ରୀ ଛାଡ଼ପତ୍ର ଦେବାକୁ ରାଜି ନଥିଲା। ପରେ ସ୍ୱତନ୍ତ୍ର ଅଧିକାର ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟ ଦୁଇ ଜଣଙ୍କ ମଧ୍ୟରେ ଛାଡ଼ପତ୍ର ଘୋଷଣା କରିଥିଲେ। ସେହିଭଳି ଲୋକପାଳ ନିଯୁକ୍ତି ରାଜ୍ୟ ସରକାରଙ୍କର ଅଧିକାର। ହେଲେ ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟ ଜଷ୍ଟିସ ବିରେନ୍ଦ୍ର ସିଂହଙ୍କୁ ୨୦୧୫ରେ ଉତ୍ତର ପ୍ରଦେଶର ଲୋକପାଳ ଭାବେ ନିଯୁକ୍ତି ଦେଇଥିଲେ।
from Odisha Reporter https://ift.tt/2X0lwaZ
No comments:
Post a Comment