ଆକର୍ଷଣୀୟ ଜଳବିଭବ: ମନ୍ଦିରା ଡ୍ୟାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ଆକର୍ଷଣୀୟ ଜଳବିଭବ: ମନ୍ଦିରା ଡ୍ୟାମ୍‌

  • ବିବିଧ ବିଶ୍ୱ

ଡ଼ିଶାରେ ରହିଛି ଅନେକ ଛୋଟ ବଡ଼ ନଦୀବନ୍ଧ। ସାଧାରଣତଃ ଡ୍ୟାମ୍‌ ବା ନଦୀବନ୍ଧ କହିଲେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ ଆଦି ବୃହତ୍‌ ନଦୀବନ୍ଧକୁ ବୁଝାଯାଇଥାଏ। କିନ୍ତୁ ଅନେକ ସ୍ଥାନରେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ନଦୀବନ୍ଧ ବା ଡ୍ୟାମ୍‌ ମଧ୍ୟ ନିର୍ମାଣ ହୋଇଛି। ଡ୍ୟାମ୍‌ ନିର୍ମାଣର ଲକ୍ଷ୍ୟ ମଧ୍ୟ ବିଭିନ୍ନ ପ୍ରକାର। ଯେମିତି ବିଦ୍ୟୁତ୍ ଉତ୍ପାଦନ, ଜଳ ସଂରକ୍ଷଣ, ଜଳସେଚନ ତଥା ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା। ତେବେ ଅଳ୍ପ କେତୋଟି ବୃହତ୍‌ ତଥା ମଧ୍ୟମ ନଦୀବନ୍ଧକୁ ଛାଡ଼ି ଦେଲେ ଅନ୍ୟ କ୍ଷୁଦ୍ର ନଦୀବନ୍ଧଗୁଡ଼ିକ ଯଦିଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ନିର୍ମାଣ ହୋଇ ନଥାଏ, ତେବେ ଜଳ ସଂରକ୍ଷଣ ଓ ଜଳସେଚନର ଏ ନଦୀବନ୍ଧଗୁଡ଼ିକ ବେଶ୍‌ ସହାୟକ ହୋଇଥାଆନ୍ତି। ତେବେ କୃଷି ପାଇଁ ଜଳସେଚନର ଅଧିକା ଶିଳ୍ପ ପାଇଁ ମଧ୍ୟ ଜଳ ସଂରକ୍ଷଣ ତଥା ଜଳଯୋଗାଣ ପାଇଁ ନଦୀବନ୍ଧ ତଥା ଡ୍ୟାମ୍‌ଗୁଡ଼ିକ ନିର୍ମାଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଡ୍ୟାମ୍‌ ଗୁଡ଼ିକ ମଧ୍ୟରୁ ମନ୍ଦିରା ଡ୍ୟାମ୍‌, ସରବ୍‌ଗଡ଼ ଡ୍ୟାମ୍‌ ଓ ପିତା ମହଲ ଡ୍ୟାମ୍‌ ଅନ୍ୟତମ। ତତ୍‌ ସହ ଅନେକ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଡ୍ୟାମ୍‌ ମଧ୍ୟ ରହିଛି।

image credit- internet

ପାହାଡ଼ ଅଞ୍ଚଳରୁ ନିର୍ଗତ ବିଭିନ୍ ଛୋଟ ନଦୀ, ଉପନଦୀ, ଝରଣାଗୁଡ଼ିକ ବନ୍ଧାଯାଇ ସେଥିରେ ଚେକ୍‌ ପୋଷ୍ଟ ନିର୍ମାଣ କରି ଜଳ ସଂରକ୍ଷଣ କରାଯାଇଥାଏ। ଏହା ଫଳରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର କୃଷି ଜଳସେଚନ ହେବା ସହ ନିକଟବର୍ତ୍ତୀ ଶିଳ୍ପ ସଂସ୍ଥାମାନେ ମଧ୍ୟ ଆବଶ୍ୟକୀୟ ମୁତାବକ ଜଳ ଚାହିଦା ମେଣ୍ଟାଇଥାଆନ୍ତି। ଏହି ଆବଶ୍ୟକତାକୁ ଦେଖି ନିର୍ମାଣ ହୋଇଛି ମନ୍ଦିରା ଡ୍ୟାମ୍‌।

image credit- internet

ପ୍ରାକୃତିମ ମନୋରମ ପରିବେଶ ମଧ୍ୟରେ ନିର୍ମିତ ଏହି ଜଳାଶୟଟି ଦେଖିବାକୁ ବେଶ୍‌ ଆକର୍ଷଣୀୟ। ରାଉରକେଲାଠାରୁ ଅଳ୍ପ ଦୂର କାଂଶବାହାଲ ନିକଟରେ ଅବସ୍ଥିତ ମନ୍ଦିରା ଡ୍ୟାମ୍‌। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଏହା ଏକ ନିଜସ୍ୱ ପ୍ରକଳ୍ପ। ଷ୍ଟିଲ୍‌ ପ୍ଲାଣ୍ଟର ଜଳର ଚାହିଦା ମେଣ୍ଟାଇବା ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ସୁବିଧାରେ ଜଳଯୋଗାଣ ପାଇଁ ଏହା ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଶଙ୍ଖନଦୀ ଉପରେ ନିର୍ମିତ ହୋଇଛି। ଏହାର ନିର୍ମାଣ କାଳ ୧୯୫୭ରୁ ୧୯୫୯ ମସିହା ମଧ୍ୟରେ ହୋଇଥିବା ଜଣାଯାଏ। ହାରୀକୁଦ ପ୍ରୋଜେକ୍ଟ ଅଥୋରିଟି ଏହାର ନିର୍ମାଣ ଦାୟିତ୍ୱ ତୁଲାଇଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମିତ ଏହି ପ୍ରକଳ୍ପ ଉଚ୍ଚତା ୩୫.୩୮ ମିଟର ହୋଇଥିବା ବେଳେ ଏହାର ଦୈର୍ଘ୍ୟ ୪୭୬.୭୨ ମିଟର। ଶଙ୍ଖ ନଦୀ ଉପରେ ନିର୍ମିତ ଏହି ଡ୍ୟାମ୍‌ଟି ସୁନ୍ଦରଗଡ଼ ଜିଲ୍ଲାର ଏକ ବିରଳ ମନୋରମ ବିଭବ କହିଲେ ଅତ୍ୟୁକ୍ତି ହେବ ନାହିଁ।

image credit- internet

ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଏକ ଉନ୍ନତ ପିକ୍‌ନିକ୍‌ ସ୍ପଟ୍‌ ରୂପେ ମାନ୍ୟତା ପାଇଛି। ଏଠାକୁ ନିୟମିତ ଦୂରଦୂରାନ୍ତରରୁ ବହୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ ଆସିଥା’ନ୍ତି। ରାଉରକେଲା ଇସ୍ପାତ କାରଖାନା ଜଳସଂପଦ ବିଭାଗ ଅଧୀନରେ ପରିଚାଳିତ ଅତିଥିଭବନ ଏଠାରେ ନିର୍ମାଣ କରାଯାଇଛି। ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅତି ସୁନ୍ଦର ପାର୍କ ମଧ୍ୟ ରହିଛି। ମନ୍ଦିରା ଡ୍ୟାମ୍‌ର ନୀଳ ଜଳରାଶି ପର୍ଯ୍ୟଟକଙ୍କ ମନକୁ ମୋହି ନେଇଥାଏ। ଏଠାକୁ ଥରେ ପ୍ରବେଶ କଲେ ଆଉ ଫେରି ଆସିବାକୁ ମନେ ହୁଏ ନାହିଁ। ଏହା ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳ ପାଇଁ ଶ୍ରେଷ୍ଠ ସୁପରିଚିତ ତଥା ସୌନ୍ଦର୍ଯ୍ୟମୟୀ ପିକ୍‌ନିକ୍‌ ସ୍ପଟ୍‌ ଭାବରେ ଜନସାଧାରଣଙ୍କ ମନରେ ସ୍ଥାନ ପାଇସାରିଛି। ଫଟୋଗ୍ରାଫର୍‌ମାନେ ତାଙ୍କ ଲେନସ୍‌ରେ ସୁନ୍ଦର ଦୃଶ୍ୟରାଜିକୁ ଉତ୍ତୋଳନ କରିବା ପାଇଁ ଅନେକ ଅବସର ଏଠାରେ ଖୁନ୍ଦି ହୋଇରହିଛି।

image credit- internet

କେମିତି ଯିବେ ମନ୍ଦିରା ଡ୍ୟାମ୍‌

ସୁନ୍ଦରଗଡ଼ରୁ ରାଉରକେଲା ଗଲାବେଳେ ବା ରାଉରକେଲାରୁ ସୁନ୍ଦରଗଡ଼ ଆସିଲାବେଳେ ୧୦ ନମ୍ୱର ଜାତୀୟ ରାଜପଥର କାଂଶବାହଲ ନିକଟବର୍ତ୍ତୀ ଏକ ସ୍ଥାନ ପଡ଼େ ଲାଇଙ୍ଗ। ଏହି ଲାଇଙ୍ଗ ଛକଠାରୁ ଭିତରକୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ମନ୍ଦିରା ଡ୍ୟାମ୍‌। ତେବେ ଲାଇଙ୍ଗ ଛକ ରାଉରକେଲାଠାରୁ ୩୫ କିଲୋମିଟର। ବେଦବ୍ୟାସ ଛକଠାରୁ ୧୯ କିଲୋମିଟର ଦୂରରେ ଅବସ୍ଥିତ। ରାଜଗାଙ୍ଗପୁର ରାଣିବନ୍ଧ ଛକଠାରୁ ମାତ୍ର ୬ କିଲୋମିଟର ରାସ୍ତା ଅଟେ। ଲାଇଙ୍ଗ ଛକକୁ ଯିବା ପାଇଁ ସୁନ୍ଦରଗଡ଼ ଓ ରାଉରକେଲାଠାରୁ ସବୁବେଳେ ବସ୍‌ ସେବା ଅଛି। ତେବେ ଲାଇଙ୍ଗ ଛକଠାରୁ ବ୍ୟକ୍ତିଗତ ସୁବିଧାରେ ଯିବାକୁ ପଡ଼ିବ। ଅଟୋ, କାର୍‌, ଜିପ୍‌ ନିଜ ସୁବିଧାରେ ଭଡ଼ା କରି ମନ୍ଦିରା ଡ୍ୟାମ୍‌ ଯାଇ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଥରେ ଏଠାକୁ ଗଲେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ। ଆଉ ଫେରି ଆସିବାକୁ ମନ ହୁଏ ନାହିଁ। ଦିନରେ ସୂର୍ଯ୍ୟକିରଣ ମଧ୍ୟ ଏଠାରେ ତାହାର ତେଜ ମଳିନ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସାହାଯ୍ୟ କରିଥାଏ।

ତେବେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଉଭୟ ଜଳ ପ୍ରକଳ୍ପ ଓ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମନ୍ଦିରା ଡ୍ୟାମ୍‌ ପର୍ଯ୍ୟଟକ ଓ ଭାବୁକମାନଙ୍କ ହୃଦୟରେ ସବୁଦିନ ପାଇଁ ସତେଜ ହୋଇ ରହିବ।

(ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)



from Odisha Reporter https://ift.tt/2NzX9g3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages