ନୂଆଦିଲ୍ଲୀ: ବିଜେପିରୁ ବିଦା ହୋଇପାରନ୍ତି ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର। ଏ ନେଇ ବିଜେପିର କେନ୍ଦ୍ରୀୟ ନେତା ବିଚାର କରୁଥିବା ସୂଚନା ରହିଛି। ଗତକାଲି ସଂସଦରେ ପ୍ରଜ୍ଞା ଠାକୁର ନାଥୁରାମ୍ ଗଡ୍ସେକୁ ଦେଶ ଭକ୍ତ କହିଥିଲେ। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଆଜି ପ୍ରଜ୍ଞା ଠାକୁରଙ୍କୁ ସଂସଦୀୟ କମିଟିରୁ ହଟାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର କମିଟିରେ ଥିଲେ ପ୍ରଜ୍ଞା ଠାକୁର। ଏସ୍ପିଜି ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏକ ପ୍ରସଙ୍ଗରେ ଜବାବ ଦେଇ ନାଥୁରାମଙ୍କୁ ଦେଶଭକ୍ତ ବୋଲି ପ୍ରଜ୍ଞା ଠାକୁର କହିଥିଲେ। ଯାହାକୁ ନେଇ ଗୃହରେ ତମ୍ୱି ତୋଫାନ କରିଥିଲା କଂଗ୍ରେସ।
ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡର ସାଂସଦ ରାହୁଲ ଗାନ୍ଧି ପ୍ରଜ୍ଞାଙ୍କ ଉପରେ କିଛି ପ୍ରତିକ୍ରିୟା ଦେଇନଥିଲେ। ହେଲେ ବିଜେପି ଓ ଆରଏସଏସ ଉପରେ ଏହି ପ୍ରସଙ୍ଗରେ ବର୍ଷିଥିଲେ। ସେ କହିଥିଲେ ପ୍ରଜ୍ଞା ଠାକୁର ଯାହା କହିଛନ୍ତି, ତାହା ଆରଏସଏସ ଓ ବିଜେପିର ଆତ୍ମାରେ ଅଛି।
ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଜ୍ଞା ଠାକୁର ଯେଉଁଭଳି ମତ ଗୃହରେ ରଖିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ବିଜେପି କେବେ ଏଭଳି ବିଚାରଧାରାକୁ ସମର୍ଥନ କରେ ନାହିଁ। ବିଜେପି ସଂସଦୀୟ ବୈଠକକୁ ନଆସିବାକୁ ପ୍ରଜ୍ଞା ଠାକୁରଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ମଧ୍ୟ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ଗଡସେକୁ ଦେଶଭକ୍ତ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ଏହାକୁ ନେଇ ବିରୋଧୀ ମଧ୍ୟ ବିଜେପି ଉପରେ ଜୋରଦାର ବର୍ଷିଥିଲେ। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଡ଼ସେଙ୍କୁ ଏହି ମନ୍ତବ୍ୟ ପାଇଁ କେବେ କ୍ଷମା ଦେଇପାରିବେ ନାହିଁ ବୋଲି କହିଥିଲେ। ହେଲେ ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟିରେ ପ୍ରଜ୍ଞା ଠାକୁର ସାମିଲ୍ ହେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ।
from Odisha Reporter https://ift.tt/2qJ6bA6
No comments:
Post a Comment