ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଲାଗୁ ହୋଇଥିବା କଟକଣା ସମ୍ପର୍କିତ ସମସ୍ତ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେବାକୁ ଆଜି ସ୍ଥାନୀୟ ପ୍ରଶାସନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ବିରୋଧରେ ଆଗତ ଆବେଦନର ଶୁଣାଣି ଆଜି ଜଷ୍ଟିସ୍ ଏନଭି ରମନ୍ନାଙ୍କ ଖଣ୍ଡପୀଠରେ ହୋଇଥିଲା। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ବିଆର ଗାଭି ମଧ୍ୟ ସଦସ୍ୟ ରହିଛନ୍ତି।
ଏହି ସମୟରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଖଣ୍ତପୀଠ କହିଛନ୍ତି, “ଶ୍ରୀ ମହେଟା ଆପଣଙ୍କୁ ଆବେଦନକାରୀ ଉଠାଇଥିବା ସମସ୍ତ ପ୍ରଶ୍ନର ବିସ୍ତୃତ ଉତ୍ତର ଦେବାକୁ ପଡ଼ିବ। କାରଣ ଆବେଦନକାରୀମାନେ ସେମାନଙ୍କ ଯୁକ୍ତି ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି। ଆପଣ ଏହା ଉପରେ ସତ୍ୟପାଠ ଜରିଆରେ ଦେଇଥିବା ଜବାବ ଆମକୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇନାହିଁ। ଆପଣ ଏହି ମାମଲାରୁ ଗୁରୁତ୍ୱର ସହ ନେଉନାହାନ୍ତି ବୋଲି ଆମକୁ ଭାବିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ। ତେଣୁ ଆପଣ ଏହି ସବୁ ପ୍ରଶ୍ନର ବିସ୍ତୃତ ଉତ୍ତର ଦିଅନ୍ତୁ।”
ଏହି ସମୟରେ ମେହେଟା କହିଥିଲେ, “ଆବେଦନକାରୀ କଟକଣାକୁ ନେଇ ଦେଇଥିବା ଯୁକ୍ତିରେ ଅନେକ ଭୁଲ ରହିଛି। ତେବେ ସେମାନେ ଉଠାଇଥିବା ପ୍ରଶ୍ନର ସମସ୍ତ ଉତ୍ତର ମୁଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ବେଳେ ଦେବି। ଏବେ ମୋ ପାଖରେ ଜମ୍ମୁ-କଶ୍ମୀରର ସ୍ଥିତାବସ୍ଥା ସମ୍ପର୍କରେ ବିସ୍ତୃତ ରିପୋର୍ଟ ରହିଛି। ହେଲେ ପ୍ରତିଦିନ ଜମ୍ମୁ-କଶ୍ମୀରର ସ୍ଥିତି ବଦଳୁଛି। ତେଣୁ କୋର୍ଟରେ ଯେବେ ଏହି ଷ୍ଟାଟସ ରିପୋର୍ଟ ଦାଖଲ ହେବ, ସେ ସମୟରେ ହିଁ ବିସ୍ତୃତ ତଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ।”
ଖଣ୍ଡପୀଠ କହିଛନ୍ତି, “ଜମ୍ମୁ-କଶ୍ମୀରରେ କଟକଣା ମାମଲାର ଶୁଣାଣି ଆମେ କରୁଛୁ। ଆମ ଖଣ୍ଡପୀଠରେ ଅଟକ ଥିବା ମାମଲାର ଆବେଦନ ଆସିନାହିଁ। ଅନୁରାଧା ଭାସିନ ଓ ଗୁଲାମ ନବୀ ଆଜାଦ ଦାଖଲ କରିଥିବା ପ୍ରେସର ଆଜାଦୀ ଏବଂ ଅନ୍ୟ କଟକଣା ମାମଲାର ଶୁଣାଣି ହିଁ କରୁଛୁ।”
from Odisha Reporter https://ift.tt/2XxjijL
No comments:
Post a Comment