ନାଟକର ନାଁ “ମୁଖ୍ୟମନ୍ତ୍ରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ନାଟକର ନାଁ “ମୁଖ୍ୟମନ୍ତ୍ରୀ’

  • ଶୁୁଭ୍ରାଂଶୁ ଶେଖର ଜେନା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପରେ ରାଜନୀତିକ ପଣ୍ଡିତ ଓ ସାଧାରଣରେ ଯାହା ନିର୍ଯାସ ବାହାରୁଥିଲା ତାହା ଏବେ ସତରେ ପ୍ରମାଣିତ ହେବାକୁ ଯାଉଛି । ହେଲେ “ମୁଖ୍ୟମନ୍ତ୍ରୀ’ ଆସନକୁ ନେଇ ୧୦ ଦିନ ମଧ୍ୟରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଯାହା ଘଟିଲା ତାହା ଏବେ ଏକ ପାରିବାରିକ ନାଟକ କହିଲେ ଅତ୍ୟୁକ୍ତି ହେବନି । ହେଲେ ଏହି ନାଟକ ପଛର ସୂତ୍ରଧର କିଏ ତାହା ଏବେ ଆଲୋଚନାର ବିଷୟ ବସ୍ତୁ । କାରଣ ବିନା କାହା ପ୍ରବଞ୍ଚନାରେ କିମ୍ୱା ସଂଳାପରେ ବହୁମତ ଥାଇ ସରକାର ଗଢ଼ିବା ନେଇ ବିଳମ୍ୱ ହେବା ସମ୍ଭବ ନୁହେଁ । ଆଉ ଏହି ସଂଳାପ ପଛର ଉଦ୍ଦେଶ୍ୟ ମଧ୍ୟ ଏବେ ସ୍ପଷ୍ଟ ହୋଇଛି ।

ନିର୍ବାଚନ ଫଳାଫଳ ବାହାରିବା ପରେ ଶିବସେନା ସାଂସଦ ତଥା ଦଳର ଖବରକାଗଜ “ସାମ୍ନା’ର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଜୋର ଦେଇଆସୁଛନ୍ତି । ସେପଟେ ସଞ୍ଜୟ ଶିବସେନା ତରଫରୁ ଯାହା ବି ଦାବି କରନ୍ତି ତାହା ସତ ନୁହେଁ ବୋଲି ବିଜେପି କହିସାରିଛି । ନିର୍ବାଚନ ପୂର୍ବରୁ ୫୦:୫୦ ଫର୍ମୁଲା ବାବଦରେ ଉଦ୍ଧବ ଠାକରେ ଓ ଅମିତ ଶାହଙ୍କ ସହିତ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଶିବସେନା ଯେଉଁ ଦାବି କରୁଛି ସେ ବାବଦରେ ଆଲୋଚନା ହୋଇ ନଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି । ମେଣ୍ଟ ଆଧାରରେ ବିଜେପି ଦୁଇ ଗୁଣ ଅଧିକ ଆସନ ଜିତିଛି । ତେଣୁ ବିଜେପି ନେତା ହିଁ ମୁଖ୍ୟମନ୍ତ୍ରୀ ଆସନର ଦାବିଦାର ବୋଲି ଦଳ ଘୋଷଣା କରିଛି । ଏହାରି ଭିତରେ ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସଞ୍ଜୟ ରାଉତ ଦାବି କରିଥିଲେ । ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୧୭୫ ଛୁଇଁ ଯିବ ବୋଲି ସେ ଦୃଢ଼ୋକ୍ତି କରିବାକୁ ମଧ୍ୟ ପଛାଇ ନାହାନ୍ତି । ଯାହାକି କଂଗ୍ରେସ-ଏନସିପି ମେଣ୍ଟ ଏବଂ ଅନ୍ୟାନ୍ୟ ଦଳର ବିଧାୟକ ସଂଖ୍ୟାକୁ ନେଇ ବୋଲି ଜଣାପଡ଼ିଥିଲା ।

ବିଜେପିକୁ ବାଦ୍ ଦେଇ ଶିବସେନା ଯେଉଁ ସରକାର ଗଢ଼ିବାକୁ ଚେଷ୍ଟା କରୁଛି ସେଥିରେ ସଞ୍ଜୟ ହିଁ ପ୍ରତିକ୍ରିୟା ଦେଉଥିଲେ ଅଧିକ । ଅନ୍ୟକେହି ପ୍ରତିକ୍ରିୟା ଦେଉନଥିଲେ । ସହଯୋଗୀ ବିଜେପିକୁ କଟାକ୍ଷ କରିବାକୁ ଯାଇ ଶିବସେନା ରାଜନୀତିରେ ନିଜକୁ ବାଘ (ଦଳୀୟ ଚିହ୍ନ), ରିଙ୍ଗ୍ ମାଷ୍ଟର ବୋଲି ବିବେଚିତ କରିଛି । ସେହିପରି ନିର୍ବାଚନ ଫଳାଫଳ ପରେ ରାଜ୍ୟପାଳଙ୍କୁ ନିଜେ ସଞ୍ଜୟ ୩ ଥର ଭେଟି ସାରିଛନ୍ତି । ଦୀପାବଳି ଅବସରରେ ବିଭିନ୍ନ ଆଳ ଦେଖାଇ ଭେଟିିଛନ୍ତି । ଯାହାକି ଇଙ୍ଗିତ କରିଥିଲା ଶିବସେନା ରାଜ୍ୟରେ ନେତୃତ୍ୱକୁ ନେବାକୁ ଚାହୁଁଛି ।

ଏହାକୁ ନେଇ ଶିବସେନା ମଧ୍ୟ ପ୍ରୟାସ ଆରମ୍ଭ କରିଥିଲା । ନିଜେ ସଞ୍ଜୟ ରାଉତ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ସହ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ । ରାଜ୍ୟର କଂଗ୍ରେସ ନେତା ମଧ୍ୟ ଦଳର ସଭାପତିଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ଶିବସେନା ନେତୃତ୍ୱରେ ସରକାରକୁ ସମର୍ଥନ କରିବାକୁ । ହେଲେ କର୍ଣ୍ଣାଟକାରେ ସଂଖ୍ୟା ନଥାଇ ଜେଡିଏସ ସହ ସରକାର ଗଢ଼ିବାର ଫଳାଫଳ ଜାଣିସାରିଛି କଂଗ୍ରେସ । ଏମିତିକି ଯେଉଁ ହିନ୍ଦୁତ୍ୱ ଆଭିମୁଖ୍ୟକୁ ନେଇ ଶିବସେନା ରାଜନୀତି କରୁଛି, କଂଗ୍ରେସ ଓ ଏନସିପି ମେଣ୍ଟ ସେହି ଚିନ୍ତାଧାରାର ବିରୋଧୀ । ପୁଣି ଆଗକୁ ଅଯୋଧ୍ୟା ମାମଲାର ଶୁଣାଣି ଆସୁଛି । ତେଣୁ ସୋନିଆ ଗାନ୍ଧି ଶିବସେନା ନେତୃତ୍ୱକୁ ରାଜି ହୋଇନଥିବା ଜଣାପଡ଼ିଛି । ତେବେ ବିଜେପି ଓ ଶିବସେନା ମଧ୍ୟରେ ଦେଖାଦେଇଥିବା ବିବାଦ ପାଇଁ ସଞ୍ଜୟ ହିଁ ସଂଳାପ ଲେଖକ ବୋଲି ସନ୍ଦେହ ଆରମ୍ଭ ହୋଇଛି । “ତରୁଣ ଭାରତ’ ନାମକ ଏକ ମରାଠୀ ଖବରକାଗଜ ସଞ୍ଜୟ ରାଉତଙ୍କୁ “ବେତାଳ’ ସହ ତୁଳନା କରିଛି । ହିନ୍ଦୁ ପରମ୍ପରା ଅନୁସାରେ “ବେତାଳ’ର ଅର୍ଥ “ଭୂତ’ । ଉଦ୍ଧବ ଠାକରେ ବିକ୍ରମ ବୋଲି ଏଠି ଧରିବାକୁ ହେବ । କାରଣ ବେତାଳ ବିକ୍ରମ କାନ୍ଧରେ ହିଁ ବସି ଗପ କହୁଥିଲା । ଶିବସେନାର ପ୍ରତିଷ୍ଠାତା ବାଲସାହେବ ଠାକରେ ତାଙ୍କ ଜୀବନକାଳ ଭିତରେ ଏନ୍‌ସିପି ଓ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହି “ବେତାଳ’ ଏବେ ଏନ୍‌ସିପି ଓ କଂଗ୍ରେସର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି ।

ସଞ୍ଜୟ ନାମ ହେଉଛି ମହାଭାରତର ଏଭଳି ଜଣେ ଚରିତ୍ର, ଯିଏ ପାଣ୍ଡବ ଏବଂ କୌରବଙ୍କ ଯୁଦ୍ଧ ବାବଦରେ ଅନ୍ଧ ରାଜା ଧ୍ରୁତରାଷ୍ଟ୍ରଙ୍କୁ ସମସ୍ତ ସୂଚନା ଦେଉଥିଲେ । ଯାହାକି ବହୁତ ଭଲ ପରାମର୍ଶ ଏବଂ ମନ୍ତବ୍ୟ ଥିଲା । ହେଲେ ଏହି ସଞ୍ଜୟ(ଶିବସେନା) ବିଜେପି ସହ ଦୀର୍ଘ ୨୫ ବର୍ଷର ସମ୍ପର୍କରେ ବିବାଦ ସୃଷ୍ଟି ପଛର କାରଣ ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରର ଚଳିତ ବିଧାନସଭା କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ । ଏହାରି ଭିତରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୦ ଦିନ ହେବ ଲାଗି ରହିଥିବା ଅସ୍ପଷ୍ଟ ଚିତ୍ର ଧୀରେ ଧୀରେ ପରିସ୍କାର ହେବାରେ ଲାଗିଛି । ବିଜେପି ସହ ଶିବସେନା ମିଶି ସରକାର ଗଢ଼ିବାକୁ ଏବେ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ନୁହନ୍ତି ବରଂ ବିଜେପିର ବିଚାରଗତ ଗୁରୁ ଆରଏସଏସ ମାଧ୍ୟମ ସାଜିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନିକଟତମ ଶିବସେନା ନେତା କିଶୋର ତିୱାରୀ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଚିଠି ଲେଖି ଦୁଇ ସହଯୋଗୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୋହନ ଭାଗବତଙ୍କୁ ଯାଇ ଭେଟିଛନ୍ତି । ଆଉ ୨୪ ଘଣ୍ଟା ମଧ୍ୟରେ ସମସ୍ତ ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି ।

ହେଲେ ଦୁଇ ଦଳ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବାକୁ ଆସୁଥିବା ବେଳେ ବୁଧବାର ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତ ଏନ୍‌ସିପି ସୁପ୍ରିମୋଙ୍କ ଦ୍ୱାରକୁ ଯାଇଥିଲେ । ଏହାପରେ ପୁଣିଥରେ ଚର୍ଚ୍ଚା ହୋଇଥିଲା ଶରଦ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଚେଷ୍ଟା କରୁଛି । ହେଲେ ଏନସିପି ସୁପ୍ରିମୋ ଏକ ଅଭିଜ୍ଞ ସମ୍ପନ୍ନ ତଥା ଦାୟିତ୍ୱବାନ ନେତା ଭାବରେ ପରିଚୟ ଦେବାକୁ ଯାଇ ନିଜ ପୂର୍ବ ନିଷ୍ପତ୍ତିରେ ସେ ଅଟଳ ବୋଲି କହିଛନ୍ତି । ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବାକୁ ସୁଯୋଗ ଦେଇଛନ୍ତି । ତେଣୁ ସେ ଏହି ଆସନରେ ବସିବେ । ସରକାର ଯଦି ଗଢ଼ିବେ ତାହାଲେ ଦୁଇ ସହଯୋଗୀ ବିଜେପି ଓ ଶିବସେନା ବୋଲି ସେ ସ୍ପଷ୍ଟ କରିଛନ୍ତି ।ସେହିପରି ଶରଦଙ୍କୁ ମନାଇବା ପାଇଁ ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ କଥା ହେବା ପାଇଁ ସଞ୍ଜୟ ରାଉତ ମେସେଜ ପଠାଇ ଥିଲେ ।

ଏବେ ଆରଏସଏସ ମାଧ୍ୟମରେ ଦୁଇ ଦଳର ବିବାଦ ସମାଧାନ ହେବାକୁ ଯାଉଛି । ତେବେ ସଞ୍ଜୟ ନିଜେ କହୁଥିଲେ ବିଜେପି ସହ ଯଦି ଶିବସେନା ଆଲୋଚନା କରିବ ତାହେଲେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ହିଁ କରିବ । ବିଜେପି ପାଖରେ ସଂଖ୍ୟା ଅଧିକ ରହିଛି ନିଜ ପାଖରେ ମୁଖ୍ୟମନ୍ତ୍ରୀ ଆସନରେ ରଖିବ । ହେଲେ ଏବେ ଶିବସେନା କେଉଁ ଆଧାରରେ ସରକାର ଗଢ଼ିବାକୁ ଚେଷ୍ଟା କରୁଛି? ଯଦି କେବଳ ମନ୍ତ୍ରିମଣ୍ଡଳକୁ ନେଇ ବିବାଦ ଥିଲା ମୁଖ୍ୟମନ୍ତ୍ରୀ ଆସନ ନାଁରେ ଏତେ ଦିନ ସରକାର ଗଢ଼ିବା ନେଇ ବିଳମ୍ୱ କରାଇବାର କାରଣ କ’ଣ? ଏଭଳି ନାଟକ ମେଣ୍ଟ ସଂପର୍କ ଓ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବାର ଆଶଙ୍କା ରହିଛି ।

ସେହିଭଳି ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ଯେଉଁଭଳି ଭାବରେ ବିବାଦ ବଢ଼ାଇଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜନୀତିରେ ନୀତି, ଆଦର୍ଶ ନାହିଁ। ଯାହାକି ପୂର୍ବରୁ ମଧ୍ୟ ପ୍ରମାଣିତ ହୋଇସାରିଛି। ଶିବସେନା ପାଖରେ ୫୦ରୁ ଅଧିକ ଆସନ ଜିତିଛି ବୋଲି ଏବେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦାବି କରୁଛି। ହେଲେ ଶିବସେନା ମଧ୍ୟ ଭୁଲିଯିବା ଅନୁଚିତ ସେ ବିଜେପି ସହିତ ମେଣ୍ଟ କରି ନିର୍ବାଚନ ଜିତିଛି। ଗତ ବିଧାନସଭା ନିର୍ବାଚନ ତୁଳନାରେ ଅଧିକ ଆସନ ମଧ୍ୟ ହାତେଇଛି। ତେଣୁ ଶିବସେନାକୁ ଯେତକ ଆସନ ମିଳିଛି ସେଥିରେ ବିଜେପିର ଅବଦନା ନାହିଁ ବୋଲି ଶିବସେନା ଭାବିବା ଅନୁଚିତ। ଆଉ ବିଜେପି-ଶିବସେନା ଯେତେବେଳେ ସମାନ ସମାନ ଆସନରେ ନିର୍ବାଚନ ଲଢ଼ିଥିଲେ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇ ମରାଠୀବାସି ମେଣ୍ଚରେ ବିଜେପିକୁ ହିଁ ବଡ଼ ଭାଇର ଭୂମିକା ଦେଇଛନ୍ତି। ମହାଭାରତରେ ମଧ୍ୟ କ୍ଷମତାକୁ ନେଇ ଅନେକ ଯୁଦ୍ଧ ହୋଇଥିଲା, ଏବେ ରାଜନୀତିରେ ମଧ୍ୟ ସମାନ ଅବସ୍ଥା। କେବଳ ମୁଖ୍ୟମନ୍ତ୍ରୀ ଆସନ ପାଇଁ ରାଜ୍ୟବାସୀଙ୍କୁ ଏକ ସରକାର ଗଢ଼ିବାରେ ସହଯୋଗ ନକରିବା ଶିବସେନା ନିଜର ଚରିତ୍ରକୁ ଅଧିକ ଏକ୍ସପୋଜ କରିବା ଛଡ଼ା ଆଉ କିଛି ନୁହଁ।



from Odisha Reporter https://ift.tt/32poAyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages