ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା, ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଆସନ ଶିବସେନା ପାଖରେ ରହିବ। ଏ ନେଇ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି। ତେବେ ଶିବସେନାରୁ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସହଯୋଗୀ ଏନସିପି-କଂଗ୍ରେସ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ନାମ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଯଦି ଉଦ୍ଧବ ରାଜି ନହୁଅନ୍ତି ତାହେଲେ ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏନସିପି ପ୍ରସ୍ତାବ ଦେଇପାରେ ବୋଲି ସୂଚନା ମିଳିଛି।
ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଚାଲିଛି। ଡିସେମ୍ୱର ପ୍ରଥମ ସପ୍ତାହରେ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ନୂଆ ସରକାର ଗଠନ ହେବ ବୋଲି ଜଣାପଡ଼ିଛି। ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ଆସନ ରହିବ ବୋଲି ଦୁଇ ସହଯୋଗୀ କଂଗ୍ରେସ-ଏନସିପି ରାଜି ହୋଇଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି। ପୂର୍ବତନ ସହଯୋଗୀ ବିଜେପି ସହ ମିଶି ସରକାର ଗଢ଼ିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଛି। ବିଜେପି ଏବେ ଇନ୍ଦ୍ରଙ୍କ ଆସନ ଦେଲେ ମଧ୍ୟ ଶିବସେନା ଗ୍ରହଣ କରିବ ନାହିଁ ବୋଲି ସଞ୍ଜୟ କହିଛନ୍ତି। ଶିବସେନାରୁ କେଉଁ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଆଗାମୀ ଦୁଇ ଦିନ ମଧ୍ୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଉଦ୍ଧବଙ୍କ ପୁଅ ତଥା ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶିବସେନା ପୂର୍ବତନ ସହଯୋଗୀ ବିଜେପି ଆଗରେ ଦାବି କରିଥିଲା। ହେଲେ ବିଜେପି ଶିବସେନାର ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲା। ପରେ ଶିବସେନା, ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବା ପାଇଁ ରାଜି ହୋଇଛି। ହେଲେ ସହଯୋଗୀ ଦଳ ଆଦିତ୍ୟଙ୍କ ବଦଳରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଶିବସେନା ମଧ୍ୟ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଉଥିଲେ ସେଥିରେ ଏକ ପ୍ରକାର ଲଗାମ ଲଗାଇଛି।
from Odisha Reporter https://ift.tt/34eOJlm
No comments:
Post a Comment