ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସବୁ କିଛି ଠିକ୍ ଚାଲିଥିଲା। ଯେଣତେଣ ପ୍ରକାରେ ସ୍ତ୍ରୀ, ଝିଅକୁ ନେଇ ହସଖୁସିର ସଂସାର ଚକ ଗଡ଼ି ଚାଲିଥିଲା। ହେଲେ ସହିଲାନି ଦଇବ। ହଠାତ୍ ବଦଳିଗଲା ସବୁକିଛି। ତେଲ କଡ଼େଇରେ ପଡ଼ି ବିକୃତ ହୋଇଗଲା ମୁହଁ। ପର କରିଦେଲେ ଆପଣାର ଲୋକ । ମେଡିକାଲ ବେଡ୍ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ହାତ ଛାଡ଼ି ଦେଇ ଚାଲିଗଲା ସ୍ତ୍ରୀ। ଏପରି କ୍ଷେତ୍ରରେ ଚିକିତ୍ସା ନିମନ୍ତେ ଟଙ୍କାର ଅଭାବ ସାଙ୍ଗକୁ ସେବା କରିବାକୁ ବି ପାଖରେ କେହି ନାହାନ୍ତି। ତେଣୁ ସବୁ ଆଡ଼ୁ ନିରାଶ ହେବା ପରେ ଇଚ୍ଛା ମୃତ୍ୟୁ ଲୋଡ଼ିଛନ୍ତି ଶିବଶଙ୍କର ମିଶ୍ର ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ ଶିବଶଙ୍କର । ୫ ବର୍ଷର ଝିଅ ଓ ସ୍ତ୍ରୀଙ୍କୁ ନେଇ ଖୁସିରେ ଚାଲିଥିଲା ତାଙ୍କ ସଂସାର। କିନ୍ତୁ ଭାଗ୍ୟର ବିଡମ୍ବନା। ଗତ ଜୁଲାଇ ୧ ତାରିଖରେ ହଠାତ୍ ତେଲ କଡେଇରେ ପଡିଯିବାରୁ ତାଙ୍କ ଶରୀର ଏବଂ ମୁହଁ ବିବର୍ଣ୍ଣ ହୋଇଯାଇଛି। ସେପଟେ ନବୀନ ନିବାସ ଯାଇ ନିରାଶ ହୋଇ ଫେରିଥିବା ଶିବଶଙ୍କର ଏବେ ବ୍ରହ୍ମପୁର ସିଟି ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ସ୍ଥିତିରେ ତାଙ୍କ ସ୍ତ୍ରୀ ବି ତାଙ୍କୁ ଛାଡ଼ି ଚାଲିଗଲେ।
ଶିବଶଙ୍କରଙ୍କ ଏପରି ଅବସ୍ଥା ଦେଖି ସେ କାର୍ଯ୍ୟ କରୁଥିବା ହୋଟେଲ ମାଲିକ କିଛି ଟଙ୍କା ସହାୟତା ଦେଇଥିଲେ। ତେବେ ଶିବଶଙ୍କରଙ୍କ କହିବା ଅନୁସାରେ, ଟଙ୍କା ମିଳିବା ପରେ ହିଁ ସ୍ତ୍ରୀ ପର କରି ଚାଲିଗଲା । ଆପଣା ଲୋକ ଛାଡ଼ି ଚାଲିଯିବା ପରେ ଏବେ କିଛି ସ୍ୱେଚ୍ଛାସେବୀ ଏବଂ ପଡୋଶୀ ରୋଗୀ ତାଙ୍କର ଚିକିତ୍ସା କରୁଛନ୍ତି । ଏଭଳି ଚେହେରା ରଖିବା ଅପେକ୍ଷା ମରି ଯିବା ଭଲ ବୋଲି କ୍ଷୋଭର ସହ କହୁଛନ୍ତି ଶିବ ଶଙ୍କର ।
ଶିବଶଙ୍କରଙ୍କ ଏଭଳି ଅଭିଯୋଗ ଶୁଣି ତାଙ୍କ ସ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କିନ୍ତୁ ଶିବଶଙ୍କରଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଦୀର୍ଘ ଦିନ ଧରି ତାଙ୍କ ସ୍ୱାମୀଙ୍କ ସେବା କରିଥିଲେ। ମାତ୍ର ହୋଟେଲ ମାଲିକ ଟଙ୍କା ଦେବା ପରେ ଶିବଶଙ୍କର ଦୂରେଇ ଯାଇଥିବା ପାଲଟା ଅଭିଯୋଗ କରିଛନ୍ତି ପଦ୍ମିନୀ । ଅନ୍ୟପଟେ ଶିବ ଶଙ୍କରଙ୍କ ଅଧତ୍କ ଚିକିତ୍ସା ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଏମକେସିଜି ମେଡିକାଲକୁ ପଠାଯିବ ବୋଲି କହିଛନ୍ତି ସିଟି ହସପିଟାଲ ସୁପରିଣ୍ଡେଣ୍ଡେଣ୍ଟ ଡାକ୍ତର ପି. କୁରୁମାୟା ।
from Odisha Reporter https://ift.tt/2NTCbdh
No comments:
Post a Comment