ଜମି ପଟ୍ଟା ଦେଉ ନାହାନ୍ତି ସରକାର; ପାନୀୟ ଜଳ ଓ ରାସ୍ତା ପ୍ରତି ବି ନିଘା ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଜମି ପଟ୍ଟା ଦେଉ ନାହାନ୍ତି ସରକାର; ପାନୀୟ ଜଳ ଓ ରାସ୍ତା ପ୍ରତି ବି ନିଘା ନାହିଁ

ମୋହନା (ମିହିର ଜତି): ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ଗଜପତି ଜିଲ୍ଳା ମୋହନା ବ୍ଳକ୍‌ର ଦୁର୍ଗମ ପାଣ୍ଡିଗଣ୍ଡା ପଞ୍ଚାୟତର ଚଡ଼ିଆପଦା ଗାଁ ଲୋକେ ଏଯାବତ୍ ଏହି ବ୍ୟବସ୍ଥାରୁ ଲାଭବାନ ହୋଇପାରି ନାହାନ୍ତି।

ଏହି ଗାଁରେ ୪୦ଟି ଦଳିତ ପରିବାର ବାସ କରନ୍ତି। ତିନି ପିଢ଼ି ଧରି ସେମାନେ ଏ ଗାଁରେ ବସବାସ କରୁଥିଲେ ସୁଦ୍ଧା ଆଜି ଯାଏ ସେମାନଙ୍କୁ ଜମି ପଟ୍ଟା ମିଳିପାରି ନାହିଁ।  ଜମି ପଟ୍ଟା ସହିତ ଇନ୍ଦିରା ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଫନାର୍ଦ ବର୍ଦ୍ଧନ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “୭୦ ବର୍ଷ ହେଲା ଆମେ ପାହାଡ଼ ତଳେ ବସବାସ କରୁଛୁ। ହେଲେ ଆମକୁ ଜମି ପଟ୍ଟା ମିଳିନାହିଁ। ଆମ ନାଁରେ ଇନ୍ଦିରା ଆବାସ ଯୋଜନାରରେ ଘର ଆସିଥିଲେ ମଧ୍ୟ ଆମର ଜମି ପଟ୍ଟା ନଥିବାରୁ ତାହା ମିଳୁ ନାହିଁ। ସରକାର ଆମକୁ ଜମି ପଟ୍ଟା ଯୋଗାଇ ଦିଅନ୍ତୁ।”

ଏହି ଗାଁର ଲୋକମାନେ ଆହୁରି ବିଭିନ୍ନ ସମସ୍ୟାରେ ଜୀବନ ବିତାଉଛନ୍ତି। ଏଠାରେ ପାନୀୟ ଜଳର ସୁବିଧା ନାହିଁ।  ଗାଁରେ ଗୋଟିଏ ମାତ୍ର ନଳକୂପ ରହିଛି। ହେଲେ ସେଥିରୁ ଦୂଷିତ ପାଣି ବାହାରୁଛି। ତେଣୁ ଲୋକେ ଚୁଆ ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଗ୍ରାମବାସୀମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି।

ସେହିପରି ଗାଁ ନିକଟରେ ଡାକ୍ତରଖାନାଟିଏ ନାହିଁ। ଫଳରେ ଲୋକେମାନେ ମୋହନା ଓ ଅଡ଼ମ୍ବାରେ ଥିବା ଡାକ୍ତରଖାନାରେ ଉପରେ ନିର୍ଭର କରୁଛନ୍ତି। ଗାଁଠାରୁ ଏହି ଡାକ୍ତରଖାନାର ଦୂରତା ପ୍ରାୟ ୪୦ କିଲୋମିଟର ହେବ। ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତାଟି ନଥିବାରୁ ଯା’ଆସରେ ଭାରି ଅସୁବିଧା ହେଉଥିବା ଗ୍ରାମବାସୀ କହିଛନ୍ତି।

ଗାଁର ଦୁଃଖୀ ପରିଛା କହିଛନ୍ତି, “ଆମେ ବହୁ ଦୁଃଖ କଷ୍ଟରେ ଅଛୁ। ସରକାର ଆମ ପ୍ରତି ଆଖି ବୁଜି ଦେଇଛନ୍ତି। ଆମର ଜମି ପଟ୍ଟା ନାହିଁ। ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ବି ନାହିଁ। ସରକାର ଆମ ପ୍ରତି ଦୟା କରନ୍ତୁ।”

ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, “ଏହି ଘଟଣାଟି ଆମ ନଜରକୁ ଆସିଛି। ତହସିଲଦାର ଗାଁରେ କ୍ୟାମ୍ପ କୋର୍ଟ କରି ଲୋକଙ୍କୁ କିଭଳି ଜମି ପଟ୍ଟା ପ୍ରଦାନ କରାଯାଇ ପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ। ସେହି ଗାଁରେ ପାଣି ସମସ୍ୟା ରହିଛି। ସେ ସମସ୍ୟା ମଧ୍ୟ ଦୂର କରିବାକୁ ବ୍ୟବସ୍ଥା କରାଯିବ।”

ତିନି ପିଢ଼ି ଧରି ପାହାଡ଼ ତଳେ ବସବାସ କରୁଥିବା ଏହି ଦଳିତ ଲୋକଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି କେବେ ପଡୁଛି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2K41vey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages