ବେଙ୍ଗାଲୁରୁ: ସାରା ଦେଶରେ ବିବାଦୀୟ ନାଗରିକ ସଂଶୋଧନ ଆଇନ(ସିଏଏ) ବିରୋଧରେ ଆନ୍ଦୋଳନ ଚାଲିଛି। ଏପରି କି ଅନେକ ସ୍ଥାନରେ ଆନ୍ଦୋଳନକାରୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ହେଲେ ଆଇଆଇଏମ ବେଙ୍ଗାଲୁରୁର ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ଅଭିନବ ଉପାୟରେ ସିଏଏ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଛନ୍ତି।
ଗୁରବାର ଛାତ୍ରଛାତ୍ରୀମାନେ ପୋଷ୍ଟର ବ୍ୟାନର ଧରି ରାଜରାସ୍ତାରେ ବିକ୍ଷୋଭ କରିଥିଲେ। ହେଲେ ଶୁକ୍ରବାର ଆନ୍ଦୋଳନ ପାଇଁ ସେମାନଙ୍କୁ ଅନୁମତି ମିଳି ନଥିଲା। କ୍ୟାମ୍ପସ ବାହାରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଥିଲା। ହେଲେ ପୁଲିସ୍ ଉପସ୍ଥିତିରେ ବି ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ସିଏଏ ବିରୋଧରେ ପ୍ରତିବାଦ କରିଥିଲେ।
ପୁଲିସ୍ ମଧ୍ୟ ସେମାନଙ୍କର ଆନ୍ଦୋଳନକୁ ଅଟକାଇ ପାରି ନଥିଲା। ତେବେ କେମିତି ସେମାନେ ଆନ୍ଦୋଳନ କଲେ? ସନ୍ଧ୍ୟା ୬ଟା ପୂର୍ବରୁ ହିଁ ପୁଲିସ୍ ଓ ଗଣମାଧ୍ୟମ ପ୍ରତିନିଧିମାନେ ବେଙ୍ଗାଲୁରୁ କ୍ୟାମ୍ପସ ବାହାରେ ପହଞ୍ଚିଥିଲେ। ଏହି ସମୟରେ କ୍ୟାମ୍ପସ ମଧ୍ୟରୁ ଜଣେ ପ୍ରଫେସର ଗେଟ ପାଖକୁ ଆସିଥିଲେ। ତାଙ୍କ ହାତରେ କୌଣସି ଲେଖା ନଥିବା ଏକ ପିଙ୍କ ରଙ୍ଗର ପୋଷ୍ଟର ରହିଥିଲା।
ସେ ଗେଟ ପାଖରେ ଉକ୍ତ ପୋଷ୍ଟରୁ ରଖି ଏହା ଉପରେ ନିଜେ ପିନ୍ଧିଥିବା ଜୋତାକୁ ଖୋଲି ରଖି ଚାଲି ଯାଇଥିଲେ। ସେ ସେଠାରୁ ଯିବା ପରେ ୨ ଜଣ ଛାତ୍ର ପହଞ୍ଚିଥିଲେ। ଜଣେ ହ୍ୱିଲ ଚେୟାରରେ ବସିଥିଲେ। ଅନ୍ୟ ଜଣେ ଖାଲି ପୋଷ୍ଟର ଉପରେ ସେମାନେ ପିନ୍ଧିଥିବା ଚପଲ ଖୋଲି ରଖିବା ପରେ ଭିତରକୁ ଚାଲି ଯାଇଥିଲେ।
ଏହାପରେ ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀ ଆସି ଖାଲି ପୋଷ୍ଟର ଉପରେ ସେମାନେ ପିନ୍ଧିଥିବା ଜୋତାକୁ ରଖି ଭିତରକୁ ଚାଲି ଯାଇଥିଲେ। ଜୋତା ସହ କିଛି ଶିକ୍ଷାର୍ଥୀ ଶାନ୍ତି ସ୍ଥାପନ ପାଇଁ ଫୁଲ ମଧ୍ୟ ସେଠାରେ ରଖିଥିଲେ। ୧୪୪ ଧାରା ଲାଗିଥିବାରୁ ଛାତ୍ରଛତ୍ରୀମାନେ ଏଭଳି ଅଭିନନବ ଢଙ୍ଗରେ ଆନ୍ଦୋଳନ କରିଥିବା କହିଛନ୍ତି।
ଜଣେ ଛାତ୍ରୀ କହିଛନ୍ତି, ଆମେ ସିଏଏକୁ ବିରୋଧ କରୁଛୁ। ପୁଲିସ୍ ଆମକୁ ଅଟକାଇବା ପାଇଁ ଉପସ୍ଥିତ ଥିଲା। ହେଲେ ଆମେ ଶାନ୍ତିପୂର୍ଣ୍ଣ ଭାବେ ନିଜର କଥାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଛୁ।
from Odisha Reporter https://ift.tt/2ZakPNq
No comments:
Post a Comment