ଚେନ୍ନାଇ: ବିବାଦୀୟ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ପୁଲିସର ଗୁଳିମାଡ଼ ଘଟଣାକୁ ଠିକ ବୋଲି କହିଛନ୍ତି ବିଜେପିର ଜାତୀୟ ସମ୍ପାଦକ ତଥା ବରିଷ୍ଠ ନେତା ଏଚ ରାଜା। ମାଙ୍ଗାଲୁରୁରେ ପୁଲିସ୍ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ମଧ୍ୟ ରାଜା ସମର୍ଥନ କରିଛନ୍ତି।
ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଓ ପଥର ଦ୍ୱାରା ପୁଲିସ୍ ଜବାବ ଦେବା ଦରକାର ବୋଲି ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି। ଚେନ୍ନାଇ ଠାରେ ଏଚ ରାଜା କହିଛନ୍ତି, “ଆମକୁ ବନ୍ଧୁକର ଜବାବ ବନ୍ଧୁକରେ ହିଁ ଦେବାକୁ ପଡ଼ିବ। ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନେ ଅନ୍ୟମାନଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ପୁଲିସ ପାଖରେ ଏହାକୁ ମୁକାବିଲା କରିବାର ଆଉ କୌଣସି ଉପାୟ ନାହିଁ।
ସବୁ କିଛି ସ୍ୱାଭାବିକ କରିବା ପାଇଁ ସେମାନଙ୍କୁ ଗୁଳି ଚଳାଇବାକୁ ପଡ଼ିଛି। ଆନ୍ଦୋଳନକାରୀମାନେ ସମଗ୍ର ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି ଓ ପୁଲିସକୁ ଆକ୍ରମଣ କରୁଛନ୍ତି। ତେଣୁ ଆନ୍ଦୋଳନକାରୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦେବାକୁ ପଡ଼ିବ।”
ଗୁରୁବାର କର୍ଣ୍ଣାଟକାର ମାଙ୍ଗାଲୁରୁ ଠାରେ ସିଏଏ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଆନ୍ଦୋଳନକାରୀ ପୋଡ଼ାଜଳା ଓ ପଥର ମାଡ଼ କରିବାରୁ ପୁଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ପୁଲିସ୍ ଗୁଳି ମାଡ଼ କରିବାରୁ ଏଥିରେ ଜଣେ ବ୍ୟକ୍ତି ଓ ୨୩ ବର୍ଷର ନୌସୀମଙ୍କ ମୃତ୍ୟୁ ଘଟିଥିଲା। ହେଲେ କ୍ଷମତାରେ ଥିବା ବିଜେପିର ଜଣେ ନେତା ଏହାକୁ ଯର୍ଥାର୍ଥ ବୋଲି କହି ବିବାଦ ସୃଷ୍ଟି କରିଛନ୍ତି।
from Odisha Reporter https://ift.tt/35WlZ1q
No comments:
Post a Comment