ବଲାଙ୍ଗିର(ମନରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗାଁରେ ନକ୍ସଲ ପରିଚୟ ଦେଇ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ନାଁ ନବୀନ ମେହେର। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ବାମ ହାତରେ ଗୁଳି ବାଜିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ଯୁବକ ଆସି ନବୀନଙ୍କ ଘର କବାଟ ବାଡ଼େଇ ଥିଲା। ନବୀନ କବାଟ ଖୋଲି ଦେବାରୁ ଯୁବକ ଜଣଙ୍କ ଘର ଭିତରକୁ ପଶି ଆସି ନିଜକୁ ନକ୍ସଲ ବୋଲି ପରିଚୟ ଦେଇଥିଲା। ପରେ ପିସ୍ତଲ ଦେଖାଇ ନବୀନଙ୍କୁ ଶୀଘ୍ର ଘରର ଟଙ୍କା ବାକ୍ସର ଚାବି ଦେବାକୁ କହିଥିଲା। ହେଲେ ନବୀନ ଚାବି ଦେବାକୁ ମନା କରିବାରୁ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା।
ପଡ଼ୋଶୀ ଲୋକେ ଗୁରୁତର ଅବସ୍ଥାରେ ନବୀନଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ନକ୍ସଲ ପରିଚୟ ଦେଇ ଟଙ୍କା ପଇସା ମାଗୁଥିବାରୁ ମୁଖାପିନ୍ଧା ଯୁବକଜଣକ ଡକାୟତି ପାଇଁ ଆସିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/356RftI
No comments:
Post a Comment