ପାଣି ପାଇଁ ହନ୍ତସନ୍ତ; ୧୫୦ ପରିବାରକୁ ଗୋଟିଏ କୂଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ପାଣି ପାଇଁ ହନ୍ତସନ୍ତ; ୧୫୦ ପରିବାରକୁ ଗୋଟିଏ କୂଅ

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ବଡ଼ଝାଡ଼ ପଞ୍ଚାୟତର ଦୁଇଟି ଗାଁ ଗୋବରଧୂଳି ଓ ଜହ୍ନବୁଡ଼ିରେ ମିଶି ମୋଟ ୧୫୦ଟି ପରିବାର ବସବାସ କରନ୍ତି। ଏ ଦୁଇଟି ଗାଁର ଏକ ସାଧାରଣ ସମସ୍ୟା ରହିଛି। ଆଉ ତାହା ହେଉଛି ପାନୀୟ ଜଳ ସମସ୍ୟା। ଦୁଇଟି ଯାକ ଗାଁରେ ନଳକୂପ ନାହିଁ କି କୂଅ ନାହିଁ। ସେହିପରି ସେଠାକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି ହୋଇନାହିଁ। କେବଳ ଗାଡ଼ିଆ ଅଛି। ହେଲେ ଗାଡ଼ି ପାଣି ଦୂଷିତ। ତାକୁ ଖାଇବାପିଇବାରେ ବ୍ୟବହାର କରି ହେଉନି। ଏଭଳି ସ୍ଥିତିରେ ଏହି ଦୁଇ ଗାଁ ଲୋକଙ୍କର ଏକମାତ୍ରା ସାହାରା ପାଲଟିଛି ଗୋଟିଏ କୂଅ। ଏହି କୂଅଟି ଗୋବରଧୂଳି ଓ ଜହ୍ନବୁଡ଼ି ଗାଁ ମଝିରେ ରହିଛି। ଉଭୟ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି କୂଅଟି ଅଛି। ତେଣୁ ପ୍ରତିଦିନ ଉଭୟ ଗାଁର ଲୋକେ ଗରା, ଡେକ୍‌ଚି ଓ ବାଲ୍‌ଟି ଧରି ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ପାଣି ନେବାକୁ ଏହି କୂଅକୁ ଆସନ୍ତି। ହେଲେ କୂଅ ପାଣି ବି ଭଲ ନାହିଁ। ପାଣି ଦୂଷିତ ହୋଇଯାଇଥିବା ବେଳେ ସେଥିରେ ପୋକ ମଧ୍ୟ ଭାସୁଛନ୍ତି। ଲୋକେ ଏହି ପାଣିକୁ କପଡ଼ାରେ ଛାଣି ବ୍ୟବହାର କରୁଛନ୍ତି। ଏଥିପାଇଁ ବେଳେବେଳେ ଝାଡ଼ାବାନ୍ତିର ବି ଶିକାର ହେଉଛନ୍ତି।

ବର୍ଷ ବର୍ଷ ଧରି ଦୁଇ ଗାଁର ଲୋକେ ପାନୀୟ ଜଳ ପାଇଁ ଏଭଳି ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରାଯାଇପାରିନି। ଏନେଇ ବାରମ୍ବାର ଉଚ୍ଚ ‌ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଗାଁ ଲୋକେ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଜହ୍ନବୁଡ଼ି ଗାଁର ରଞ୍ଜନା ନାୟକ କହିଛନ୍ତି, “ଗାଁରେ ନଳକୂପ ନାହିଁ। ଆମେ ଦୁଇ କିଲୋମିଟର ବାଟରୁ ପାଣି ଆଣୁଛୁ। ହେଲେ ଏହି ପାଣିରେ ପୋକ ବାହାରୁଥିବାରୁ ଛାଣିକି ପିଉଛୁ। ଆଉ କ’ଣ କରିବୁ। ଖରାଦିନ ହେଲେ କୂଅ ପାଣି ଶୁଖି ଯାଉଛି। ସେତେବେଳେ ଅବସ୍ଥା ଦୟନୀୟ ହୋଇପଡ଼ୁଛି।’’

ସେହିପରି ଜହ୍ନବୁଡ଼ି ଗାଁର ସୁରଥ ନାୟକ କହିଛନ୍ତି, “ଦୀର୍ଘ ଦିନ ତଳେ ଏହି କୂଅ ଖୋଳା ଯାଇଥିଲା। ଏହି କୂଅରୁ ଏହି ଦୁଇ ଖଣ୍ଡ ଗାଁ ଲୋକେ ପିଇବା ପାଇଁ ପାଣି ନେଉଛନ୍ତି।  ଝିଅ-ବୋହୂମାନେ ମୁଣ୍ଡରେ ଗରା ଓ ଡେକ୍‌ଚିରେ ପାଣି ବୋହି ନେଉଛନ୍ତି। ଏହି କୂଅ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ବି ଆକ୍ରାନ୍ତ ହେଉଛନ୍ତି। ଏନେଇ ବିଡିଓ ଏବଂ ତହସିଲଦାରଙ୍କୁ କହିଛୁ। ଦରଖାସ୍ତ ବି ଦେଇଛୁ। ହେଲେ କେହି ଶୁଣୁ ନାହାନ୍ତି। ଆମ ଗାଁରେ ନଳକୂପ ଖୋଳିଲେ ଲୁଣି ପାଣି ବାହାରୁଛି।  କେବଳ ଏହି କୂଅଟି ଯାହା ସାହାଭରସା।”

କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି, “କୃଷ୍ଣପ୍ରସାଦର ଅନେକ ଅଞ୍ଚଳ ଚିଲିକା ଘେର ଭିତରେ ରହିଥିବାରୁ ଏଠାରେ ଉଠାଜଳସେଚନ ବସାଇଲେ ଲୁଣି ପାଣି ବାହାରୁଛି l ଯେତେଦୂର ସମ୍ଭବ ସେହି କୂଅ ପାଣିକୁ ବିଶୋଧନ କରାଯାଇ ଲୋକଙ୍କୁ ବିତରଣ କରାଯିବ l”

 

 



from Odisha Reporter https://ift.tt/2ss6ik1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages