ମୋ ଜେଜେଙ୍କ ଅନୁଭୂତିରେ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ମୋ ଜେଜେଙ୍କ ଅନୁଭୂତିରେ କାହାଣୀ

ଭୂତ ପ୍ରେତ ବୋଲି ମୁଁ ନମାନିଲେ ବି ବେଳେବେଳେ ବାଧ୍ୟ ହୋଇଯାଏ ମାନିବାକୁ। ବୋଧେ ସେମାନେ ସତରେ ଅଛନ୍ତି। ଏମିତି ବହୁଥର ଜେଜେ ଆଉ ଗାଁର ଅନେକ ଲୋକ ନିଜ ଜୀବନର କିଛି କିଛି ଅନୁଭୂତିକୁ ଆମ ଗାଁ ପିଲାଙ୍କ ଗହଣରେ କହୁଥିଲେ। ଆଉ ସେସବୁ ସତ କି ମିଛ ଜାଣିନି, କିନ୍ତୁ ଆମକୁ ପୁରାପୁରି ବାସ୍ତବ ଲାଗୁଥିଲା ଶୁଣିଲାବେଳେ। ଚାତକ ପରି ଅନାଇ ବସୁଥିଲୁ ସେମାନଙ୍କ କଥାକୁ। ଶୁଣିବାକୁ ଡର ଲାଗିଲେ ବି ସତରେ ମଜା କିନ୍ତୁ ଅଲଗା ପ୍ରକାର ଥିଲା। କହିବାକୁ ଗଲେ ଆମ ବ୍ରହ୍ମପୁର ଟୋକଙ୍କ ଭାଷାରେ ଖୁସି ଗୋଟେ ଏବେ ସିନା ଗାଁ ଦାଣ୍ଡ ସବୁ କଙ୍କ୍ରିଟ୍ ରାସ୍ତା ହୋଇଗଲାଣି।

ସେତେବେଳେ କିନ୍ତୁ ଧୂଳି ଦାଣ୍ଡ ହିଁ ଥିଲା। ଗାଁର ବୁଢା ଅଜା ଆଉ ମଉସାମାନେ ଅନେକ କାହାଣୀ କହୁଥିଲେ। ଜହ୍ନ ରାତି ଆଉ ସେ ଭୂତ ପିଚାଶ ମାନଙ୍କ କାହାଣୀ ଶୁଣିବାକୁ ମୁଁ ଆଉ ଆମ ଗାଁର କିଛି ସାଙ୍ଗସାଥୀ ରୁଣ୍ଡ ହୋଇଯାଉଥିଲୁ। ଏବେ ବି ମନେ ପଡିଯାଏ ସେ ଦିନର କଥା ସବୁ।

ସତରେ କେତେ ମଜା ଥିଲା ସେସବୁ ଦିନ। ହଉ ଛାଡ ସେ କଥା, ମୁଁ କାହିଁକି ଏ ଭୂତି ଡାହାଣୀକୁ ଏତେ ଡରୁଛି। ଏବେ ଶୁଣ.. ଏମିତି ଅନେକ କାହାଣୀ ଭିତରୁ ଏ ଗୋଟିଏ କାହାଣୀ ଥିଲା ମୋ ନିଜ ଜେଜେଙ୍କ ମୁହଁରୁ। ସେ କୁହନ୍ତି ଏଇଟା କୁଆଡ଼େ ତାଙ୍କର ଅଙ୍ଗେଲିଭା କଥା। କାହାଣୀ ଥିଲା କିଛି ଏମିତି…

ସମୟ ଏମିତି ଥିଲା ଯେଉଁ ସମୟରେ ଆମ ଗାଁର ପ୍ରାୟତଃ ଲୋକେ ପେଟପାଟଣା ପାଇଁ ବାହାର ସହରକୁ ଯାଉଥିଲେ, ଆଉ ସେ ସମୟରେ ମୋ ବାପା ମଧ୍ୟ ମୁମ୍ବାଇରେ ରହୁଥାନ୍ତି। ଯେତେବେଳେ ମୋ ବାବା ଆମ ଘରକୁ ଭଳମନ୍ଦ ବୁଝିବା ପାଇଁ ଚାହୁଁଥିଲେ, ସେତେବଳେ ଦୁନିଆ ପାଲା କରିବାକୁ ପଡୁଥିଲା। କାହିଁକି ନା, ସେ ସମୟରେ ଆମ ଗାଁରେ ଟେଲିଫୋନ୍‌ ହିଁ ନଥିଲା। ଟିକେ କଥାବାର୍ତ୍ତା ପାଇଁ ଆମ ଗାଁଠୁ ପ୍ରାୟ ୩ କିଲୋମିଟର ଆଗକୁ ଗୋଟିଏ ଗାଁକୁ ଯିବାକୁ ପଡୁଥିଲା। ସଉଦାରୁ ଆରମ୍ଭ କରି ଘର ଚଳଣୀ ପାଇଁ ସବୁ ଜିନିଷପତ୍ର ପାଇଁ ଆମେ ସେହି ଗାଁ ଉପରେ ହିଁ ନିର୍ଭର କରୁ। ଆଉ ସେହି ଗାଁର ଏକ ମେଡିସନ୍ ଦୋକାନରେ ଥାଏ ଗୋଟେ ଲ୍ୟାଣ୍ଡଲାଇନ ଫୋନ୍। ସେଠାକୁ ମୋ ବାବା ଫୋନ କରନ୍ତି। ତା’ ପରେ ସେହି ଦୋକାନ ମାଲିକ ଆମ ଗାଁକୁ ଜେଜେଙ୍କ ପାଖକୁ ଖବର ଦିଅନ୍ତି ଯେ, ଶୁଣ ତମ ପୁଅ ଆଜି ରାତି ୮ ବେଳେ ଫୋନ କରିବ, ତମେ ଆଗୁଆ ଆସି ପହଞ୍ଚି ଯାଇଥି। ଟିକେ ଟିକେ କଥାବାର୍ତ୍ତା ପାଇଁ ଏମିତି ହିଁ ଆମ ଯୋଗଯୋଗ ସବୁଦିନ ଚାଲିଥାଏ।

ଦିନେ ଖବର ଆସିଲା, ଆଜି ରାତି ୯ଟା ବେଳେ ବାବା ଫୋନ କରିବେ। ସେଥିପାଇଁ ସଂନ୍ଧ୍ୟା ୭ଟାରୁ ଜେଜେ ବାହାରି ପଡିଲେ। ସେହି ଆମ ଛୋଟିଆ ସହରର ମେଡିସନ ଦୋକାନକୁ। ହେଲେ ଜେଜେଙ୍କ ସହ ସେହିନ ମୋର ଜଣେ ଦାଦା ବି ଯିବା ପାଇଁ ବାହାରିଥିଲେ। ଦାଦା ଓ ଜେଜେ ଦୁହେଁ ପୁରା ପ୍ରସ୍ତୁତି ହୋଇ ଗାଁରୁ ବାହାରିପଡିଲେ। ଏଠି ମୁଁ କହି ରଖେ , ସେ ଗାଁକୁ ଯିବା ପୂର୍ବରୁ ଦୁଇଟି ଗାଁର ମଶାଣି ଜେଇଁ ଯିବାକୁ ପଡେ। ଏବେ ଅବଶ୍ୟ ସେହି ରାସ୍ତା ଗୁଡାକ ପୁରା ଚକା ଚକ୍ କିନ୍ତୁ ସେ ସମୟରେ ବାଲି ଗୋଡିରେ ତିଆରି ହୋଇଥିଲା। ଏମିତି ରାସ୍ତାରେ ଦାଦାଙ୍କୁ ସାଥିରେ ନେଇ ଜେଜେ ପୁରା ଦମ୍ଭରେ ଆଗକୁ ବଢି ଚାଲିଥାନ୍ତି। ଅନ୍ଧାର କିଟ୍ କିଟ୍ ରାସ୍ତା, ଚାରିଆଡେ ଶୁନଶାନ୍। ମୁହଁକୁ ମୁହଁ ଦେଖିବା ସହଜ ନଥିଲା , ଯାହା କେବଳ ଝାପ୍‌ସା ଜହ୍ନ ଆଲୁଅରେ ବାଟ ଦେଖାଯାଉଥିଲା। ସୁଲୁସୁଲିଆ ପବନ ସାଙ୍ଗକୁ ବେଳେବେଳେ ବିଲୁଆ, ଏମିତି କେତେ କ’ଣ ପକ୍ଷଙ୍କ ଶବ୍ଦ ଶୁଭୁଥାଏ। ବୋଧେହୁଏ ପେଚା କି ଝିଙ୍କାରୀ ହୋଇଥିବେ। ଜେଜେଙ୍କ ହାତରେ କେବେଳ ଛୋଟିଆ ଟର୍ଚ୍ଚ ଲାଇଟଟି ଥିଲା।

ନିର୍ଭୀକ ଭାବେ ଆଗକୁ ବଢଥାନ୍ତି ସେ ଦୁଇଜଣ। ଜେଜେଙ୍କ କହିବା ଅନୁସାରେ ସେ ଡରୁଥିଲେ ବି କାଳେ ଦାଦା ଡ଼ରିଯିବେ ଭାବି ଚୁପଚାପ୍ ଚାଲୁଥିଲେ। ଏମିତିରେ ଗୋଟିଏ ଗାଁର ମଶାଣୀ ପାର୍ କରି ସାରିଥାନ୍ତି। ଏବେ ପାଳି ଦ୍ୱିତୀୟ ମଶାଣୀ। ଏ ମଶାଣୀଟି ପୁରା ପୁରୀ ରାସ୍ତାକୁ ଲାଗି ରହିଥାଏ। ଯଦି ରାତିରେ କେହି ଦୁନିଆ ଛାଡିଦିଏ, ବେଳେବେଳେ ସେଠି ଶବଦାହ ବି ଚାଲିଥାଏ। ସେହି ମଶାଣିର ଠିକେ ଆଗରେ ଏକ ଝାଙ୍କାଳିଆ ବରଗଛ, ତାର ୨୦ପାଦ ଆଗରେ ଥାଏ ଏକ ହନୁମାନ ମନ୍ଦିର। ସେଠି ଗୋଟିଏ ମାତ୍ର ଛୋଟ ୧୦୦ ପାଓ୍ୱାର ବଲ୍‌ବଟିଏ ପ୍ରତ୍ୟେକ ଦିନ ମିଞ୍ଜି ମିଞ୍ଜି ଜଳୁଥାଏ। ସେହି ମନ୍ଦିରରେ ଜଣେ ପୂଜାରି ବି ରହୁଥିଲେ ଯାହା ମୁଁ ଶୁଣିଥିଲି।

ମନ୍ଦିରର ସେହି ଛୋଟିଆ ବଲବ୍‌ର ଆଲୁଅ ଝାପ୍‌ସା ଦେଖାଦେଉଥାଏ ସେ ଆଖପାଖକୁ। କାହିଁକି ନା, ମନ୍ଦିରରୁ ସେ ଆଲୁଅ ଅନେକ ଗଛପତ୍ରର ଛୋଟ ଛୋଟ ଫାଙ୍କ ଦେଇ ପହଞ୍ଚିଥାଏ ସେହି ମଶାଣି ଆଡ଼କୁ। ଜେଜେ ଓ ମୋ ଦାଦା ମଶାଣି ଆଗକୁ ବଢିଲା ପରେ ପଡିଲା ସେହି ବଡ ବର ଗଛଟା। ସେ ଗଛ ଉପରେ ମନ୍ଦିରର ବଲବର ଆଲୁଅଟା ଟିକେ ଟିକେ ପଡୁଥାଏ। ଠିକ୍ ଏତିକିବେଳେ ଜେଜେ ଦେଖିଲେ କିଛି ଗୋଟିଏ ବିରାଟ ଛାଇ ତାଙ୍କ ଉପରେ ଦେଇ ଚାଲିଯାଉଛି। ଜେଜେଙ୍କ କହିବା ଅନୁଯାୟୀ, ଛାଇଟି ଏକ ବିରାଟ ହାତ ସଦୃଶ୍ୟ ଥିଲା। ଯେମିତିକି ସେ ଛାଇ ସଦୃଶ୍ୟ ହାତଟି ଜେଜେ ଓ ଦାଦାଙ୍କୁ ଧରିବାକୁ ଚାହୁଁଥିଲା। ହେଲେ ଏସବୁ ଘଟଣା ଦେଖିବାପରେ ମଧ୍ୟ ଜେଜେ ପୁରା ନିର୍ଭୟର ସହିତ ଆଗକୁ ବଢୁଥିଲେ। ଦାଦାଙ୍କ ହାତ ଧରି। ଜେଜେ ଡରିକି ବି କିଛି କହୁନଥିଲେ, କାଳେ ଦାଦା ଡରିଯିବେ। ଏମିତିରେ ଆଗକୁ ବଢିଯାଇ ବାବାଙ୍କ ସହ କଥା ହୋଇ ଯେଣେତେଣେ ଘରକୁ ଫେରିଥିଲେ ଦୁହେଁ। ଏହାର ଦୁଇ ଦିନ ପରେ ଜେଜେ ଦାଦାଙ୍କୁ ପଚାରିଲେ, ଆରେ ତୁ ସେଦିନ କିଛି ଦେଖିଲୁ କି ସେ ମଶାଣି ପାଖରେ ?

ଦାଦା କିଛି ସମୟ ଚୁପ୍ ରହି କହିଲେ, ହଁ.. ଏହାପରେ ଜେଜେ ପଚାରିଲେ ତେବେ କାଇଁ ମତେ କିଛି କହିନଥିଲୁ ? ଦାଦା କହିଲେ, ନା ସେ ଛାଇ ସଦୃଶ୍ୟ ହାତଟିକୁ ଦେଖି ଡରି ଯାଇଥିଲି। କାଳେ ତମେ ଡରିଯିବ ଭାବି ମୁଁ ବି କିଛି ନ କହି ଚୁପଚାପ ରହିଥିଲି। ଜେଜେ ଏଥର ଟିକେ ହସି ଦେଇ କହିଲେ, ଭଲ କଲୁ ସେ ସମୟରେ ଚୁପ୍ ରହିଲୁ। ଜେଜେଙ୍କ କହିବା କଥା ଯେ, ସେ ଛାଇଟା କୁଆଡ଼େ ଏକ ବ୍ରହ୍ମ ରାକ୍ଷସର ହାତ ଥିଲା। ଯାହା ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଯେହେତୁ ଆମେ ବ୍ରାହ୍ମଣ ଲୋକ , ପିନ୍ଧିଥିବା ମନ୍ତ୍ରିତ ପଇତା ଯୋଗୁଁ ଆମକୁ ସେ ଦୁଷ୍ଟଶକ୍ତିଟି ଧରିପାରିଲା ନାହିଁ। ମୁଁ ସେହି କଥା ଯେତେବେଳେ ଜେଜେଙ୍କଠୁ ଶୁଣିଥିଲା ବହୁତ ଡରି ଯାଇଥିଲି।

କିନ୍ତୁ ଏମିତି କଥା ଶୁଣି ବହୁତ ମଜା ବି ଲାଗିଥିଲା। ଆଜି ଯଦି ମୁଁ ସେ ପରିସ୍ଥିତିକୁ ନେଇ ଭାବେ ମତେ ଲଗେ, ବୋଧହୁଏ ସେ ମନ୍ଦିରର ବଲବର୍ ଆସୁଥିବା ଆଲୁଅ ଉପରେ କିଛି ଗଛ ଡାଳ ପବନରେ ଦୋହଲୁଥିଲେ। ହୁଏତ ସେହି ଗଛ ଡାଳର ପ୍ରତିବିମ୍ବ ହୋଇପାରେ, ସେହି ଛାଇଟି । ଏମିତି ଅନେକ କିଛି ଉଦାହରଣ ମନକୁ ବର୍ତ୍ତମାନ ଆସୁଛି। ହେଲେ ଏକଥା କେତେ ସତ କେତେ ମିଛ ମୁଁ କହିପାରିବିନି। କିନ୍ତୁ ଘଟଣାଟି ଘଟିଥିଲା ସତ…

ଲକ୍ଷ୍ମୀପୁର
ଗଞ୍ଜାମ
ଫୋନ୍‌-୯୭୭୭୨୭୬୧୨୮



from Odisha Reporter https://ift.tt/35TTAsK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages