ପାପକ୍ଷୟ ଘାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ପାପକ୍ଷୟ ଘାଟ

  • ଦେବବ୍ରତ ପୋଢ଼

ପାପକ୍ଷୟ କର ପାପକ୍ଷୟ ଘାଟ,
ଶାପମୁକ୍ତ ଯହିଁ ଉତ୍କଳ ସମ୍ରାଟ।
ପାପ ଅପସରି ସେ ରାଜ୍ୟ ରହିଲା,
ତେଣୁ ସେହି ନାମ ହୋଇଛି ‘ରହିଲା’।

ପାପକ୍ଷୟ ଘାଟ ଦର୍ଶନ ପରେ ଏହି କବିତା ଲେଖିଥିଲେ, ସ୍ୱଭାବକବି ଗଙ୍ଗାଧର ମେହେର୍‌। ଓଡ଼ିଶା ତଥା ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପାପକ୍ଷୟ ଘାଟ ହେଉଛି ଏକ ଧାର୍ମିକ ପୀଠ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ ୩ କିଲୋମିଟର ଦୂରରେ ମହାନଦୀ କୂଳରେ ଅବସ୍ଥିତ ‘ପାପକ୍ଷୟ ଘାଟ’। ଲୋକଙ୍କ ଧାର୍ମିକ ଭାବନା ସହ ଓତଃପ୍ରୋତ ଭାବେ ଜଡ଼ିତ ଏହି ପବିତ୍ର ସ୍ଥାନ।

ଲୋକକଥା: ଲୋକକଥା ଅନୁସାରେ ପୁରୀ ଗଜପତି ମହାରାଜ ଅନଙ୍ଗଭୀମ ଦେବ ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲେ। ଯେତେ ଚିକିତ୍ସା କଲେ ମଧ୍ୟ ମହାରାଜାଙ୍କ ରୋଗ ଭଲ ହେଉ ନଥିଲା। ଫଳରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଲେ। ଏହାପରେ ତାଙ୍କୁ ସ୍ୱପ୍ନାଦେଶ ହେଲା: ‘ହେ ଗଜପତି, ମହାନଦୀ କୂଳରେ ଉତ୍ତର ଦିଗକୁ ଯାଅ, ତୁମକୁ ନଦୀ କୂଳରେ ଏକ ସ୍ଥାନ ମିଳିବ, ଯେଉଁଠାରେ କି ଏକ କାଳୀ ଗାଈ ଆସି ସ୍ୱୟଂଭୂ ଶିବ ଲିଙ୍ଗ ଉପରେ କ୍ଷୀର ଦେଉଥିବ। ସେହି ନିକଟରେ ଥିବା ଘାଟରେ ସ୍ନାନ କଲା ପରେ ତୁମ ରୋଗ କ୍ଷୟ ହେବ।’

ମହାପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ମହାରାଜ ମହାନଦୀ କୂଳେ କୂଳେ ଯାଇ ପ୍ରତି ଯୋଜନ ଅନ୍ତରରେ ଶିବାଳୟ ସ୍ଥାପନ କଲେ। ମହାପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ କଥିତ ଘାଟରେ ସେ ସ୍ନାନ କରିବା ପରେ ଦେଖିଲେ ତାଙ୍କ ଶରୀରରୁ ବ୍ୟାଧିର ଚିହ୍ନ ଲୋପ ପାଇଯାଇଛି। ଆଉ ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଛନ୍ତି। ପୁରୀ ଗଜପତି ମହାରାଜା ଅନଙ୍ଗ ଭୀମ ଦେବ ଏହି ଘାଟରେ ସ୍ନାନ କରିବା ପରେ ହିଁ ରୋଗମୁକ୍ତ ହୋଇଥିଲେ। ସେହି ଅନୁସାରେ ଏହି ଘାଟର ନାମ ହେଲା ‘ପାପକ୍ଷୟ ଘାଟ’। ସ୍ଥାନୀୟ ଲୋକେ ଏହାକୁ ‘ପାପ୍‌ଚି ଘାଟ୍‌’ ବୋଲି ମଧ୍ୟ କହିଥା’ନ୍ତି।

ଲୋକକଥା ଅନୁସାରେ ରାଜା ଘାଟ ନିକଟରେ ଯେଉଁ ସ୍ଥାନରେ ଶିବିର ପକାଇ ରହିଥିଲେ, ସେଠାକାର ନାଁ ‘ରହିଲା’ ହୋଇଥିଲା। ଆଜି ମଧ୍ୟ ପାପକ୍ଷୟ ଘାଟ ନିକଟରେ ‘ରହିଲା’ ଗାଁ ଅଛି। ସ୍ୱଭାବକବି ଗଙ୍ଗାଧର ମେହେର୍‌ ନିଜ କବିତାରେ ଏହି ‘ରହିଲା’ ଗାଁ କଥା ଉଲ୍ଲେଖ କରିଛନ୍ତି।

ଧର୍ମୀୟ ବିଶ୍ୱାସ : ପାପକ୍ଷୟ ଘାଟରେ ରହିଛି ଏକ ପୁରାତନ ବରଗଛ। ଘାଟରେ ସ୍ନାନ କରି ଏହି ବରଗଛ କୋରଡ଼ରେ ଗଳିଲେ ସବୁ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତିଦିନ ଏହି ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ। ପଶ୍ଚିମ ଓଡ଼ିଶା ସହ ପଶ୍ଚିମ ଛତିଶଗଡ଼ରୁ ଅନେକ ଭକ୍ତ ଏଠାକୁ ଆସିଥା’ନ୍ତି। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଦର୍ଶନ କରି ଘାଟରେ ସ୍ନାନ କରିବା ପରେ ବରଗଛ କୋରଡ଼ରେ ଗୋଟିଏ ପଟରୁ ପଶି ଅନ୍ୟ ପଟରେ ବାହାରିଲେ ପାପକ୍ଷୟ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଏଥିପାଇଁ ଏହି ସମୟରେ ପ୍ରବଳ ଭିଡ଼ ହୋଇଥାଏ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ବେଳେ ଏଠାରେ ମେଳା ମଧ୍ୟ ପଡ଼ିଥାଏ। ସେହିପରି କାର୍ତ୍ତିକ ମାସରେ ମଧ୍ୟ ପାପକ୍ଷୟ ଘାଟକୁ ଭକ୍ତଙ୍କ ସୁଅ ଛୁଟିଥାଏ।

ପାପକ୍ଷୟ ଘାଟଠାରୁ ଅଧ କିଲୋମିଟର ଦୂରରେ ରହିଛି ତାରାପୁର ଗଡ଼। ଐତିହାସିକଙ୍କ ମତରେ ଏହାଥିଲା ଦକ୍ଷିଣ କୋଶଳର ରାଜଧାନୀ। ସେତେବେଳେ ବିନିକା ‘ବିନୀତପୁର’ ଭାବେ ଜଣାଶୁଣା ଥିଲା। ସେହିପରି ଏହି ଗଡ଼ରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସୋନପୁରର ନବମ ଚୌହାନ ନରପତି ପୃଥ୍ୱୀ ସିଂହ ମରହଟ୍ଟା ସୈନ୍ୟମାନଙ୍କର ସାମ୍ନା କରିଥିଲେ ବୋଲି ଐତିହାସିକମାନେ କହନ୍ତି।

ସେହିପରି ପାପକ୍ଷୟ ଘାଟଠାରୁ ୪ କିମି ଦୂରରେ ରହିଛି ଚରଦାର ପ୍ରସିଦ୍ଧ କପିଳେଶ୍ୱର ମନ୍ଦିର। ପାପକ୍ଷୟ ଘାଟ ସହ ଏହି ମନ୍ଦିରର ସମ୍ପର୍କ ରହିଛି। ତେଣୁ ଏଠାକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁମାନେ ଶୈବପୀଠ କପିଳେଶ୍ୱର ମନ୍ଦିରକୁ ମଧ୍ୟ ଯାଇଥା’ନ୍ତି।

ପିକ୍‌ନିକ୍‌ ସ୍ପଟ୍‌ : ପାପକ୍ଷୟ ଘାଟ କେବଳ ଧାର୍ମିକ କେନ୍ଦ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି, ତାହା ନୁହେଁ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏହି ପବିତ୍ର ପୀଠକୁ ଟାଣି ଆଣେ। ପିକ୍‌ନିକ୍‌ ସ୍ପଟ୍‌ ଭାବେ ଏହା ମଧ୍ୟ ଜଣାଶୁଣା। ମହାନଦୀ କୂଳରେ ଥିବା ଏହି ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ତେଣୁ ଏହା ଏକ ପିକ୍‌ନିକ୍‌ ସ୍ପଟ୍ ଭାବେ ଏ ଅଞ୍ଚଳରେ ପରିଚିତ। ଏପରିକି ମହାନଦୀ ଭିତରେ ଥିବା ବାଲିଚରରେ ମଧ୍ୟ ପିକ୍‌ନିକ୍‌ କରାଯାଏ। ତେଣୁ ବର୍ଷର ବିଭିନ୍ନ ସମୟରେ ପିକ୍‌ନିକ୍‌ କରିବାକୁ ଏଠାକୁ ଲୋକେ ଆସିଥା’ନ୍ତି। ବିଶେଷ କରି ଶୀତ ଋତୁରେ ପିକ୍‌ନିକ୍‌ ପାଇଁ ଏଠାରେ ଭିଡ଼ ହୁଏ। ତେବେ ପିକ୍‌ନିକ୍‌ କରିବାକୁ ହେଲେ ପାପକ୍ଷୟ ଘାଟର ବିକାଶ ପାଇଁ ଗଠିତ କମିଟିର ଅନୁମତି ନେବାକୁ ପଡ଼ିଥାଏ। କମିଟିର କାର୍ଯ୍ୟାଳୟ ଏଠାରେ ରହିଛି।
କେମିତି ଯିବେ : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରୁ ସଡ଼କପଥରେ ୩୨ କିଲୋମିଟର ଗଲେ ପଡ଼ିବ ବିନିକା। ସୋନପୁର ପଟରୁ ଆସୁଥିଲେ, ବିନିକା ସହର ଭିତରକୁ ପ୍ରବେଶ କରିବା ଠିକ୍‌ ପୂର୍ବରୁ ଡ଼ାହାଣ ପଟକୁ ପାପକ୍ଷୟ ଘାଟକୁ ରାସ୍ତା ଯାଇଛି। ସେହିପରି ବିନିକା ସହରରୁ ପାପକ୍ଷୟ ଘାଟର ଦୂରତା ମାତ୍ର ୩ କିଲୋମିଟର। ବିନିକାର ନିକଟତମ ରେଳଷ୍ଟେସନ ହେଉଛି ବରପାଲି, ଯାହା ୩୨ କି.ମି ଦୂରରେ ଅବସ୍ଥିତ। ଟ୍ରେନ୍‌ରେ ଆସିଲେ ବରପାଲିରୁ ଓହ୍ଲାଇ ବିନିକାକୁ ଯାଇହେବ। ଉଭୟ ସୋନପୁର ଓ ବରପାଲିରୁ ବିନିକାକୁ ବସ୍‌ ଚଳାଚଳ କରୁଛି। ସେହିପରି ଘରୋଇ ଟ୍ୟାକ୍ସି କରି ମଧ୍ୟ ‘ପାପକ୍ଷୟ ଘାଟ’କୁ ବୁଲି ଯାଇପାରିବେ।



from Odisha Reporter https://ift.tt/2Ze6M9t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages