ଶ୍ରୀନଗର: ଉତ୍ତର ପ୍ରଦେଶ ଆହ୍ଲାବାଦ ଜେଲରେ ଜମ୍ମୁ କଶ୍ମୀରର ଜାମାତ-ଇ-ଇସଲାମିଆର ନେତା ଗୁଲାମ ମହମ୍ମଦ ଭଟ୍ଟଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶନିବାର ଅପରାହ୍ନ ୪ଟାରେ ଆହ୍ଲାବାଦ ଜେଲରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମର ଶରୀରକୁ ଏୟାରଲିଫ୍ଟ ଯୋଗେ ଶ୍ରୀନଗର ପଠାଇଦିଆଯାଇଛି। ସେଠାରେ ଗୁଲାମଙ୍କ ମର ଶରୀରକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିଥିବା ସୂଚନା ରହିଛି।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ନାଗରିକ ସୁରକ୍ଷା ଆଇନ ଆଧାରରେ ୩୦୦ ନେତାଙ୍କୁ ଅଟକ ରଖି ସରକାର ଦେଶର ବିଭିନ୍ନ ରାଜ୍ୟର ଜେଲକୁ ପଠାଇ ଦେଇଥିଲେ। ଏହି ୩୦୦ ଜଣ ଅଟକ ନେତାଙ୍କ ମଧ୍ୟରେ ଗୁଲାମ ଥିଲେ। ଆସନ୍ତାବର୍ଷ ଜାନୁଆରୀ ୯ରେ ସେ ଜେଲରୁ ମୁକୁଳିବାର ଥିଲା। ଉତ୍ତର କଶ୍ମୀରର ହଣ୍ଡଓ୍ୱାରା ଜିଲ୍ଲାର କୁଲାଙ୍ଗମରେ ତାଙ୍କର ଘର।
ଆତଙ୍କବାଦୀ କାର୍ଯ୍ୟକଳାପରେ ଜାମାତ-ଇ-ଇସଲାମିଆ ସଂଗଠନ ଲିପ୍ତ ଥିବାରୁ ସରକାର ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗୁଲାମ ଏହି ସଂଗଠନର ନେତା ଥିଲେ। ତାଙ୍କ ନାମରେ ଦୁଇଟି ମାମଲା ରହିଛି। ଗୋଟିଏ ୨୦୧୬ରେ ଅନ୍ୟଟି ଚଳିତ ବର୍ଷ ରହିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ଲିପ୍ତ ଥିଲେ ବୋଲି ତାଙ୍କ ବିରୋଧରେ ମାମଲା ରୁଜୁ ରହିଛି।
ଗୁଲାମଙ୍କ ମୃତ୍ୟୁ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦାୟୀ କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଏବେ ବି ସେ ଅଟକ ରହିଛନ୍ତି। ମୁଫତିଙ୍କ ଟୁଇଟର ଆକାଉଣ୍ଟରୁ ତାଙ୍କ ଝିଅ ଇଲତିଆଜ ଟୁଇଟ୍ କରି ଗୁଲାମଙ୍କ ମୃତ୍ୟୁ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦାୟୀ କରିଛନ୍ତି।
ସୂଚନାଯୋଗ୍ୟ, ନାଗରିକତା ସୁରକ୍ଷା ଆଇନ ଜରିଆରେ ଜମ୍ମୁ କଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସହ କିଛି ନେତା ଅଟକ ରହିଛନ୍ତି।
from Odisha Reporter https://ift.tt/2QaBPPE
No comments:
Post a Comment