ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଆଜି ୧୦ ଜଣ ଗିରଫ ହୋଇଛନ୍ତି। ତେବେ ଏହି ଗିରଫଙ୍କ ମଧ୍ୟରେ ଜାମିଆର କୌଣସି ଛାତ୍ରଛାତ୍ରୀ ନାହାନ୍ତି। ସମସ୍ତ ୧୦ ଜଣ ଦୁର୍ବୃତ୍ତଙ୍କୁ ଜାମିଆ ଓ ଓଖଲା ଅଞ୍ଚଳରୁ ହିଁ ପୁଲିସ ଗିରଫ କରିଛି। ପୁଲିସ୍ କହିଛି ଯେ ହିଂସା ଘଟଣାରେ କୌଣସି ଛାତ୍ର ଗିରଫ ହୋଇନାହାନ୍ତି, ତଥାପି ଆମେ ତାଙ୍କୁ ଏହି ଘଟଣାରେ କ୍ଲିନଚିଟ୍ ଦେଇନାହୁଁ।
ରବିବାର ଦିନ ଜାମିଆ ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଶୋଭାଯାତ୍ରା କରୁଥିଲେ। ଏହି ସମୟରେ କିଛି ବସ୍ ଓ ବାଇକ୍ ପୋଡ଼ାଜଳା ହୋଇଥିଲା। ଦୁର୍ବୃତ୍ତମାନେ ପୋଡ଼ା ଜଳା କରିଥିବା ପୁଲିସ ସ୍ୱୀକାର କରିଛି। ତଥାପି ଘଟଣା ପରେ ପୁଲିସ ଜାମିଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ଏଠାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଏଥିସହ ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲା। ତେବେ ବିବାଦ ବଢ଼ିବାରୁ ସମସ୍ତଙ୍କୁ ରାତି ୩.୩୦ରେ ପୁଲିସ୍ ଛାଡ଼ି ଦେଇଥିଲା।
ଅନ୍ୟପକ୍ଷରେ ସିଏଏ ବିରୋଧରେ ଆସାମରେ ଘଟିଥିବା ସଂଘର୍ଷ ଘଟଣାରେ ପୁଲିସ୍ ଜଣେ କଂଗ୍ରେସ କର୍ମୀଙ୍କ ସମେତ ୧୯୦ ଜଣଙ୍କୁ ଗିରଫ କରିଛି। ସେହିପରି ୩୦୦୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଆସାମ ହିଂସା ଘଟଣାରେ ୧୩୬ଟି ମାମଲା ପୁଲିସ୍ ରୁଜୁ କରିଥିବା ଆସାମ ଡିଜିପି ବିଜେ ମହନ୍ତ ସୂଚନା ଦେଇଛନ୍ତି।
ଆଜି ସକାଳୁ ଆସାମ ସ୍ଥିତି ସୁଧୁରିଥିବାରୁ ବିଭିନ୍ନ ସ୍ଥାନରେ ଲାଗିଥିବା କର୍ଫ୍ୟୁକୁ କୋହଳ କରାଯାଇଛି। ତେବେ ପଶ୍ଚିମବଙ୍ଗର ହାୱଡାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସନ୍ଧ୍ୟା ୫ଟା ଯାଏ ଏଠାରେ ଇଣ୍ଟରନେଟ ସେବାକୁ ବ୍ୟାନ କରାଯାଇଛି।
from Odisha Reporter https://ift.tt/2rSOGOb
No comments:
Post a Comment