ବାରିପଦା(ମାଣିକଲାଲ ପାଣି): ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ପରେ ଗୋଦାମରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡର ଭୟାବହତା ଏପରି ଥିଲା ଯେ, କାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଚାଲିଥିବା ବେଳେ ତାହା ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରି ନାହିଁ।
ଖବର ପାଇ ୩ଟି ଦମ୍କଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଜି ସକାଳେ ବେତନଟୀ, ବାଲିଡିହାରୁ ମଧ୍ୟ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଡକାଯାଇଥିବା ବାରିପଦା ଫାୟାର ଅଫିସର କହିଛନ୍ତି।
ଉକ୍ତ ଗୋଦାମରେ ୮ଟି ରୁମ୍ ଥିବା ବେଳେ ସେଠାରେ କାଗଜ ପେଟି ଓ ଅନ୍ୟାନ୍ୟ ସାମଗ୍ରୀ ରହୁଥିଲା। ଫଳରେ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲା। ଏଥିଯୋଗୁ ଗୋଦାମର ପ୍ରାୟ ୫ଟି ରୁମ୍ରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟ ସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଗୋଦାମ ମାଲିକଙ୍କ ପରିବାର ଉପର ମହଲାରେ ରହୁଥିବା ବେଳେ ନିଆଁ ଲାଗିବା କ୍ଷଣି ସେମାନେ ସୁରକ୍ଷିତ ସ୍ଥାନକୁ ପଳାଇଥିବା ଜଣାଯାଇଛି। ଫଳରେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
from Odisha Reporter https://ift.tt/2RW1vlv
No comments:
Post a Comment