ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆଉ ଆସନ୍ତା ଦୁଇ ତିନି ଦିନ ଧରି ରାଜ୍ୟରେ ଏଭଳି ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏ ସଂପର୍କରେ ସୂଚନା ଦେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଅଜୟ କୁମାର କହିଛନ୍ତି, “ ଏବେ ତିନି ଦିନ ଯାଏ ତାପମାତ୍ରା କମ୍ ରହିବ। ଯାହାଫଳରେ ଶୀତର ପ୍ରଭାବ ରହିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର ଓ କଟକରେ ବି କୋଲ୍ଡ ୱେଭ୍ ପ୍ରଭାବରେ ପ୍ରବଳ ଥଣ୍ଡା ହୋଇପାରେ।”
ସେ ଆହୁରି କହିଛନ୍ତି, “୧ ତାରିଖ ବେଳକୁ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ନୂଆପଡ଼ା ଓ ବରଗଡ଼। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।”
ଆଜି ସୋନପୁରରେ ସବୁଠୁ କମ୍ ତାପମାତ୍ରା ରହିଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୋଳରେ ୪.୬ ଡିଗ୍ରୀ, ସମ୍ୱଲପୁରରେ ୭.୪, କେନ୍ଦୁଝରରେ ୬.୬, ଟିଟିଲାଗଡ଼ରେ ୬.୧ ଓ ଫୁଲବାଣୀରେ ୫.୦ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହିତ କନ୍ଧମାଳ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଆଜି ସକାଳେ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/369he54
No comments:
Post a Comment