ଦରଜି ଗାଁ ‘ଗୋବର୍ଦ୍ଧନପୁର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଦରଜି ଗାଁ ‘ଗୋବର୍ଦ୍ଧନପୁର’

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ଗାଁରେ ପାଖାପାଖି ୪୦୦ ପରିବାର ବସବାସ କରନ୍ତି। ଆଉ ସମସ୍ତେ ଯୋଗୀ ସମ୍ପ୍ରଦାୟର। ଲୁଗା ସିଲେଇ କରିବା ସେମାନଙ୍କ କୁଳ ବେଉସା। ଏବେ ଗାଁର ତିନି ଶହ ପରିବାର ଏହି କାମ କରି ଚଳୁଛନ୍ତି। ସେଥିପାଇଁ ଏହି ଗାଁକୁ ଦରଜି ଗାଁ ମଧ୍ୟ କୁହାଯାଏ।

ଗୋବର୍ଦ୍ଧନପୁର ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଥିବାରୁ ଯାହା କିଛି ଚାଷ ଜମି ଅଛି, ତାହା ପ୍ରତିବର୍ଷ ବନ୍ୟାରେ ଧୋଇ ଯାଉଛି। ତେଣୁ ଆୟର ଅନ୍ୟ କୌଣସି ଉପାୟ ନ ପାଇ ଗାଁ ଲୋକେ ସେମାନଙ୍କ କୁଳ ବେଉସାକୁ ଆପଣେଇଛନ୍ତି। ଏହି କାମରେ କେବଳ ଯେ ଘରର ପୁରୁଷ ଲୋକମାନେ ଲାଗିଛନ୍ତି, ତାହା ନୁହେଁ। ମହିଳାମାନେ ବି ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି।  ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍କୁଲ୍‌ ଓ ଅଙ୍ଗନବାଡ଼ିରୁ ଅର୍ଡର ଆଣି ଏହି ଗାଁର ଲୋକେ ପୋଷାକ ଯୋଗାଇଥା’ନ୍ତି। ଏହା ସହିତ ସାୟା, ବ୍ଲାଉଜ୍‌, ଚୁଡ଼ିଦାର ସମେତ ବିଭିନ୍ନ ରେଡିମେଡ୍‌ ପୋଷକ ତିଆରି କରି ହୋଲ୍‌ସେଲ୍‌ରେ ଦୋକାନୀ ମାନଙ୍କୁ ଯୋଗାଇଥା’ନ୍ତି।

ଗାଁର ବୈଶାଖୀ ନାଥ କହିଛନ୍ତି, “ଆମ ଗାଁର ଅଧିକାଂଶ ଲୋକ ପୋଷାକ ସିଲେଇ କାମ କରୁଛନ୍ତି ଓ ନିଜ ପରିବାର ପୋଷୁଛନ୍ତି। ଅଙ୍ଗନବାଡ଼ି ଓ ସ୍କୁଲ୍‌ ୟୁନିଫର୍ମ, ଶାର୍ଟ, ଚୁଡ଼ିଦାର, ତକିଆ ଖୋଳ, ବ୍ଲାଉଜ ଭଳି ବିଭିନ୍ନ ଜିନିଷ ସିଲେଇ କରୁଛୁ। ମୁଁ ମୋ ବାପାଙ୍କ ଠାରୁ ଏହି ସିଲେଇ ଶିଖିଥିଲି।”

ସେହିପରି ଅଶୋକ ନାଥ କହିଛନ୍ତି, “ଏହା ଆମ ଜାତିର ବ୍ୟବସାୟ। ଏଥିରେ ଆମ ପରିବାର ଚଳେ। ହେଲେ ସରକାରୀ ସହାଯ୍ୟ କିଛି ମିଳୁ ନାହିଁ। ଲୋନ୍ ମିଳିଲେ ଆମେ ହାଇସ୍ପିଡ୍‌ ମେସିନ୍ କିଣିପାରନ୍ତୁ।”

ଡ୍ରେସ୍ ତିଆରି କରିବା ପାଇଁ ଗାଁର ଏହି ଲୋକମାନେ କଲିକୋତାରୁ କପଡ଼ା ଓ ସୂତା ସହିତ ଅନ୍ୟାନ୍ୟ ସାମଗ୍ରୀ ଆଣିଥା’ନ୍ତି। ଗୋଟିଏ ସ୍କୁଲ୍‌ ଶାର୍ଟ ତିଆରି ପାଇଁ ୭୦ ର ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଆଉ ବିକ୍ରି ହୋଇଥାଏ ୧୦୦ ରୁ ୧୧୦ ଟଙ୍କାରେ।  ସେହିପରି ଗୋଟିଏ ପ୍ୟାଣ୍ଟ୍ ତିଆରି ପାଇଁ ୬୦ ରୁ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୯୦ ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ।  ଗୋଟିଏ ରେଡିମେଡ୍‌ ଚୁଡ଼ିଦାର ତିଆରି ପାଇଁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୯୦ ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଜଣେ କାରିଗର ଦୈନିକ ୩୫ ରୁ ୪୦ଟି ପ୍ୟାଣ୍ଟ କିମ୍ବା ଶାର୍ଟ ତିଆରି କରିଥା’ନ୍ତି। ସେହିପରି ଦୈନିକ ଜଣେ କାରିଗର ୨୫ ରୁ ୩୦ ଚୁଡ଼ିଦାର କିମ୍ବା ବ୍ଲାଉଜ୍ ତିଆରି କରିପାରନ୍ତି। ଏସବୁ ତିଆରି କରି ଜଣେ କାରିଗର ଦୈନିକ ପ୍ରାୟ ୪ ଶହରୁ ପାଞ୍ଚ ଶହ ଟଙ୍କା ରୋଜଗାର କରନ୍ତି।

ଗୋବର୍ଦ୍ଧନପୁର ବାସିନ୍ଦା ରାଧାଶ୍ୟାମ ନାଥ କହିଛନ୍ତି, “ପୁରୁଣା ଢଙ୍ଗରେ ଏହି ସିଲେଇ କାମ ଚାଲିଛି। ନୂତନ ଢଙ୍ଗରେ କିଛି ହେଉ ନାହିଁ। ସରକାରଙ୍କ ତରଫରୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।”

ଯଦି ସରକାର ଏହି କାରିଗରମାନଙ୍କୁ ସହାୟତା ଯୋଗାଇ ଦିଅନ୍ତେ, ତା’ହେଲେ ଆଧୁନିକ ଯନ୍ତ୍ରପାତି ଆଣି ସେମାନେ ନୂତନ ଡିଜାଇନର ଡ୍ରେସ୍ ତିଆରି କରିବା ସହ ଅଧିକ ଡ୍ରେସ୍ ତିଆରି କରିପାରନ୍ତେ ଓ ଆହୁରି ଆଗକୁ ବଢ଼ିପାରନ୍ତେ।

 



from Odisha Reporter https://ift.tt/2Pls5D1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages