ଲକ୍ଷ୍ମୀଧର ଓ ତାଙ୍କର ନିଆରା ନଳକୂଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

ଲକ୍ଷ୍ମୀଧର ଓ ତାଙ୍କର ନିଆରା ନଳକୂଅ

କେନ୍ଦୁଝର (ପ୍ରଣୟ ପାଣି): ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ ମା’ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ। ଏହି କଥା ପୁରାଣରେ ବର୍ଣ୍ଣିତ ଅଛି। ହେଲେ ଆଜି ଆମେ ଏମିତି ଜଣେ ଭଗୀରଥଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ ନିଜ ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ଅଧ କିଲୋମିଟର ଦୂରରେ ଥିବା ଜଳାଶୟର ପାଣିକୁ ନିଜ ଘର ଅଗଣାକୁ ଆଣିପାରିଛନ୍ତି। ନିଜର ପ୍ରୟାସ ବଳରେ ସେ ତିଆରି କରିଛନ୍ତି ଏକ ନିଆରା ନଳକୂଅ। ଏପରି କାମ କରି ସେ ନିଜ ଅଞ୍ଚଳ ସମେତ ସବୁଆଡ଼େ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବନେଇକଳା ଗାଁର ଲକ୍ଷ୍ମୀଧର ମୁଣ୍ଡା।

ଝୁମ୍ପୁରା ପଞ୍ଚାୟତ ସମିତି ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଯାଏ ପଢ଼ିଛନ୍ତି ଲକ୍ଷ୍ମୀଧର। ପରିବାର କହିଲେ ତାଙ୍କ ପତ୍ନୀ ସୀତା ଓ ଦୁଇ ପିଲା। ଘରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି ଲକ୍ଷ୍ମୀଧର। ହେଲେ ବଣପାହାଡ଼ ଘେରା ବନେଇକଳା ଗାଁରେ ଅନ୍ୟମାନଙ୍କ ଭଳି ତାଙ୍କ ପରିବାର ପାଇଁ ପାଣି ହେଉଛି ସବୁଠୁ ବଡ଼ ସମସ୍ୟା। ଆଖପାଖରେ କୌଣସି ନଳକୂଅ ନଥିବାରୁ ଲୋକମାନେ ଅଧ କିଲୋମିଟର ପାଣି ଆଣିବା ପାଇଁ ଯାଆନ୍ତି। ଲକ୍ଷ୍ମୀଧରଙ୍କ ସ୍ତ୍ରୀ ମଧ୍ୟ ରାତି ଅଧରେ ଉଠି ପାଣି ପାଇଁ ଗାଁଠାରୁ ଅଧା କିଲୋମିଟର ବାଟ ଯାଆନ୍ତି। ସେ ନିଜର ପତ୍ନୀଙ୍କ କଷ୍ଟ ସବୁବେଳେ ଦେଖନ୍ତି। ହେଲେ ତାଙ୍କ ପାଖରେ ସମ୍ବଳ ନଥିବାରୁ ସେ ନିଜସ୍ୱ ନଳକୂଅଟି ବସାଇପାରନ୍ତି ନାହିଁ।

ପତ୍ନୀ ଓ ଦୁଇ ଛୁଆଙ୍କ ସହ ଲକ୍ଷ୍ମୀ

ବହୁତ ଦିନ ଚିନ୍ତା କରିବା ପରେ ଲକ୍ଷ୍ମୀଧରଙ୍କ ମୁଣ୍ଡକୁ ନିଜେ ଏକ ନଳକୂଅ ବସାଇବାକୁ ବୁଦ୍ଧି ଜୁଟିଲା। ତା’ପରେ ସେ ବଜାରକୁ ଯାଇ ନଳକୂଅ ବସାଇବାକୁ ବିଭିନ୍ନ ସରଞ୍ଜାମ ଯଥା- ୫୦୦ ମିଟର ଇଲେକ୍ଟ୍ରିୱାରିଙ୍ଗ୍‌ ପାଇପ୍‌,ଏକ ମିଟର ଲମ୍ୱର ସ୍ପଞ୍ଜ, ଅଳ୍ପ ଲୁହା ଜାଲି, ନଳକୂଅରେ ବ୍ୟବହାର କରାଯାଉଥିବା ଗୋଟିଏ ଲୁହା ରଡ୍‌ ଏବଂ ଭାଲବ୍‌ ଓ ଦୁଇ ତିନି ଫୁଟ୍ ପ୍ଲାଷ୍ଟିକ ପାଇପ୍‌ କିଣି ଆଣି ଥିଲେ। ତାଙ୍କ ପତ୍ନୀ ମଧ୍ୟ ଜଙ୍ଗଲରୁ ଦୁଇଖଣ୍ଡ ଖୁଣ୍ଟ ଓ ହ୍ୟାଣ୍ଡେଲ ପାଇଁ ବ୍ୟବହୃତ କାଠ ସଂଗ୍ରହ କରି ଆଣିଥିଲେ।

ଏହା ପରେ ଉଭୟ ମିଶି କାମ ଆରମ୍ଭ କରିଥିଲେ। ଗାଁଠାରୁ ଅଧ କିଲୋମିଟର ଦୂରରେ ଥିବା ସରକାରୀ ପୋଖରୀରୁ ଇଲେକ୍ଟ୍ରିୱାରିଙ୍ଗ୍‌ ପାଇପ୍‌କୁ ମାଟି ତଳେ ପୋତି ନିଜ ଘର ଅଗଣା ଯାଏ ଆଣିଥିଲେ।  ଇଲେକ୍ଟ୍ରିୱାରିଙ୍ଗ୍‌ ପାଇପ୍‌ର ଯେଉଁ ମୁଣ୍ଡଟି ପୋଖରୀରେ ପଡ଼ିଥିଲା ତାକୁ ଲକ୍ଷ୍ମୀ ସ୍ପଞ୍ଜ ଓ କିଛି ତୁଳା ସାହାଯ୍ୟରେ ବନ୍ଦ କରି ଦେବା ପରେ ତା’ର ସୁରକ୍ଷା ପାଇଁ ତାର ଜାଲି ଘୋଡ଼େଇ ଦେଇଥିଲେ। ଏହି ସ୍ପଞ୍ଜ ଓ ତୁଳା ଫିଲ୍‌ଟର ଭଳି କାମ କରୁଛି। ଏହା ପରେ ଘର ଅଗଣାରେ ଥିବା ଇଲେକ୍ଟ୍ରିୱାରିଙ୍ଗ୍‌ ପାଇପ୍‌ର ମୁଣ୍ଡ ପାଖରେ ପ୍ରାୟ ଦୁଇ ଫୁଟ୍‌ର ଗାତ ଖୋଳିଥିଲେ। ଏହା ପରେ ଏଥିରେ ଏକ ମୋଟା ପ୍ଲାଷ୍ଟିକ୍ ପାଇପ୍‌ ଲଗାଇ ଦେଇଥିଲେ। ସେହି ମୋଟା ପ୍ଲାଷ୍ଟିକ୍‌ ପାଇପରେ ନଳକୂଅରେ ଲାଗୁଥିବା ଭାଲବ୍‌ ଲଗାଇଥିଲେ ଏବଂ ତା’ସହିତ ଲୁହା ରଡ୍‌ଟିକୁ ସଂଯୋଗ କରିଥିଲେ।  ଏହା ପରେ ତାଙ୍କ ସ୍ତ୍ରୀ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା କାଠରେ ନଳକୂଅର ହ୍ୟାଣ୍ଡେଲ ଓ କାଠ ଖୁଣ୍ଟରେ ବେସ୍‌ ତିଆରି କରିଥିଲେ। ଲକ୍ଷ୍ମୀଧରଙ୍କ ନଳକୂଅ ପ୍ରସ୍ତୁତ ହୋଇଗଲା ପରେ ତାଙ୍କ ପତ୍ନୀ  ହ୍ୟାଣ୍ଡେଲକୁ ଉପରତଳ କରିଥିଲେ ଏବଂ ସେଥିରୁ ପାଣି ବାହାରିଥିଲା। ଏହା ଦେଖି ଲକ୍ଷ୍ମୀ ଓ ତାଙ୍କ ସ୍ତ୍ରୀ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ।

ନିଜ ନଳକୂଅ ସହିତ ଲକ୍ଷ୍ମୀ

ଅଧ କିଲୋମିଟର ଦୂରରୁ ଏଭଳି ଢଙ୍ଗରେ ଲକ୍ଷ୍ମୀ ତାଙ୍କ ଘର ପାଖକୁ ପାଣି ଆଣି ପାରିଥିବାରୁ ଗ୍ରାମବାସୀ ବି ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବନେଇକଳା ଗାଁରେ ପାଣି ସମସ୍ୟା ଥିବାରୁ ଲକ୍ଷ୍ମୀଙ୍କ ହାତ ତିଆରି ନଳକୂଅରୁ ପ୍ରାୟ ୨୦ ପରିବାର ପାଣି ନେଉଛନ୍ତି ଓ ଆବଶ୍ୟକତା ପୂରଣ କରୁଛନ୍ତି।

ଲକ୍ଷ୍ମୀଙ୍କ ସ୍ତ୍ରୀ ସୀତା ମୁଣ୍ଡା କହିଛନ୍ତି, “ପୂର୍ବରୁ ପାଣି ପାଇଁ ଅଧ କିଲୋମିଟର ବାଟ ଚାଲିବାକୁ ପଡ଼ୁଥିଲା। ହେଲେ ମୋ ସ୍ୱାମୀ ତିଆରି କରିଥିବା ନଳକୂପରୁ ଏବେ ପାଣି ଆଣି ବ୍ୟବହାର କରୁଛି।”

ଗ୍ରାମବାସୀ ଚମ୍ପା ଓରାମ କହିଛନ୍ତି, “ପାଣି ଆଣିବା ପାଇଁ ଆମକୁ ଅଧ କିଲୋମିଟର ବାଟ ଯିବାକୁ ପଡ଼ୁଥିଲା। ଏବେ ଲକ୍ଷ୍ମୀ ତିଆରି କରିଥିବା ନଳକୂପରୁ ଆମେ ପାଣି ପାଉଛୁ। ସେଥିପାଇଁ ଆମେ ବହୁତ ଖୁସି ଅଛୁ।”

ଲକ୍ଷ୍ମୀଧର ଜାଣିଛନ୍ତି ଯେ ତାଙ୍କର ଏହି ବ୍ୟବସ୍ଥା ଖରା ଦିନେ କାମ ଦେବନି। କାରଣ ପୋଖରୀର ପାଣି ଶୁଖିଯିବ। ତେବେ ବର୍ଷର ଅନ୍ୟ ଦିନଗୁଡ଼ିକ ପାଇଁ ତାଙ୍କର ଏହି ପ୍ରୟାସ ନିଶ୍ଚିତ ଫଳପ୍ରଦ ହେବ। ଅନ୍ୟପକ୍ଷରେ ତାଙ୍କ ଗାଁର ଜଳକଷ୍ଟ ସମ୍ପର୍କରେ ଅବଗତ ହେବା ପରେ ଅନେକ ବୁଦ୍ଧିଜୀବୀ ସେଠାରେ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।



from Odisha Reporter https://ift.tt/2Fey0E5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages