ମକର ସଂକ୍ରାନ୍ତି: ମିଠାର ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

ମକର ସଂକ୍ରାନ୍ତି: ମିଠାର ଦିନ

ଅସିତ ମହାନ୍ତି

ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟଦେବଙ୍କର ଉତ୍ତରାୟଣର ଉଷା। କାରଣ ଏହିଦିନରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଯାତ୍ରାର ଅୟମାରମ୍ଭ ହୁଏ। ଏହିଠାରୁ ଶୀତ କ୍ରମେ ସରି ସରି ଆସେ ଏବଂ ବସନ୍ତ ଆଗମନୀର ସୂଚନା ଆସ୍ତେ ଆସ୍ତେ ମିଳିବାର ଉପକ୍ରମ ହୁଏ।

ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ ଅନୁସାରେ, ପିତାମହ ଭୀଷ୍ମ ଶରଶଯ୍ୟାରେ ଦୀର୍ଘକାଳ ଶୋଇରହିଥିଲେ କେବଳ ଏହି ଉତ୍ତରାୟଣକୁ ହିଁ ଅପେକ୍ଷା କରି। କାରଣ ଉତ୍ତରାୟଣରେ ମୃତ୍ୟୁ ମୋକ୍ଷପ୍ରଦ।

ସୁଖର କଥା ଯେ ଏବର୍ଷକୁ ମିଶାଇ ତିନିବର୍ଷ ଧରି ଓଡ଼ିଶା ଟେଲିଭିଜନ ନେଟୱର୍କ ଏ ଦିନଟିକୁ ଓଡ଼ିଶାର ମିଠାର ଦିନ ଭାବରେ ପାଳନ କରି ଆସୁଛନ୍ତି। ଏହା ନାମ ରଖାଯାଇଛି ‘ରସଗୋଲା ମହୋତ୍ସବ’। ଭୁବନେଶ୍ୱରରେ ପ୍ରଥମ ଦୁଇବର୍ଷ ପାଳିତ ହେବାପରେ, ଏବର୍ଷ ଏହା ଐତିହ୍ୟ ସଂପନ୍ନ କଟକ ସହରରେ ପହଞ୍ଚିଛି।

ଗତ ଦୁଇବର୍ଷ ଧରି ଏହି ଉତ୍ସବରେ ରସଗୋଲାକୁ ହିଁ ଗୁରୁତ୍ୱ ଦିଆଯାଇଥିଲା। ରସଗୋଲା ସହିତ ଓଡ଼ିଶାର ପାରମ୍ପରିକ ବନ୍ଧନ କେତେ ସୁଦୃଢ଼ ଏହା ସୂଚାଇବା ତାହାର ଉଦ୍ଦେଶ୍ୟ ଥିଲା।

ସୁଖର କଥା ଯେ ଗତବର୍ଷ ଜୁଲାଇ ୨୭ ତାରିଖରେ ‘ଓଡ଼ିଶା ରସଗୋଲା’ ଜିଆଇ ମାନ୍ୟତା ପାଇଛି। ଏଣୁ କେବଳ ରସଗୋଲାକୁ ଗୁରୁତ୍ୱ ନଦେଇ ଓଡ଼ିଶାର ପାରମ୍ପରିକ ଛେନାମିଠା ଉପରେ ଏଥରର ମହୋତ୍ସବରେ ଗୁରୁତ୍ୱ ଦିଆଯାଇଛି। ଏହା ମଧ୍ୟରେ ରହିଛି ନୟାଗଡ଼ର ଛେନାପୋଡ଼, ନିମାପଡ଼ାର ଛେନାଝିଲି, କେନ୍ଦ୍ରାପଡ଼ାର ରସାବଳି ଓ ଟାଙ୍ଗିର ଛେନା କାକରା ଇତ୍ୟାଦି।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଯେତେବେଳେ କଲିକତା ସହର ନଥିଲା, ସେତେବେଳେ ଓଡ଼ିଶାରେ ରସଗୋଲା ଥିଲା। ରସଗୋଲାର ଜିଆଇ ମାନ୍ୟତା ପାଇଁ ଦିଆଯାଇଥିବା ନଥିପତ୍ରରେ ଏହା ସାବ୍ୟସ୍ତ ହୋଇଛି ଏବଂ ସେହି ନଥିପତ୍ର କାଳକାଳକୁ ‘ଜିଆଇ ଜର୍ନାଲ’ରେ ସାଇତା ହୋଇ ରହିଛି।

କଟକ ଏକ ସହସ୍ର ବର୍ଷର ସହର। ଏହାର ମଧ୍ୟ ଏକ ମିଠା ଐତିହ୍ୟ ରହିଛି। ବାଲୁବଜାର, କଲେଜ ଛକ, ହାଇକୋର୍ଟ ଛକ ଆଦିରେ ସେତେବେଳେ ଥିବା କେତୋଟି ନାଆଁକରା ମିଠା ଦୋକାନ କଥା ଶତାବ୍ଦୀ-ନାଟ୍ୟକାର ଗୋପାଳ ଛୋଟରାୟ ତାଙ୍କ ଆତ୍ମଜୀବନୀ ‘ପଥିକ’ରେ ଲେଖିଛନ୍ତି। ବଙ୍ଗଳାର ‘ସ୍ପଞ୍ଜ’ ରସଗୋଲା ଓ ଓଡ଼ିଶାର ‘ସଫ୍ଟ’ ରସଗୋଲାର ତୁଳନା କରି ସେ କହିଛନ୍ତି- ବଙ୍ଗଳା ରସଗୋଲା ମଇଁଷି ଦୁଧରେ ତିଆରି, ତେଣୁ ଟାଣ ଓ ଖର୍ ଖର୍; ଓଡ଼ିଶା ରସଗୋଲା ଗାଈ ଦୁଧରେ ତିଆରି, ତେଣୁ ନରମ ଓ ପୁଚ୍ ପୁଚ୍।

ଏପରି ନରମ ରସଗୋଲା ତିଆରି କରି, ଦିନେ କଟକ ସହରର ତଥା ଓଡ଼ିଶାର ମିଠା ପରମ୍ପରା ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ କଟକର ପାରମ୍ପରିକ ମିଠା କାରିଗରମାନେ। କଟକ ପ୍ରସିଦ୍ଧ ବାରବାଟୀ ଷ୍ଟାଡିୟମର ନିର୍ମାଣ ଚାଲିଥିବାବେଳେ, ଯେଉଁ ବଙ୍ଗୀୟମାନେ ଏହାର ଅନ୍ୟତମ ନିର୍ମାତା ଭୈରବ ଚନ୍ଦ୍ର ମହାନ୍ତିଙ୍କର ଅତିଥି ହୋଇ କଟକ ଆସୁଥିଲେ, ସେମାନଙ୍କୁ ଭୈରବବାବୁ କଟକର ଏହି ପାରମ୍ପରିକ ରସଗୋଲା ଖୁଆଇ ସନ୍ତୁଷ୍ଟ କରୁଥିଲେ। ଅନେକ ବଙ୍ଗୀୟ ମଧ୍ୟ ହାଇକୋର୍ଟ କାମରେ କଟକ ଆସି କଟକ ପାର୍କଛକର ଦେ’ଜ୍ ହୋଟେଲରେ ରହି ବେସରଦିଆ ରୋହିମାଛ ଝୋଳ ସହିତ କଟକର ରସଗୋଲା ଓ ଅନ୍ୟ ମିଠା ଖାଇ ତାହାର ପ୍ରଶଂସକ ପାଲଟି ଯାଉଥିଲେ। ସେହି ରସଗୋଲା ଓ ଅନ୍ୟ ମିଠା ର କାରିଗରଙ୍କ ମଧ୍ୟରେ ଥିଲେ ବାଲୁବଜାରର ରଙ୍ଗିଆ, କଲେଜଛକର ବାଞ୍ଛା ସାହୁ ଓ ଆହୁରି ଅନେକ।

ସୁଖର କଥା ଯେ ଆଜି କଟକରେ ଅନୁଷ୍ଠିତ ହେଉଥିବା ‘ରସଗୋଲା ମହୋତ୍ସବ’ରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଦାୟାଦଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି ସ୍ୱୀକୃତି ପ୍ରକୃତ ଅର୍ଥରେ କଟକର ମିଠା ପରମ୍ପରାର ସ୍ୱୀକୃତି।

କିନ୍ତୁ ଏହି ଲେଖା ସହିତ ଏଠାରେ ଯେଉଁ ଫଟୋଚିତ୍ରଟି ସଂଯୋଜିତ, ତାହା କଟକର ନୁହେଁ, ପୁରୀର ଏକ ଛୋଟ ମିଠା ଦୋକାନର ଛବି। ପୁରୀର ଗଳିରେ ଗଳିରେ ରହିଛି ଏମିତି ଅଗଣିତ ଛୋଟବଡ଼ ମିଠା ଦୋକାନ। ଲୋଭନୀୟ ଛେନାମିଠାରେ ସବୁବେଳେ ଭରପୂର ସେସବୁ। ସେସବୁ ମଧ୍ୟ ପରୋକ୍ଷ ଭାବରେ ଶ୍ରୀମନ୍ଦିରର ଛେନାଭୋଗର ପରମ୍ପରା ସହ ଜଡ଼ିତ।

ଭୁବନେଶ୍ୱର ଓ କଟକ ପରି, ଆରଥରକୁ ମକର ସଂକ୍ରାନ୍ତିର ଏ ମିଠା ମହୋତ୍ସବ ପୁରୀରେ ଆୟୋଜିତ ହେଲେ ଓଡ଼ିଶାର ଏ ମିଠାର ବନ୍ଧନ ଆହୁରି ସୁଦୃଢ଼ ହେବ।



from Odisha Reporter https://ift.tt/2NqkrG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages