ସମ୍ବଲପୁର (ଓଡ଼ିଶା ରିପୋର୍ଟର ): ଏବେ ପିଆଜ ଦର ଯାହା, ମାଗଣା ପାଇଲେ କେହି ନେବାକୁ ମନା କରିବେନି। ଆଉ ଯଦି ରାସ୍ତାରେ ପିଆଜ ଗଡ଼ୁଥିବା ଦେଖିବେ, ତା’ହେଲେ କିଏ ସମ୍ଭାଳେ! ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥର ଦେବାହଲଠାରେ। ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ପିଆଜ ବୋଝେଇ ଟ୍ରକ୍ଟିଏ ଏହି ରାସ୍ତାରେ ଯାଉଥିବା ବେଳେ ଦେବାହଲଠାରେ ଗୋଟିଏ ପିଆଜ ବସ୍ତା ତଳକୁ ଖସି ପଡ଼ିଥିଲା। ତଳେ ପଡ଼ିବା ପରେ ବସ୍ତାଟି ଫାଟି ଯାଇଥିଲା ଓ ପିଆଜ ଗୁଡ଼ିକ ରାସ୍ତାରେ ଏଣେତେଣେ ବିଛାଇ ହୋଇପଡ଼ିଯାଇଥିଲା। ରାସ୍ତାରେ ପିଆଜ ଗଡ଼ୁଥିବା ଦେଖି ସେହି ବାଟ ଦେଇ ଯାଉଥିବା ଲୋକେ ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ପିଆଜ ଗୋଟାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଲାଗି ଯାଇଥିଲା। କିଏ କାର୍ ଡିକିରେ ତ ଆଉ କିଏ ଗାମୁଛାରେ ବାନ୍ଧି ନେଇଗଲେ ପିଆଜ। ଯିଏ ଯେମିତି ପାରିଲା ପିଆଜ ଗୋଟାଇ ନେଇଗଲେ। ଧନୀ, ଗରିବ ସମସ୍ତେ ପିଆଜ ଗୋଟାଉଥିବାର ଦୃଶ୍ୟକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରି ସୋଶାଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଏହା ଏବେ ଖୁବ୍ ଭାଇରାଲ ହେଉଛି। ଆଉ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।
from Odisha Reporter https://ift.tt/39yM0pP
No comments:
Post a Comment