ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ୍‌, ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯାଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ୍‌, ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯାଇପାରେ

ବଣାଇ (ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଠାରୁ ଦୁଇ କିଲୋମିଟର ଦୂରରେ ରହିଛି କେନ୍ଦ୍ରିକଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୧୯ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ସ୍କୁଲ୍‌ଟି ୧୯୨୫ ମସିହାରେ ସ୍ଥାପିତ ହୋଇଥିଲା। ତେବେ ୯୫ ବର୍ଷ ପୂରି ଯାଇଥିଲେ ବି ସ୍କୁଲ୍‌ର ସବୁ ଶ୍ରେଣୀ ଗୃହ କଂକ୍ରିଟ୍‌ ଛାତ ହୋଇ ପାରିଲାନାହିଁ। ଆଜି ବି ଛାତ୍ରଛାତ୍ରୀମାନେ ଟିଣ ଓ ଖପର ପଡ଼ିଥିବା ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି। 

ସ୍କୁଲ୍‌ରେ ୮ଟି କ୍ଲାସ୍‌ ରୁମ୍ ରହିଛି। ସେଥିରୁ ୩ ତିନୋଟି କ୍ଲାସ୍‌ ରୁମ୍‌ରେ କଂକ୍ରିଟ୍‌ ଛାତ ପଡ଼ିଛି। ପିଲା ସଂଖ୍ୟା ବଢ଼ିବାରୁ ୧୫ ବର୍ଷ ତଳେ ଏହି ତିନିଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ତେବେ ବାକି ୫ଟି କ୍ଲାସ୍‌ ରୁମ୍‌ରେ ଟିଣ ଓ ଖପର ପଡ଼ିଛି। ଆଉ ଏବେ ଏହି ଶ୍ରେଣୀ ଗୃହ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଟିଣ ଓ ଖପର ଛାତ ଉପରେ ଘାସ ଓ ଗଛ ଉଠି ଯାଉଛି। ବର୍ଷା ଦିନେ ଛାତ ଉପର ଘଞ୍ଚ ଜଙ୍ଗଲ ହୋଇଯାଏ। ସେହିପରି ଏହି ଶ୍ରେଣୀ ଗୃହଗୁଡ଼ିକର କାନ୍ଥ ସହିତ ଝରକା ଓ କବାଟ ଆଦି ଫାଟି ଆଁ କରିଛି। ଟିଣ ଓ ଖପରର ଛପର ପାଇଁ ଯେଉଁ କାଠ ବ୍ୟବହାର କରାଯାଇଛି, ସେଗୁଡ଼ିକ ଉଇ ଖାଇ ଗଲାଣି। କେତେବେଳେ ଯେ ସେଗୁଡ଼ିକ ଭାଙ୍ଗି ପଡ଼ିବ କିଛି କହିହେବ ନାହିଁ। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍କୁଲ୍‌ କର୍ତ୍ତୃପକ୍ଷ ଖୁଣ୍ଟ ପୋତି ସେଗୁଡ଼ିକରେ ଡେରା ଦେଇଛନ୍ତି। ଏନେଇ ବାରମ୍ୱାର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।

ସ୍କୁଲର ଜଣେ ଛାତ୍ରୀ ସୁକନ୍ୟା ପ୍ରିୟଦର୍ଶନୀ ପରିଡ଼ା କହିଛନ୍ତି, “ସ୍କୁଲର କିଛି କ୍ଲାସ୍‌ ରୁମ୍‌ ଭାଙ୍ଗିରୁଜି ଗଲାଣି। ଅଧିକ ବର୍ଷା ହେଲେ ଭୁଶୁଡ଼ି ପଡ଼ିବାର ବି ଆଶଙ୍କା ରହିଛି। ଆମେ ଡରି ଡରି ବସି ପାଠ ପଢ଼ୁଛୁ। ଏଥିସହ ଆମ ସ୍କୁଲ୍‌ରେ ଚେୟାର ଟେବୁଲ ନାହିଁ। ଆମେ ତଳେ ଦରି ପକାଇ ବସୁଛୁ। ଆମେ ଚାହୁଁଛୁ ସରକାରଙ୍କ ପକ୍ଷରୁ ନୂଆ ଘର ତିଆରି କଲେ ଭଲ ହେବ।”

କେବଳ ଏତିକିରେ ସ୍କୁଲର ସମସ୍ୟା ସରି ନାହିଁ।  ଦୁଇ ବର୍ଷ ହେବ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି।

ସ୍କୁଲ୍‌ କମିଟି ସଭାପତି ଜଗନ୍ନାଥ ପତି କହିଛନ୍ତି, “ଏହି ସ୍କୁଲ୍‌ରେ ମୁଁ ପଢ଼ିଛି। ମୋ ଜେଜେବାପା ଓ ବାପା ବି ଏଠାରେ ପଢ଼ିଛନ୍ତି। କିନ୍ତୁ ଏତେ ବର୍ଷ ପରେ ବି ଏ ସ୍କୁଲର ଉନ୍ନତି ହୋଇ ପାରୁ ନାହିଁ। ୨୦ ବର୍ଷ ତଳେ ମରାମତି ପାଇଁ କିଛି ଟଙ୍କା ଆସିଥିଲା। ବର୍ତ୍ତମାନ ଶ୍ରେଣୀ ଗୃହଗୁଡ଼ିକ  ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଭୁଶୁଡ଼ିବ ଜଣାନାହିଁ। ଆମେ ଏଥିପାଇଁ ଦାୟୀ ରହିବୁ ନାହିଁ। ସେଥିପାଇଁ ସରକାର ଦାୟୀ ରହିବେ।”

ଶିକ୍ଷୟିତ୍ରୀ ସବିତା ଚୌଧୁରୀ କହିଛନ୍ତି, “ଏହି ସ୍କୁଲ୍‌ ଦୟନୀୟ ଅବସ୍ଥାରେ ରହିଛି। ଏନେଇ ଆମେ ଡିଇଓ ଏବଂ ଡିପିସିଙ୍କୁ ମଧ୍ୟ ଜଣାଇଛୁ। ଛଅ ମାସ ତଳେ ସେମାନେ ସ୍କୁଲ୍‌କୁ ଆସିଥିଲେ ଓ ସବୁ ଦେଖିଥିଲେ। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ।”

ବଣାଇ ବିଡିଓ ସନ୍ତୋଷ କୁମାର ସାହୁ କହିଛନ୍ତି, “ସ୍କୁଲର ଯଦି କିଛି ଅସୁବିଧା ଅଛି, ଜେଇ ଓ ଇଞ୍ଜିନିୟରଙ୍କୁ ପଠାଇ ମରାମତି କରିବୁ। ମରାମତି ହୋଇ ନପାରିଲେ ସ୍କିମ୍‌ ଅନୁଯାୟୀ ମୂଆ ବିଲ୍ଡିଂ କରିବୁ।”

ଅତୀତରେ ଆମ ରାଜ୍ୟରେ ସ୍କୁଲ୍‌ କାନ୍ଥ ଓ ପାଚେରି ଆଦି ଭୁଶୁଡ଼ି ଛାତ୍ରଛାତ୍ରୀ ମୃତାହତ ହେବାର ଦୃଷ୍ଟାନ୍ତ ରହିଛି। ଏହା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଓ ସରକାର ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ଗୁରୁତ୍ୱ ନଦେବା ଚରମ ଅବହେଳା ନୁହେଁ ତ ଆଉ କ’ଣ? ଏହାର ପରିଣାମ କେଡ଼େ ଭୟଙ୍କର ହେବ ଜାଣି ସୁଦ୍ଧା ଚୁପ୍ ବସିବା କୌଣସି ଅପରାଧଠାରୁ କମ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି।



from Odisha Reporter https://ift.tt/36c6m5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages