ଶ୍ରୀହୀନ ହୋଇଯାଇଛି ଉପର କୋଲାବର ଇକୋ ଟୁରିଜିମ୍‌ ସ୍ଥଳ; କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ଶ୍ରୀହୀନ ହୋଇଯାଇଛି ଉପର କୋଲାବର ଇକୋ ଟୁରିଜିମ୍‌ ସ୍ଥଳ; କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଉପର କୋଲାବରେ ଥିବା ଇକୋ ଟୁରିଜିମ୍‌ ସ୍ଥଳ ତାର ସତ୍ତା ହରାଉଛି। ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ଅନେକ ଜିନିଷ ନଷ୍ଟ ହେବାରେ ଲାଗିଛି। ବୋଟ୍‌ ହାଉସ୍‌ ଭୂତ କୋଠି ପାଲଟିଛି। ଅନାବନା ଗଛ ଭିତରେ ଏହା ଜଙ୍ଗଲ ପରି ଦୃଶ୍ୟମାନ ହେଉଛି। ତିନି ବର୍ଷ ହେବ ଏଠାରେ ବୋଟିଂ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇ ଯାଇଛି। ଲକ୍ଷାଧିକ ଟଙ୍କାର ନିର୍ମିତ ହୋଇଥିବା ସାଇନ୍ସ ପାର୍କ ଖତ ଖାଉଛି। ଏଠାରେ ଲାଗିଥିବା ବିଭିନ୍ନ ଲୁହା ଉପକରଣରେ କଣକି ଲାଗି ଗଲାଣି। ହେଲେ ଉପର କୋଲାବ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଧୀରେ ଧୀରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି।

ଶିଶିର ମାଦଳା ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, “ଉପଭୋଗ କରିବାକୁ କିଛି ନଥିଲେ ପର୍ଯ୍ୟଟକ ସଂଖ୍ୟା କମିବା ସ୍ୱାଭାବିକ କଥା। ଏଠାରେ ଥିବା ସାଇନ୍ସ ପାର୍କ ଅଚଳ ହୋଇ ପଡ଼ିଛି। ବୋଟିଂ ବ୍ୟବସ୍ଥା ବି ନାହିଁ। ଏହାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଆସୁଥିବା କୁହାଯାଉଛି, କିନ୍ତୁ ସେହି ଟଙ୍କା ଯାଉଛି କୁଆଡ଼େ।”

ପ୍ରହରାଜ ଖରା ନାମକ ଆଉ ଜଣେ ପର୍ଯ୍ୟଟକ କହିଛନ୍ତି, “ମୁଁ ଉପର କୋଲାବ ବୁଲିବାକୁ ଆସିଥିଲି। ହେଲେ ଏଠାରେ କିଛି ଦେଖିବାକୁ ନାହିଁ। ଚାରିପଟେ କେବଳ ଜଙ୍ଗଲ ଘେରି ରହିଛି। ମୋବାଇଲି ନେଟୱାର୍କ ଆସୁନାହିଁ। ବସିବାକୁ ଜାଗା ନାହିଁ। ଆଗରୁ ବୋଟ୍‌ ଚାଲୁଥିଲା। ହେଲେ ଏବେ କିଛି ନାହିଁ। ଏହା ଦେଖି ବହୁତ ଦୁଃଖ ଲାଗୁଛି।”

ଏଠାରେ ଏକ ଶିଶୁ ଉଦ୍ୟାନ ମଧ୍ୟ ଅଛି। କିନ୍ତୁ ତାକୁ ବି ସଫା କରାଯାଉ ନଥିବା ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାର୍କରେ ଆଲୋକ ବ୍ୟବସ୍ଥା ମଧ୍ୟ ଠିକ୍ ନାହିଁ। ତେଶୁ ସଞ୍ଜ ନଇଁବା ପୂର୍ବରୁ ପର୍ଯ୍ୟଟକ ଜାଗା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ସ୍ଥାନୀୟ ବାସିନ୍ଦା ସୋମନାଥ ଖରା କହିଛନ୍ତି, “ଏଠାରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ତାର କାରଣ ହେଉଛି- ଏଠାରେ ଲାଇନ୍‌ ବ୍ୟବସ୍ଥା ନାହିଁ, ମୋବାଇଲ୍ ଫୋନ୍ ଲାଗେ ନାହିଁ ଓ ରାସ୍ତାଘାଟ ଭଲ ନାହିଁ। ଏହା ଇକୋ ଟୁରିଜିମ୍‌ ମାନ୍ୟତା ପାଇ ମଧ୍ୟ କିଛି ଉନ୍ନତିକରଣ ହୋଇପାରୁନି।  କଟକ, ନୟାଗଡ଼ ଭଳି ସ୍ଥାନରୁ ଆସୁଥିବା ଲୋକ ଏଠାରେ ୫ ମିନିଟ୍‌ ରହି ପାରୁ ନାହାନ୍ତି। ହୋଟେଲ କିମ୍ୱା ରେସ୍ତରାଁର କୌଣସି ସୁବିଧା ନାହିଁ। ଏହାର ଉନ୍ନତିକରଣ ପାଇଁ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ଏଠାକାର ବାସିନ୍ଦା ହୋଇ ବହୁତ ଦୁଃଖ ଲାଗୁଛି ଏବଂ ଲାଜ ଲାଗୁଛି। ଏନେଇ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।”

୨୦୧୪ ମସିହାରେ ଉପର କୋଲାବ ଇକୋ ଟୁରିଜିମ୍‌ ସ୍ଥଳର ମାନ୍ୟତା ପାଇଥିଲା। କିନ୍ତୁ ଉନ୍ନତିକରଣ କଥା ଛାଡ଼ନ୍ତୁ ରକ୍ଷଣାବେକ୍ଷଣ ବି ଠିକ୍ ଭାବେ କରାଗଲାନି। ତେଣୁ ଆବଶ୍ୟକ ଭିତ୍ତିଭୂମି ଥାଇ ବି ଏହା ଏବେ ଶ୍ରୀହୀନ ହୋଇପଡ଼ିଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ନଦେଲେ ହୁଏତ ଏଠାରେ ଆଉ ପର୍ଯ୍ୟଟକଙ୍କ ପାଦ ନପଡ଼ିପାରେ।



from Odisha Reporter https://ift.tt/39X0cJz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages