ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ର କାର୍ଯ୍ୟ ଦକ୍ଷତା ପ୍ରତି ପୁଣି ପ୍ରଶ୍ନ ଉଠିଛି। ସିଏଏ ବିରୋଧୀ ଆନ୍ଦୋଳନ ବେଳେ ବିଜନୋର ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ପୁଲିସ୍ ଓ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଥିଲା। ଏହାପରେ ପୁଲିସ୍ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରିଥିଲା।
ହେଲେ କୋର୍ଟରେ ଶୁଣାଣି ବେଳେ ପୁଲିସ୍ ସେମାନେ ଦଙ୍ଗା କରୁଛନ୍ତି ବୋଲି କୌଣସି ପ୍ରମାଣ ଦାଖଲ କରିପାରି ନାହିଁ। ଫଳରେ କୋର୍ଟ ସମସ୍ତ ୪୮ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୪୮ ଜଣଙ୍କୁ ଜାମିନ ମିଳିବା ପରେ ଏବେ ପୁଲିସର ଉଦ୍ଦେଶ୍ୟ ଉପରେ ସମସ୍ତେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
ଦେଶର ରାଜଧାନୀ ଦିଲ୍ଲୀ ଠାରୁ ୧୬୧ କିମି ଦୂରରେ ଥିବା ବିଜନୋରରେ ମୋଦି ସରକାର ଆଣିଥିବା ସିଏଏକୁ ଜୋରଦାର ବିରୋଧ କରାଯାଇଥିଲା। ଏପରି କି ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଗତବର୍ଷ ଡିସେମ୍ବର ୨୦ରେ ଘଟିଥିବା ଏହି ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ସମେତ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ହିଂସାକାଣ୍ଡ ବେଳେ ପ୍ରାଣ ହରାଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିଲେ। ବିଜନୋରର ନାଗିନା ସହରରେ ସବୁଠାରୁ ଅଧିକ ହିଂସାକାଣ୍ଡ ଦେଖାଯାଇଥିଲା। ଡିସେମ୍ବର ୨୦ ଶୁକ୍ରବାର ପ୍ରାର୍ଥନା ପରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ପୁଲିସ୍ ୮୩ ଜଣଙ୍କୁ ଗିରଫ କରିଥିଲା। ପୁଲିସ୍ ଏଫଆଇଆରରେ କହିଥିଲା ଯେ ଶୁକ୍ରବାର ପ୍ରାର୍ଥନା ପରେ ହଜାର ହଜାର ଲୋକ ଏକାଠି ହୋଇ ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ। ଏପରି କି ଲୋକମାନେ ପୁଲିସ୍ ଉପରକୁ ଗୁଳି ମାଡ଼ କରିଥିଲେ। ୮୩ ଜଣଙ୍କ ମଧ୍ୟରୁ ୪୮ ଜଣଙ୍କୁ ଜାମିନ ପ୍ରଦାନ ବେଳେ କୋର୍ଟ କହିଛନ୍ତି ଯେ ପୁଲିସ୍ ତଦନ୍ତରେ ସ୍ପଷ୍ଟତା ନାହିଁ।
ପୁଲିସ୍ କହୁଛି ଯେ ଲୋକମାନେ ଗୁଳି ଚଳାଇଥିଲେ। ହେଲେ ଏହାର ପ୍ରମାଣ ଦାଖଲ କରିପାରି ନାହିଁ। ଏଥିସହ ଲୋକମାନେ ସାଧାରଣ ଲୋକଙ୍କ ଗାଡ଼ି ଭାଙ୍ଗୁଥିବା କିମ୍ବା ଦୋକାନ ଜାଳୁଥିବା କଥା ପୁଲିସ କହୁଥିଲେ ହେଁ ସରକାରୀ ଓକିଲ କୋର୍ଟରେ ଏହା ପ୍ରମାଣିତ କରିପାରିନାହାନ୍ତି। ତେଣୁ ସମସ୍ତ ୪୮ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରୁଛନ୍ତି।
from Odisha Reporter https://ift.tt/3aWNbA7
No comments:
Post a Comment