ମୁମ୍ବାଇ: ସ୍ୱତନ୍ତ୍ର ସିବିଆଇ ଜଜ ବିଏଚ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଫାଇଲ ପୁଣି ଖୋଲିବ ବୋଲି ମହାରାଷ୍ଟ୍ର ସରକାର ସଙ୍କେତ ଦେଇଛନ୍ତି। ତେବେ ସନ୍ଦେହଜନକ ମୃତ୍ୟୁ ସଂକ୍ରାନ୍ତ ପ୍ରମାଣ ନେଇ କୌଣସି ବ୍ୟକ୍ତି ଅଭିଯୋଗ କରିବା ପରେ ହିଁ ସରକାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ମହାରାଷ୍ଟ୍ରର ଜଣେ ମନ୍ତ୍ରୀ କହିଛନ୍ତି।
ଜଜ୍ ଲୋୟା ଗୁଜରାଟର ବହୁ ଚର୍ଚ୍ଚିତ ଶୋହରାବୁଦ୍ଦିନ ଶେଖ ଫେକ୍ ଏନକାଉଣ୍ଟର ମାମଲାର ଶୁଣାଣି କରୁଥିଲେ। ଏହି ଫେକ ଏନକାଉଣ୍ଟରରେ ଅମିତ ଶାହଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ତେବେ ମାମଲା ଶୁଣାଣି ଚାଲିଥିବା ବେଳେ ୨୦୧୪ ଡିସେମ୍ବର ୧ରେ ନାଗପୁର ଠାରେ ଜଜ୍ ଲୋୟା ପ୍ରାଣ ହରାଇଥିଲେ। ହୃଦଘାତରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା।
ସୁପ୍ରିମକୋର୍ଟରେ ଘଟଣାର ତଦନ୍ତ ପାଇଁ ଆବେଦନ କରାଯାଇଥିଲେ ହେଁ ଏହାକୁ ଖାରଜ କରିଦିଆଯାଇଛି। ତଥାପି ଏଯାଏ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇନାହିଁ। ଏନସିପି ମୁଖପାତ୍ର ତଥା ମନ୍ତ୍ରୀ ନୱାବ ମାଲିକ କହିଛନ୍ତି, “ସରକାର ଜଜ୍ ଲୋୟାଙ୍କ ମୃତ୍ୟୁର ତଦନ୍ତ ଫାଇଲ ଖୋଲି ପାରନ୍ତି। ହେଲେ ତା’ ପୂର୍ବରୁ ବଳିଷ୍ଠ ପ୍ରମାଣ ନେଇ କେହି ଅଭିଯୋଗ କରିବା ଦରକାର।
ଯଦି ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ପ୍ରମାଣ ମିଳିବ, ତା’ହେଲେ ମହାରାଷ୍ଟ୍ର ସରକାର ପୁଣିଥରେ ଜଜ ଲୋୟାଙ୍କ ମୃତ୍ୟୁର ତଦନ୍ତ ଫାଇଲ ଖୋଲିବାକୁ କେବେ ବି ପଛଘୁଞ୍ଚା ଦେବେନାହିଁ। କିନ୍ତୁ ପ୍ରମାଣ ନ ମିଳିଲେ, ଘଟଣାର ତଦନ୍ତ ହୋଇପାରିବ ନାହିଁ। ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଠନ କରିବା ପରେ ଶରଦ ପାୱର ହିଁ ପ୍ରଥମେ ଜଜ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ହେବ କି ନାହିଁ ପ୍ରଶ୍ନ କରିଥିଲେ।
ସେ ମଧ୍ୟ ଘଟଣାର ପୁନଃ ତଦନ୍ତ ସମ୍ଭବ ବୋଲି କହିଥିଲେ। କେବଳ ପାୱାର ନୁହନ୍ତି, ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ତଦନ୍ତ ସପକ୍ଷରେ ସଙ୍କେତ ଦେଇଥିଲେ। ତେଣୁ ପ୍ରଥମେ ବଳିଷ୍ଠ ପ୍ରମାଣ ମିଳିଲେ ହିଁ ତଦନ୍ତ ପାଇଁ କୁହାଯିବ।”
ଜଜ୍ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ସହ ଜଜ୍ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଥିବା କହିଥିଲେ। ଏଥିସହ ଏସ୍ଆଇଟି ତଦନ୍ତ ଦାବି ରାଜନୀତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ମଧ୍ୟ କୋର୍ଟ କହିଥିଲେ।
from Odisha Reporter https://ift.tt/2tJm4r6
No comments:
Post a Comment