ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏୟାର ଇଣ୍ଡିଆ ପକ୍ଷରୁ ଗତ ୨୦ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ବିମାନ ସେବା ଆରମ୍ଭ ହୋଇଛି। ଏଣିକି ଦୁଇ ସହର ମଧ୍ୟରେ ସପ୍ତାହକୁ ୪ ଥର ବିମାନ ଚଳାଚଳ କରିବ।
ଯାତ୍ରୀମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବା ସହ ଏପରି ସୁବିଧା ପାଇ ସେମାନେ ଖୁବ୍ ଖୁସି ଅଛନ୍ତି। କିନ୍ତୁ ଏବେ ଏହାର ଶ୍ରେୟ ନେବାକୁ ଆରମ୍ଭ ହୋଇଛି ରାଜନୀତି। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଛି।
ଭୁବନେଶ୍ୱରରୁ ସିଧାସଳଖ ସୁରତ୍ ବିମାନ ଚଳାଚଳ ପାଇଁ ବିଜେପି ମୋଦିଙ୍କୁ ଶ୍ରେୟ ଦେଉଥିବାବେଳେ ବିଜେଡି ଶ୍ରେୟ ଦେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରୁ ବିମାନ ଚଳାଚଳ କଲା ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ହେଲେ ବିଜେପି ମିଛ କହି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବୋଲି ସୂର୍ଯ୍ୟନାରାୟଣ ଅଭିଯୋଗ କରିଛନ୍ତି।
ଗୁଜରାଟର ସୁରତରେ ଆୟୋଜିତ ଦ୍ୱିତୀୟ ଓଡ଼ିଶା ମହୋତ୍ସବରେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ କହିଛନ୍ତି ଯେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବରେ ଯୋଗଦେଇ ସିଧାସଳଖ ବିମାନ ଚଳାଚଳ କରିବା ଲାଗି ଘୋଷଣା କରିବା ସହ ଏଥିନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସୁରତରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ନବୀନ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ସୁରତର ଆମରୋଲିରେ ଅନୁଷ୍ଠିତ ଏହି ଓଡ଼ିଶା ମହୋତ୍ସବରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ସଂଖ୍ୟାରେ ଓଡ଼ିଆ ଯୋଗ ଦେଇଥିଲେ।
ବାଚସ୍ପତିଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ରଖିଛି ବିଜେପି । ବିଜେପିର ଗୋଲକ ମହାପାତ୍ର କହିଛନ୍ତି, ବାଚସ୍ପତି ହୋଇ ସୂର୍ଯ୍ୟ ପାତ୍ର ଦଳକୁ ପ୍ରୋତ୍ସାହନ ଦେବା କେତେ ଦୂର ଠିକ୍ । ଏହା ତାଙ୍କର ପଦ ମର୍ଯ୍ୟାଦା ହାନି କରୁଛି। ବିକାଶ କୌଣସି ଦଳୀୟ କାମ ନୁହେଁ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ରହିଛି। ସୁରତକୁ ସିଧା ବିମାନ ଉଡ଼ାଣରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ଗୌଣ କରିବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ଆଣିଛନ୍ତି ସେ।
from Odisha Reporter https://ift.tt/2TRjcnc
No comments:
Post a Comment