ଜାଣି ନିଅନ୍ତୁ କରୋନାର ଲକ୍ଷଣ ଓ ମୁକାବିଲା କରିବାର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଜାଣି ନିଅନ୍ତୁ କରୋନାର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୀନ୍‌ରେ ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଏଥିରେ ସଂକ୍ରମିତ ହୋଇ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।  ଏହି ଭାଇରସ୍‌ରେ ସେଠାରେ ରହୁଥିବା ଅନେକ ଭାରତୀୟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ରୋଗ କ’ଣ, ଏହାର ଲକ୍ଷଣ ଗୁଡ଼ିକ କ’ଣ ଓ ଏହା ସହ କିପରି ମୁକାବିଲା କରି ହେବ, ଆସନ୍ତୁ ସେ ବିଷୟରେ ଜାଣିବା।

‘କରୋନା’ ଏକପ୍ରକାରର ଇନ୍‌ଫ୍ଲୁଏଞ୍ଜା ବର୍ଗର ଭାଇରସ୍‌, ଯାହା ଥଣ୍ଡା, କାଶ, କଫ ଓ ଛାତି ଇନ୍‌ଫେକ୍ସନ୍‌ ଆଦି କରାଇଥାଏ। ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ପ୍ରଥମେ ଶ୍ୱାସନଳୀ ପ୍ରଦାହ ହୋଇଥାଏ। ଏଥିଯୋଗୁ ଥଣ୍ଡା, କାଶ ଓ କଫ ଆଦି ହୋଇପାରେ ଅବା ଛାତି ସଂକ୍ରମଣ ହୋଇପାରେ। ଏହା ମଣିଷ ଅପେକ୍ଷା ପଶୁପକ୍ଷୀମାନଙ୍କୁ ଅଧିକ ସଂକ୍ରମିତ କରିଥାଏ। ସାପ, ସରୀସୃପ ଜାତୀୟ ପ୍ରାଣୀ, ବାଦୁଡ଼ି, ବିଭିନ୍ନ ପକ୍ଷୀ ଓ ପଶୁମାନଙ୍କୁ ଏହା ଶୀଘ୍ର ସଂକ୍ରମିତ କରିଥାଏ। ଏହା ଏବେ ପଶୁଠାରୁ ମଣିଷକୁ ବ୍ୟାପିଛି। ତେଣୁ ଏହା ମଣିଷ ଠାରୁ ମଣିଷକୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଛି। ଏଥିଯୋଗୁ SARS ଓ MERS ଭଳି ପ୍ରାଣଘାତୀ ରୋଗ ମଧ୍ୟ ଦେଖାଯାଇପାରେ।

ଲକ୍ଷଣ: ‘କରୋନା’ ଭାଇରସ୍‌ରେ ଆକ୍ରାନ୍ତ ହେଲେ ଯେଉଁସବୁ ଲକ୍ଷଣ ଦେଖାଯାଏ, ତାହା ଅତ୍ୟନ୍ତ ସାଧାରଣ। ତେଣୁ ବହୁତ ଲୋକ ଏହି ରୋଗକୁ ଚିହ୍ନି ନପାରି ବିପଦକୁ ଡାକି ଆଣୁଛନ୍ତି। ତେଣୁ ସେହି ଲକ୍ଷଣ ଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ ଓ ସେମିତି କିଛି ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯା’ନ୍ତୁ।

୧. ଭୀଷଣ ଥଣ୍ଡା

୨. ମୁଣ୍ଡ ବିନ୍ଧା

୩. କାଶ ବା କଫ ହେବା

୪. ତଣ୍ଟି ପଡ଼ିଯିବା

୫. ଜ୍ୱର

୬. ଥକା ଲାଗିବା

୭. ବାନ୍ତି ହେବା

୮. ଶ୍ୱାସକ୍ରିୟାରେ ସମସ୍ୟା ହେବା

୯. ନିମୋନିଆ

କେମିତି କରିବେ ମୁକାବିଲା

‘କରୋନା’ ଭାଇରସ୍‌କୁ ଚାରିଆଡ଼େ ବ୍ୟାପିବାରୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଏଥିପାଇଁ WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ପକ୍ଷରୁ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

୧) ପ୍ରଥମେ ରୋଗୀଙ୍କ ଲକ୍ଷଣ ଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ।

୨) ଯଦି କେହି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଯା’ନ୍ତୁ। ତା’ସହିତ ତାଙ୍କଠାରୁ ଦୂରେଇ ରୁହନ୍ତୁ। 

୩) ଯେଉଁ ଦେଶରେ ବା ସ୍ଥାନରେ ଏହି ରୋଗ ବ୍ୟାପୁଛି, ସେହି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

୪) ସବୁବେଳେ ନିଜକୁ ସଫାସୁତୁରା ରଖନ୍ତୁ। ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇ ଖାଆନ୍ତୁ। ଯଦି କାହା ସହ ହାତ ମିଶାଉଛନ୍ତି, ତା’ହେଲେ ଏହାପରେ ହ୍ୟାଣ୍ଡୱାସ୍‌ କି ସାନିଟାଇଜର୍‌ ବ୍ୟବହାର କରନ୍ତୁ।

୫) କାଶିବା କିମ୍ବା ଛିଙ୍କିବା ସମୟରେ ସବୁବେଳେ ମୁହଁରେ ଓ ନାକରେ କପଡ଼ା ଦିଅନ୍ତୁ।

୬) ହାତରେ କିମ୍ବା ଆଙ୍ଗୁଳିରେ ବାରମ୍ବାର ଆଖି, ନାକ ଓ ପାଟିକୁ ଛୁଅଁନ୍ତୁ ନାହିଁ।

୭) ସାର୍ବଜନୀନ ସ୍ଥାନ, ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ି ଯେପରିକି ବସ୍‌, ଟ୍ରେନ୍ ଓ ବିମାନରେ ଯାତ୍ରା କରୁଥିବାବେଳେ କୌଣସି ସ୍ଥାନକୁ ଅଯଥା ସ୍ପର୍ଶ କରନ୍ତୁ ନାହିଁ। ବିଶେଷ କରି କୌଣସି ବ୍ୟକ୍ତିଙ୍କ ସହ ହାତ ମିଳାଇବାରୁ ଦୂରେଇ ରୁହନ୍ତୁ।

ଚିକିତ୍ସା

ଏହି ଭୂତାଣୁକୁ ମାରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଆଣ୍ଟି-ଭାଇରାଲ୍ ଡ୍ରଗ୍ ବାହାରି ନାହିଁ। ଏଥିପାଇଁ ରୋଗୀଙ୍କୁ କେବଳ ସପୋର୍ଟିଭ୍ ଟ୍ରିଟ୍‌ମେଣ୍ଟ୍ ଦିଆଯାଉଛି। ଜ୍ୱର ପାଇଁ ଔଷଧ ଦିଆଯାଉଛି। ଭେଣ୍ଟିଲେଟର ଜରିଆରେ ଅମ୍ଳଜାନ ସ୍ତରକୁ ଠିକ୍ ରଖାଯାଉଛି, ବ୍ୟାକ୍ଟେରିଆଲ୍ ଇନ୍‌ଫେକ୍ସନ ପାଇଁ ଆଣ୍ଟିବାୟୋଟିକ୍ ଦିଆଯାଉଛି।

କରୋନା ଭାଇରସ୍‌ ନେଇ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କ’ଣ କହିଛନ୍ତି, ଶୁଣନ୍ତୁ। ଦୁଇ ଦିନ ତଳେ ସେ ଏ ବିଷୟରେ ଆଲୋକପାତ କରିଥିଲେ।



from Odisha Reporter https://ift.tt/2tJEOYd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages