ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସାତ ଜନ୍ମ ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥିଲେ। ହେଲେ ସ୍ୱାମୀକୁ ଭୁଲି ପ୍ରେମରେ ଉବୁଟୁବୁ ହେଲେ। ନିଜ ସଂସାର ଭାଙ୍ଗି ଯା ସହ ସଂସାର ଗଢ଼ିବେ ବୋଲି ଘରୁ ଗୋଡ଼ କାଢ଼ିଥିଲେ ସେ ବି ରାସ୍ତା ମଝିରେ ଛିଡ଼ା କରାଇ ଦେଲେ। ଜୀବନ ଦୋଛକିରେ ଛିଡ଼ା ହୋଇ ମହିଳାଜଣକ ଉଭୟ ପଟୁ ନିରାଶ ହେବା ପରେ ଆତ୍ମହତ୍ୟା ବାଟ ବାଛିନେଲେ।
ଏପରି ଏକ ଘଟଣା ଗତ ରାତିରେ ବଲାଙ୍ଗିର ଜିଲ୍ଲା ସୁଦପଡ଼ା ସଖୀ ସେଣ୍ଟରରେ ଘଟିଛି। ମୃତ ମହିଳା ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କ ମୃତଦେହ ଗତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ମହିଳାଜଣକ ନିଜ ସ୍ୱାମୀଙ୍କ ସହ ବଲାଙ୍ଗିରରେ ରହୁଥିଲେ। ଉଭୟ ପତିପତ୍ନୀ ସେଠାରେ ପରିବା ବେପାର କରି ବେଶ୍ ହସଖୁସିରେ ରହୁଥିଲେ। ହେଲେ ଟିକିରାପଡ଼ାର ଜଣେ ଯୁବକ ଇଲେକ୍ଟ୍ରି କାମ କରୁଥିବା ବେଳେ ମହିଳାଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଲୁଚାଚୋରା ପ୍ରେମ।
କିଛି ଦିନ ପରେ ମହିଳାଙ୍କ ହାବଭାବରୁ ତାଙ୍କ ସ୍ୱାମୀ ଏହା ଜାଣିପାରି ବହୁତ ବୁଝାଇଥିଲେ। କିନ୍ତୁ ପ୍ରେମରେ ଉବୁଟୁବୁ ହେଉଥିବା ମହିଳାଜଣକ ସ୍ୱାମୀଙ୍କୁ ପର କରି ଉକ୍ତ ଯୁବକ ସହ ଘର ଛାଡ଼ି ପଳାଇଲେ। ଦୁହେଁ ସୋନପୁର ଜିଲ୍ଲାରେ ୩ ମାସ ଏକାଠି ଘର ଭଡ଼ା ନେଇ ରହିଥିଲେ। କିନ୍ତୁ ଏହାପରେ ଯୁବକଜଣକ ଆଉ ଧରାଛୁଆଁ ଦେଲେନି। ସେ ବିବାହିତ ହୋଇଥିବାରୁ ସମ୍ପୃକ୍ତ ମହିଳାଙ୍କୁ ବିବାହ କରିବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇଦେଲେ।
ଏହାପରେ ମହିଳାଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ସେ ଏବେ ଜେଲ୍ରେ ଅଛନ୍ତି। ଯୁବକ ଗିରଫ ହେବା ପରେ ମହିଳାଜଣକ ଗତ ୨୬ ତାରିଖରୁ ସଖୀ ସେଣ୍ଟରରେ ରହୁଥିଲେ। କିନ୍ତୁ ଗତରାତିରେ ସେ ଅଫିସ୍ର ଏକ ରୁମ୍ ବନ୍ଦ କରି ଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ସେଠାରେ ଥିବା କର୍ମଚାରୀମାନଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମହିଳାଙ୍କ ଅତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from Odisha Reporter https://ift.tt/37J19nv
No comments:
Post a Comment