ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀରେ ଦୁଇ ଦୁଇଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ହେଲେ ଏଯାଏ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ ବିଭାଗ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇନାହାନ୍ତି।
ରାତି ପ୍ରାୟ ୨.୪୦ରେ ପତପରଗଞ୍ଜରେ ଥିବା ଏକ ତିନି ମହଲା ବିଶିଷ୍ଟ ପେପର ପ୍ରିଣ୍ଟିଂ ପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଖବର ପାଇ ୩୦ଟି ଦମକଳ ବାହିନୀ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ଉଦ୍ଧାର କାର୍ଯ୍ୟବେଳେ ଗୋଦାମ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ୪ ଘଣ୍ଟାରୁ ଅଧିକ ସମୟ ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି।
ସେହିପରି ନୋଏଡାର ସେକ୍ଟର ୨୪ରେ ଥିବା ୭ ମହଲା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲରେ ମଧ୍ୟ ଆଜି ସକାଳୁ ନିଆଁ ଲାଗି ଯାଇଛି। ପ୍ରଥମେ ହସ୍ପିଟାଲର ବେସମେଣ୍ଟରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁ ବିଭିନ୍ନ ଫ୍ଲୋରକୁ ବ୍ୟାପିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ରିପୋର୍ଟ ଲେଖା ହେବାବଳକୁ ନିଆଁ ଆୟତ୍ତ ହୋଇ ନଥିଲା। ସେହିପରି ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ।
from Odisha Reporter https://ift.tt/2Qz4O0N
No comments:
Post a Comment