ନୂଆଦିଲ୍ଲୀ: ସିଏଏକୁ ବିରୋଧ କରୁଥିବା ଜାମିଆ ଛାତ୍ରଙ୍କୁ “ଏଇ ନିଅ ଆଜାଦୀ” କହି ଗୁଳି ଚଳାଇଥିବା ଦୁର୍ବୃତ୍ତ ଜଣଙ୍କ ଜଣେ ନାବାଳକ। ସେ ଏକାଦଶ ଶ୍ରେଣୀରେ ପଢ଼ୁଥିଲା।
ଗୁଳିମାଡ଼ କରିଥିବାରୁ ତା’ ନାଁରେ ପୁଲିସ୍ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସେହିପରି ଏଯାଏ ସେ କୌଣସି ସଂଗଠନ ସହ ଜଡ଼ିତ ନଥିବା କହିଛି। ହେଲେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ନାବାଳକ ଗୁଳି ଚାଳକ ଜଣଙ୍କ ବଜରଙ୍ଗ ଦଳର ରାଲିରେ ସାମିଲ ହୋଇଥିଲା। ଏଥିସହ କସଗଞ୍ଜରେ ୨୦୧୮ ମସିହାରେ ଚନ୍ଦନ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ବଦଲା ନେବାକୁ ଏଭଳି ଗୁଳି କରିଥିବା ଜଣାପଡ଼ିଛି।
ହେଲେ ପୁଲିସ୍ ଏଯାଏ କୌଣସି ତଥ୍ୟକୁ ସାର୍ବଜନୀନ କରିନାହିଁ। ସେ କୌଣସି ସଂଗଠନ ସହ ଜଡ଼ିତ ନୁହେଁ, ହେଲେ ଦୀର୍ଘ ୨ ବର୍ଷ ହେଲାଣି ସେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖି ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ ହୋଇଥିଲା। ୨୦୧୯ ନଭେମ୍ବର ମାସରେ ଉତ୍ତର ପ୍ରଦେଶର ଜେୱାର ଠାରେ ଆୟୋଜିତ ଏକ ରାଲିରେ ସେ ସାମିଲ ହୋଇଥିଲା। ଏହାକୁ ବଜରଙ୍ଗ ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା।
ଜାମିଆରେ ପହଞ୍ଚିବା ଓ ସେଠାରେ ସିଏଏକୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଳି କରିବା ପଛରେ କାହାର ହାତ ନାହିଁ ଏବଂ ସେ ନିଜ ଇଚ୍ଛାରେ ଏଭଳି କରିଥିବା ପୁଲିସ୍କୁ କହିଛି। ଅନେକ ସମୟରେ ଏହି ନାବାଳକ ଜଣ ଘର ଓ ପଡ଼ୋଶୀଙ୍କ ଆଗରେ ଉତ୍ତେଜନା ସୃଷ୍ଟି କରିବା ଭଳି ନାରାବାଜି କରିଛି। ଏପରି କି ସେ ନିଜର ସାଙ୍ଗମାନଙ୍କୁ ଏକାଠି କରି ସିଏଏ ସପକ୍ଷରେ ରାଲି କରିବାକୁ ଉଦ୍ୟମ କରିଥିଲା। ହେଲେ ଏହା ସଫଳ ହୋଇ ପାରି ନଥିଲା।
ନାବାଳକ ଜଣଙ୍କ ପୁଲିସ୍କୁ ଆହୁରି କହିଛି ଯେ ସେ ଫେସବୁକରେ ବନ୍ଧୁକ ଧରି ଫଟୋ ପକାଇବା ପରେ ଅନେକ ଏହାକୁ ପସନ୍ଦ କରିଥିଲେ। ଏହାପରେ ସେ ଅନେକ ସମୟରେ ବନ୍ଧୁକ ଧରି ବୁଲାବୁଲି କରିଥିଲା। ହେଲେ କେବେ ହେଲେ ବନ୍ଧୁକ ଚଳାଇ ନଥିଲା। ପ୍ରଥମଥର ପାଇଁ ସେ ତା’ର ଜଣେ ସାଙ୍ଗ ଠାରୁ ବନ୍ଧୁକ ଆଣି ଗତକାଲି ଜାମିଆ ଛାତ୍ରଙ୍କ ଉପରେ ଗୁଳି ଚଳାଇଛି।
ପୁଲିସ ଏହି ଖବର ପାଇବା ପରେ ତା’କୁ ବନ୍ଧୁକ ଦେଇଥିବା ବନ୍ଧୁଙ୍କୁ ଖୋଜିବା ଆରମ୍ଭ କରିଛି। ସୂଚନାଯୋଗ୍ୟ ଚନ୍ଦନ ଗୁପ୍ତା ହେଉଛନ୍ତି କାସଗଞ୍ଜ ଅଞ୍ଚଳର। ୨୦୧୮ ସାଧାରଣତନ୍ତ୍ର ଦିବସରେ ଭିଏଚ୍ପି ଓ ଏବିଭିପି ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଏହି ରାଲି ଉପରକୁ ପଥର ମାଡ଼ ହୋଇଥିଲା। ଫଳରେ ଚନ୍ଦନ ଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁର ବଦଲା ନେବାକୁ ଜାମିଆ ଶୁଟର ଉଦ୍ୟମ କରିଥିଲା।
from Odisha Reporter https://ift.tt/31bHKJg
No comments:
Post a Comment