ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେଉଛି। ଏଥିପାଇଁ ଖଣ୍ଡଗିରି ପୀଠ ଚଳଚଞ୍ଚଳ ହୋଇଛି। କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ।
ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ନୂଆ ନୂଆ ନାଟକ ଭେଟି ଦେବେ। ଗତ ଥର ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିବାଦ ପରେ ଏଥର କିନ୍ତୁ ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି ମେଳା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ମେଳା ଅବଧି ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଗାଡ଼ି ପାର୍କିଂ ହୋଇପାରିବ ନାହିଁ। ଗାଡ଼ି ରଖିବାକୁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଖୋର୍ଦ୍ଧା ଓ କଟକ ମଧ୍ୟରେ ଭାରିଯାନ ଚଳାଚଳ ଉପରେ ମଧ୍ୟ କମିଶନରେଟ ପୁଲିସ କଟକଣା ଜାରି କରିଛି। ଖୋର୍ଦ୍ଧାରୁ କଟକ ଯାଉଥିବା ଭାରିଯାନ ପୀତାପଲ୍ଲୀରୁ ଚନ୍ଦକା ଦେଇ ବାଲିକୁଦା ଯିବ।
ସେହିପରି କଟକରୁ ଖୋର୍ଦ୍ଧା ଯାଉଥିବା ଭାରିଯାନ ବାଲିକୁଦା-ଚନ୍ଦକା ଦେଇ ପୀତାପଲ୍ଲୀରେ ବାହାରିବ। ଭାରିଯାନ କଟକଣା ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଲାଗୁ ହେବ। ଟ୍ରାଫିକ୍ ଆଡଭାଇଜରି ଫେବ୍ରୁଆରୀ ୧ରୁ ୧୬ ତାରିଖ ଯାଏ ବଳବତ୍ତର ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/3aZaObm
No comments:
Post a Comment