ଅଲାପୁଝା: କେରଳର ଅଲାପୁଝାରେ ଥିବା ମୁସଲିମ ସମୁଦାୟ ମସଜିଦ ପରିସରରେ ଏକ ହିନ୍ଦୁ ଝିଅର ବିବାହ କରାଇଛନ୍ତି। ରବିବାର ଅଲାପୁଝାରେ ଚେରୁବଲ୍ଲୀ ସ୍ଥିତ ଜୁମା ମସଜିଦରେ ଏହି ବିବାହ ହୋଇଛି। ମସଜିଦ ଭିତରେ ହିନ୍ଦୁ ରୀତିନୀତିରେ ହୋଇଥିବା ଏହି ବିବାହ ହୋଇଛି। ଯାହାକି ବିରଳ କହିଲେ ଅତ୍ୟୁକ୍ତି ହେବନି। ଏଭଳି ବିବାହ କରାଇ ଭାଇଚାରାର ବାର୍ତ୍ତା ଦେଇଛି ଜୁମା ମସଜିଦ।
ବିବାହ ଶେଷ ହେବା ପରେ ମସଜିଦ ପକ୍ଷରୁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ବିବାହ ଭୋଜିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମୁଦାୟ ସାମିଲ ହୋଇଥିଲେ। ଭୋଜି କିନ୍ତୁ ସମ୍ପୂର୍ଣ୍ଣ ନିରାମିଷ ଥିଲା। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମୁସଲିମ ସମାଜ ଦ୍ୱାରା ନିଆଯାଇଥିବା ଏଭଳି ପଦକ୍ଷେପକୁ ଭୂୟସି ପ୍ରଶଂସା କରିଛନ୍ତି।
ତେବେ ମସଜିଦରେ କାହିଁକି ହେଲା ହିନ୍ଦୁ ରୀତିନୀତିରେ ବିବାହ? କାରଣ ଅଞ୍ଜୁ (୨୨)ଙ୍କ ବାପାଙ୍କର ଦୁଇ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ମାଆ ଝିଅର ବିବାହ କେମିତି କରାଇବେ ସେ ଚିନ୍ତାରେ ଥିଲେ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ ଅଞ୍ଜୁକୁ ବିବାହ କରାଇବା ସମ୍ଭବ ନଥିଲା। ଏଥିପାଇଁ ବିନ୍ଦୁ ଝିଅର ବିବାହ ପାଇଁ ସ୍ଥାନୀୟ ଜୁମା ମସଜିଦକୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ଏହାପରେ ମସଜିଦ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବିନ୍ଦୁଙ୍କୁ ପ୍ରତିଶ୍ରୁତି ମିଳିଥିଲା।
ରବିବାର ହୋଇଥିବା ଏହି ବିବାହ ପାଇଁ ମସଜିଦ ପରିସରରେ ଫୁଲ ମାଳ ସାଙ୍ଗକୁ ବିବାହ ବେଦୀ ମଧ୍ୟ ସଜା ହୋଇଥିଲା। ଏମିତିକି ନିମନ୍ତ୍ରିତ ଅତିଥିଙ୍କୁ ବସାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ବିବାହ ବେଳେ ଚେରୁବଲ୍ଲୀ ଜମାତ କମିଟିର ସଚିବ ନୁଜୁମୁଦ୍ଦିନ ଅଲ୍ଲୁମୋଟିଲ କହିଛନ୍ତି, ବିବାହ ବେଳେ କମିଟି ପକ୍ଷରୁ ୧୦ ଭରି ସୁନା ଏବଂ ୨ ଲକ୍ଷ ଟଙ୍କା ଉପହାର ସ୍ୱରୂପ ଦିଆଯାଇଛି। କେରଳ ମୁଖ୍ୟମନ୍ତ୍ରୀ ଏଭଳି ବିବାହକୁ ଖୁବ ପ୍ରଂଶସା କରିଛନ୍ତି। ନିଜ ଫେସବୁକ ପେଜରେ ମୁସଲିମ ସମାଜ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।
ବିବାହ ପୂର୍ବରୁ ଅଞ୍ଜୁ ଏବଂ ଶରଦଙ୍କ ବିବାହର ନିମନ୍ତ୍ରଣ ପତ୍ର ଭାଇରାଲ ହୋଇଥିଲା। କାରଣ ଉଭୟ ହିନ୍ଦୁ ସମୁଦାୟର ହୋଇଥିବା ବେଳେ ସେମାନଙ୍କ ବିବାହ ବେଦିର ଠିକଣା ବା ମଣ୍ଡପ ଜୁମା ମସଜିଦ ଥିଲା। ଯାହାକୁ ସୋଶାଲ ମିଡିଆରେ ମଧ୍ୟ ଖୁବ ପ୍ରଶଂସା କରାଯାଇଛି।
from Odisha Reporter https://ift.tt/378RBBG
No comments:
Post a Comment