ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ‘ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। ହେଲେ ଆମ ରାଜ୍ୟରେ ଏମିତି ଅନେକ ଡାକ୍ତରଖାନା ଅଛି ଯେଉଁଠାରେ ଆଦୌ ଡାକ୍ତର ନାହାନ୍ତି। ସେହିସବୁ ଡାକ୍ତରଖାନାରେ ରୋଗୀମାନେ ମୂଳ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମିତି ଏକ ଡାକ୍ତରଖାନା ଅଛି ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତରେ।
୧୯୯୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉପରେ ବୌଦ୍ଧ ସଦର ବ୍ଲକର ୫ଟି ପଞ୍ଚାୟତ ନିର୍ଭର କରନ୍ତି। ୫ ବର୍ଷ ହେବ ଏଠାରେ ଡାକ୍ତର ନାହାନ୍ତି କି ଷ୍ଟାଫ୍ନର୍ସ ନାହାନ୍ତି। କେବଳ ଜଣେ ଫାର୍ମାସିଷ୍ଟ ଓ ଜଣେ ଏଏନଏମ କର୍ମଚାରୀରେ ଡାକ୍ତରଖାନା ଚାଲିଛି। ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱରୋଗୀ ଏଠାକୁ ଆସନ୍ତି। ଆଉ ସେମାନଙ୍କ ପାଇଁ ସାହା ଭରସା ହେଉଛନ୍ତି ଫାର୍ମାସିଷ୍ଟ ପ୍ରଭଞ୍ଜନ ଦାଶ । ରୋଗୀ ଦେଖାଠାରୁ ଆରମ୍ଭ କରି ଇଞ୍ଜେକ୍ସନ ଦେବା, ଡ୍ରେସିଂ କରିବା ଓ ଔଷଧ ଦେବା କାମ ସବୁ ନିଜେ କରନ୍ତି। ଏଏନଏମ ଦିଦି ମଧ୍ୟ ତାଙ୍କୁ ବିଭିନ୍ନ କାମରେ ସାହାଯ୍ୟ କରନ୍ତି।
ଆଉ କିଛି ଲୋକେ ଡାକ୍ତର ନ ଥିବାରୁ ଡାକ୍ତରଖାନା ଆସିନଥାନ୍ତି। ଦେହ ଖରାପ ହେଲେ ଗୁଣିଗାରେଡ଼ି ଦ୍ୱାରା ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରନ୍ତି। ଆଉ କିଛି ଲୋକ ଡାକ୍ତର ନଥିବାରୁ ୩୫ କିମି ଦୂରରେ ଥିବା ସୋନପୁର ଡାକ୍ତରଖାନାକୁ ଯାଇଥାନ୍ତି।
ଏହି ଡାକ୍ତରଖାନାରେ ଷ୍ଟାଫ ରହିବା ପାଇଁ ଆବଶ୍ୟକ ଷ୍ଟାଫ କ୍ୱାର୍ଟର ନଥିବା ଅଭିଯୋଗ ହୋଇଛି।
ଜଣେ ରୋଗୀଙ୍କ ସମ୍ପର୍କୀୟ ସୁରଜ ମାହାର କହିଛନ୍ତି, “ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ଡାକ୍ତରଖାନାରେ ଡାକ୍ତର ପାଇଁ ଆମେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ଆମ କଥା ଶୁଣୁ ନାହାନ୍ତି।”
ଶଗଡ଼ ଡାକ୍ତରଖାନା ଫାର୍ମାସିଷ୍ଟ ପ୍ରଭଞ୍ଜନ ଦାଶ କହିଛନ୍ତି,“ ଏହି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ମୁଁ ଆଉ ଜଣେ ଏଏନଏମ କର୍ମଚାରୀ ଅଛୁ। ମୋ ଦ୍ୱାରା ଯେତିକି ସମ୍ଭବ ହେଉଛି, ମୁଁ ଚିକିତ୍ସା କରୁଛି। ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁ ବହୁତ ରୋଗୀ ଏହି ଡାକ୍ତରଖାନାକୁ ଆସୁଛନ୍ତି। ହେଲେ ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀମାନେ ଠିକ୍ରେ ଚିକିତ୍ସା ପାଇ ପାଇପାରୁ ନାହାନ୍ତି।”
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷ୍ମୀଧର ସାହୁ କହିଛନ୍ତି, “ଡାକ୍ତର ପଦବୀ ପୂରଣ ପାଇଁ ଯୋଜନା ଚାଲିଛି। ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହେବ।”
ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହାର ବାସ୍ତବ ଚିତ୍ର ପୂରା ଅଲଗା।
from Odisha Reporter https://ift.tt/2uFUA6v
No comments:
Post a Comment