ଆନନ୍ଦପୁର(ମୁନା ସିଂହ): କଥାରେ ଅଛି, ‘ଚାଷ ଅଛି ଯାହାର କି ଆନନ୍ଦ ତାହାର’। ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଖାଲପାଳ ଗାଁର ଦୁଇ ଯୁବ ଚାଷୀ ତପନ ଓ ଗଗନ। ସେମାନେ ସମ୍ପର୍କରେ ଦୁଇ ଭାଇ। ଆଉ ଉଭୟ ଉଚ୍ଚ ଶିକ୍ଷିତ। ତେବେ ନିଜେ କିଛି କରିବା ସହିତ ଲୋକଙ୍କୁ ମଧ୍ୟ ରୋଜଗାର ଦେବା ନିଶା ସେମାନଙ୍କୁ ସଫଳ ଚାଷୀ ଭାବେ ପରିଚୟ ଦେଇଛି।
ଗାଁର ରତ୍ନାକର ଜେନାଙ୍କ ଦୁଇ ପୁଅ ହେଉଛନ୍ତି ତପନ ଓ ଗଗନ। ସେମାନଙ୍କ ବାପା ରତ୍ନାକର ମଧ୍ୟ ଜଣେ କ୍ଷୁଦ୍ର ଚାଷୀ। ସେ ଚାଷ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ତପନ ବିଏ ପାସ୍ କରିବା ପରେ ଚାକିରି ପାଇଁ ନ ଦୌଡ଼ି ବାପା ରତ୍ନାକରଙ୍କୁ ଚାଷ କାମରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ହେଲେ ତପନ ପାରମ୍ପରିକ ଚାଷ ପ୍ରଣାଳୀରୁ କିଛି ଭିନ୍ନ କରିବାକୁ ଇଚ୍ଛା କରିଥିଲେ। ସେ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତମାନର ଧାନ ବିହନ ଉତ୍ପାଦନ କରି ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲେ।
ଏନେଇ ଚାଷୀ ତପନ କୁମାର ଜେନା କହିଛନ୍ତି, “ଆମେ ପ୍ରଥମେ ବିଲରେ ଧାନ ଚାଷ କରୁଥିଲୁ। ହେଲେ ଖର୍ଚ୍ଚ ଅନୁସାରେ ସେହିପରି ଲାଭ ହେଉ ନଥିଲା। ତେଣୁ ଗୋଟିଏ ପ୍ରକାର ଚାଷ ନକରି ଗାଈ, ମାଛ ଓ ବତକ ଚାଷ କରିବାକୁ ଲାଗିଲୁ। ଏବେ ୧୦୦ ବତକ ଅଛନ୍ତି। ପ୍ରତିଦିନ ୩୦ରୁ ୪୦ଟି ଅଣ୍ଡା ବାହାରୁଛି। ଏଥିସହ ୭୦ଟି ଗାଈରୁ ୨୫୦ରୁ ୩୦୦ ଲିଟର କ୍ଷୀର ହେଉଛି। ମାସକୁ ଆମର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରୋଜଗାର ହେଉଛି। ବାହାରେ ଯାଇ ଦାଦନ ଖଟିବା ଅପେକ୍ଷା ନିଜସ୍ୱ କିଛି କାମ କଲେ ବେଶୀ ପଇସା ରୋଜଗାର କରିପାରିବା”
ସେହିପରି ତପନଙ୍କ ସାନ ଭାଇ ଗଗନ ମଧ୍ୟ ଏମ୍ବିଏ ପଢ଼ିବା ପରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଆଉ ମାସିକ ଷାଠିଏ ହଜାରରୁ ଅଧିକ ଟଙ୍କା ଦରମା ମଧ୍ୟ ପାଉଥିଲେ। ହେଲେ ସେ ବଡ଼ ଭାଇଙ୍କଠାରୁ ଚାଷ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହେବା ସହ ଉନ୍ନତ ମାନର ଚାଷ ପ୍ରଣାଳୀ ଓ ସବୁଜ କ୍ଷେତକୁ ଦେଖି ନିଜେ ଜଣେ ଚାଷୀ ହେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏବେ ଦୁଇ ଭାଇଙ୍କ ମିଳିତ ଉଦ୍ୟମରେ ନିଜସ୍ୱ ୧୫ ଏକର ଜମିରେ ଧାନ, ବାଦାମ, ହରଡ଼, କଦଳୀ, ପନିପରିବା, ଗାଈ, କୁକୁଡ଼ା, ବତକ ଓ ବାୟୋପ୍ଲଗ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି। ଆଉ ସେମାନଙ୍କ ଚାଷ କାମରେ ତାଙ୍କ ବାପା ମଧ୍ୟ ସାହାଯ୍ୟ ମଧ୍ୟ କରିଥାଆନ୍ତି।
ଚାଷୀ ଗଗନ ଜେନା କହିଛନ୍ତି, “ଜଣେ କେବଳ ପାଠ ପଢ଼ିଲେ ଚାକିରି କରିବା ଜରୁରୀ ନୁହେଁ। ଯାହାର ଯୋଗ୍ୟତା ଥିବ ସେ ବିଭିନ୍ନ ମାଧ୍ୟମରେ ରୋଜଗାର କରିପାରିବ। ଆମେ ଚାଷ କାମ କରି ୨୫ରୁ ୩୦ ଜଣ ପିଲାଙ୍କୁ ନିଯୁକ୍ତି ଦେଉଛୁ। ଚାଷ କରି ଆମେ ବେଶ୍ ଖୁସିରେ ଅଛୁ। ଏଥିସହ ଆତ୍ମନିର୍ଭରଶୀଳ ହୋଇ ପାରିଛୁ।”
ଏନେଇ ଗଗନଙ୍କ ଶିକ୍ଷକ ଶରତ ଚନ୍ଦ୍ର ଜେନା କହିଛନ୍ତି, “ଗଗନ ଜଣେ ଆଦର୍ଶ କୃଷକ ଭାବେ ପରିଗଣିତ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛୁ। ଗଗନକୁ ମୁଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇଛି। କୃଷକ ହେବାକୁ ହେଲେ ପାଠ ପଢ଼ିବା ନିତାନ୍ତ ଆବଶ୍ୟକ। ସେ ଚାକିରି କରିଥିଲା। ହେଲେ ତାର ଲକ୍ଷ୍ୟ ଥିଲା ଭଲ କୃଷକ ହେବ। ତେଣୁ ସେ ଚାକିରି ଛାଡ଼ି କୃଷି ପରେ ମନୋନିବେଶ କରି ଆମ ଅଞ୍ଚଳର ଜଣେ ଶ୍ରେଷ୍ଠ କୃଷକ ଭାବେ ପରିଗଣିତ ହୋଇଛି।”
ଆଜିର ଯୁବ ସମାଜ ଚାକିରି ପଛରେ ନଗୋଡ଼ାଇ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେଲେ ବେକାରୀ ସମସ୍ୟା ଦୂର ହୋଇ ପାରିବ।
from Odisha Reporter https://ift.tt/2RpuY5z
No comments:
Post a Comment