ମଦୁରାଇ: ତାମିଲନାଡୁର ତୁତିକରନର କୟାଲପଟିନମଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାନୁଆରୀ ୧୧ରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ଯେଉଁ ମାନଙ୍କର ଏଠାରେ ବ୍ୟାଙ୍କ ଆକାଉଣ୍ଟ ଅଛି ସେମାନଙ୍କ କେୱାଇସି ସହ ଏନପିଆର ତଥ୍ୟକୁ ଲିଙ୍କ କରିବାକୁ ପଡ଼ିବ। ତେବେ ଏହା ଫର୍ମରେ ଥିବା ଏକାଧିକ ବିକଳ୍ପ ମଧ୍ୟରୁ ଏହା ଅନ୍ୟତମ ଥିଲା। ଅର୍ଥାତ ଜଣେ ବ୍ୟକ୍ତି ଆଧାର, ପାନ ଭଳି ଏହାକୁ ଚାହିଁଲେ ଲିଙ୍କ କରିପାରିବେ।
ହେଲେ ଏହାକୁ ଅଧିକାଂଶ ଲୋକ ଭୁଲ ଭାବେ ବୁଝିଛନ୍ତି। ଏହି ଗାଁରେ ଅଧିକାଂଶ ମୁସଲିମ ଲୋକ ରହୁଥିବାରୁ ସେମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ ଭୟର ପ୍ରଚାର ଆରମ୍ଭ ହୋଇଥିଲା। ସରକାର ଏଠାକାର ଲୋକ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ ଦଣ୍ଡ ଦେବାକୁ ଏଭଳି କରିଛନ୍ତି ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା।
କାଳେ ସେମାନଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ସରକାର ଜବତ କରିନେବେ, ସେହି ଭୟରେ ଲୋକମାନେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବା ଆରମ୍ଭ କରିଛନ୍ତି। ବ୍ରାଞ୍ଚ ମ୍ୟାନେଜର ଏ ମରିପ୍ପାନ କହିଛନ୍ତି, “ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରୁ ଲୋକମାନେ ୬ କୋଟି ଟଙ୍କା ଉଠାଇ ସାରିଲେଣି। ସୋମବାର ସର୍ବାଧିକ ଉଠାଣ ହୋଇଥିଲା ଏବଂ ବ୍ୟାଙ୍କକୁ ଅଧିକାଂଶ ମହିଳା ଆସିଥିଲେ। ଏହି ମହିଳାମାନେ ଖୁବ କମ ସମୟରେ ଏଠାକୁ ଆସନ୍ତି। ହେଲେ ବିଜ୍ଞାପନ ପରେ ସେମାନେ ନିଜର ଟଙ୍କାକୁ ବ୍ୟାଙ୍କରୁ ଉଠାଇ ନେବା ଆରମ୍ଭ କରିଛନ୍ତି। ଗୁରୁବାର ଏହି ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଲୋକମାନେ ଉଠାଇଛନ୍ତି।”
ତୁତିକରନର ଉପକୂଳ ଅଞ୍ଚଳର ସହର ହେଉଛି କୟାଲପଟିନମ। ଏଠାରେ ପ୍ରାୟ ୧୦ ହଜାର ପରିବାର ରୁହନ୍ତି। ଏଠାକାର ଅଧିକାଂଶ ଲୋକ ବାହାରେ ରହି କାମ କରନ୍ତି ଏବଂ ବ୍ୟାଙ୍କରେ ସେମାନଙ୍କର ଏନଆରଆଇ ଆକାଉଣ୍ଟ ରହିଛି। ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରଚାର କରାଯାଇଥିଲେ ହେଁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିନାହିଁ।
ଶାବନା ନାମକ ଜଣେ ମହିଳା କହିଛନ୍ତି, “ଆମକୁ କୁହାଯାଇଛି ଯେ ଏହି ନୋଟିସ୍ ଆମକୁ ଦଣ୍ଡ ଦେବା ପାଇଁ ଅଣାଯାଇଛି। କାରଣ ଆମେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିଲୁ। ଆମ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ନୁହେଁ ବୋଲି ଭାବି ଆମେ ଏହାକୁ ଉଠାଇବାକୁ ଆସିଛୁ। ମୋ ସ୍ୱାମୀ ଗଲ୍ଫ ଦେଶରେ କାମ କରୁଛନ୍ତି। ସେ ଏଠାରେ ଥିବା ଆକାଉଣ୍ଟକୁ ଟଙ୍କା ପଠାଇ ଥାଆନ୍ତି।”
ଏବେ ବ୍ୟାଙ୍କରେ ଭିଡ଼ ଜମୁ ଥିବାରୁ କର୍ତ୍ତୃପକ୍ଷ ନିକଟସ୍ଥ ଶାଖାରୁ ଅଧିକ କର୍ମଚାରୀ ମଗାଇଛନ୍ତି। ସେହିପରି ଏଠାରେ କୌଣସି ଥାନା ନାହିଁ। ତେଣୁ ପଡ଼ୋଶୀ ସହରରୁ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏଠାକୁ ଆଣିଛନ୍ତି।
from Odisha Reporter https://ift.tt/38EaVY3
No comments:
Post a Comment