କେନ୍ଦୁଝର (ପ୍ରଣୟ ପାଣି): ଆଜି ସାରା ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି। ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଧୂମ୍ଧାମ୍ରେ ପାଳିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଭଳି କେନ୍ଦୁଝରରେ ବି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ହେଲେ ଏଠାକୁ ମୁଖ୍ୟ ଅତିଥି ହୋଇ ଆସିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଜୋତା’ ବିବାଦରେ ଫସି ଯାଇଛନ୍ତି।
ଶ୍ରୀ ବେହେରା ଆଜି ଏଠାରେ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପତାକା ଉତ୍ତୋଳନ କରିବା ପାଇଁ ସେ ଜୋତା ଖୋଲି ଦେଇଥିଲେ। ପତାକା ଉତ୍ତୋଳନ ପରେ ଜଣେ ବ୍ୟକ୍ତି ତାଙ୍କ ଜୋତା ନେଇ ଷ୍ଟେଜ୍ ଉପରକୁ ଆସିଥିଲେ ଓ ତାଙ୍କ ପାଦ ପାଖରେ ରଖି ଦେଇଥିଲେ। ତା’ପରେ ମନ୍ତ୍ରୀ ଜୋତା ପିନ୍ଧିଥିଲେ। ଏହି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ଅନେକ ଲୋକ ଏହାକ ନାପସନ୍ଦ କରିଥିଲେ। ତେବେ ଜୋତା ବୁହାଇବା ଘଟଣାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ।
ସେ କହିଛନ୍ତି, “କେହି ଚପଲ ଉଠାଇ ନାହାନ୍ତି। ଚପଲ ପିନ୍ଧି ଜାତୀୟ ପତାକା ଉତ୍ତୋଳନ କରିବା ଆଦୌ ଶୋଭନୀୟ ନୁହେଁ। ତେଣୁ ପତାକାକୁ ସମ୍ମାନ ଦେବା ପାଇଁ ଚପଲ ରଖି ଥିଲି। ନିଜ ଯାଇ ପିନ୍ଧିଲି।”
ସୂଚନାଯୋଗ୍ୟ, ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ମଧ୍ୟ ଏଭଳି ବିବାଦରେ ଫସିଥିଲେ।
from Odisha Reporter https://ift.tt/2uAhz2w
No comments:
Post a Comment