ନାହିଁ ନାହିଁରେ ଚାଲିଛି ପାଠପଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

ନାହିଁ ନାହିଁରେ ଚାଲିଛି ପାଠପଢ଼ା

ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ସେଲେଡ଼ିରେ ରହିଛି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୬୨ ଜଣ ଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ଜଣ ଛାତ୍ରୀ ସ୍କୁଲ୍‌ ହଷ୍ଟେଲରେ ରହନ୍ତି। ତେବେ ଏହି ସ୍କୁଲ୍‌ ଓ ହଷ୍ଟେଲ୍‌ରେ ଅନେକ ସମସ୍ୟା ରହିଛି।

ହଷ୍ଟେଲ୍‌ର ସମ୍ମୁଖ ଭାଗରେ ପାଚେରି ରହିଛି, ହେଲେ ପଛ ପାଖ ମୁକୁଳା ହୋଇ ପଡ଼ିଛି। ଫଳରେ ସନ୍ଧ୍ୟା ହେଲେ ଏହା ମଦୁଆମାନଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ଏହା ଦ୍ୱାରା ଛାତ୍ରୀମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି।

ସ୍କୁଲ୍‌ ସହିତ ହଷ୍ଟେଲ ଛାତ୍ରୀଙ୍କ ସୁବିଧା ପାଇଁ ଗୋଟିଏ ସୋଲାର ପମ୍ପ ଓ ପାଣି ଟାଙ୍କି କରାଯାଇଛି। କିନ୍ତୁ ପାଣି ଉଠୁନି। ଫଳରେ ସୋଲାର ପମ୍ପ ଓ ପାଣି ଟାଙ୍କି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ବିଦ୍ୟାଳୟ ପରିସରରେ ଦୁଇଟି ନଳକୂପ ଅଛି। କିନ୍ତୁ ସେଗୁଡ଼ିକ ବି ଅଚଳ ହୋଇ ପଡ଼ି ରହିଛି। ଫଳରେ ଛାତ୍ରୀମାନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନେ ଗାଧୋଇବା ପାଇଁ ମଧ୍ୟ ଭାରି ହଇରାଣ ହେଉଛନ୍ତି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୧୦ ବର୍ଷ ହେଲାଣି ସ୍କୁଲ୍‌ରେ ଏହି ସମସ୍ୟା ଲାଗି ରହିଛି।

ଏନେଇ ସ୍କୁଲର ଜଣେ ଛାତ୍ରୀ ଲିଜା କଳିତା କହିଛନ୍ତି, “ଆମ ମାଆ-ବାପା ଏହି ହଷ୍ଟେଲରେ ରଖି ଆମକୁ ପାଠ ପଢ଼ାଉଛନ୍ତି। ଏଠି ସବୁ ପ୍ରକାର ଅସୁବିଧା ରହିଛି। ସରକାର ଏ ଦିଗରେ ଦୃଷ୍ଟି ପକାଇ ସମସ୍ୟାର ସମାଧାନ କଲେ ଭଲ ହୁଅନ୍ତା। ଉଚିତ୍ ବ୍ୟବସ୍ଥା କଲେ ଆମେ ଭଲ ଭାବେ ପଢ଼ି ଭଲ ନାଗରିକ ହୋଇ ପାରିବୁ।“

ପାଣି ସହିତ ସ୍କୁଲ୍‌ରେ ଆହୁରି ଅନେକ ସମସ୍ୟା ରହିଛି। ସ୍କୁଲର ଦୁଇଟି କ୍ଲାସ୍‌ ରୁମ୍‌ର ଆଜବେଷ୍ଟ ଭାଙ୍ଗି ଆଁ କରିଥିବା ବେଳେ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏହାସହ  କବାଟ ଓ ଝରକାରେ ଉଇ ମାଡ଼ି ଯାଇଛି। ତେଣୁ ଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବସି ପାଠପଢ଼ୁଛନ୍ତି। କିନ୍ତୁ ବର୍ଷା ହେଲେ ଭାରି ହଇରାଣ ହେଉଛନ୍ତି। ନା କ୍ଲାସ୍‌ ରୁମ୍‌ରେ ବସି ପାରୁଛନ୍ତି ନା ବରଣ୍ଡାରେ। ସେହିପରି ସ୍କୁଲରେ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି।

ସ୍କୁଲ୍‌ର ପ୍ରଧାନ ଶିକ୍ଷୟତ୍ରୀ ଟିକେନନୀ କୁମ୍ଭାର କହିଛନ୍ତି, “ଆମ ହଷ୍ଟେଲ ଚାରିପଟେ ପାଚେରି ନାହିଁ। ଫଳରେ ଛାତ୍ରୀମାନେ ବାଡ଼ ବାହାରକୁ ପଳାଇ ଯାଉଛନ୍ତି। ପାଚେରି ତିଆରି କରାଗଲେ ହଷ୍ଟେଲରେ ରହୁଥିବା ଝିଅମାନେ ସୁରକ୍ଷିତ ରହିପାରିବେ। ସ୍କୁଲରେ ନୂଳକୂପ ଅଛି। ହେଲେ ସେଥିରୁ ପାଣି ବାହାରୁନି।  ଏ ସବୁ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ, ହେଲେ କେହି ଶୁଣୁ ନାହାନ୍ତି। ସେମାନେ ପାଣିର ସୁବିଧା କରୁ ନାହାନ୍ତି। ସ୍କୁଲ୍‌ ଓ ହଷ୍ଟେଲ ଛାତ୍ରୀମାନଙ୍କୁ ପାଣି କିଣି ଯୋଗାଇ ଦିଆଯାଉଛି। ଗୋଟିଏ ପାଣି ଭାରକୁ ୧୦ ଟଙ୍କା ଦେଇ କିଣା ଯାଉଛି। ସ୍କୁଲ୍ ଓ ହଷ୍ଟେଲର ସମସ୍ୟା ନେଇ ବିଇଓ, ବିଡିଓ, ଡିପିସି ସମସ୍ତେ ଜାଣିଛନ୍ତି।”

ସ୍କୁଲ୍‌ ଓ ହଷ୍ଟେଲ୍‌ର ସମସ୍ୟା ନେଇ ଜିଲ୍ଲାପାଳ ଏବଂ ସିନିୟର ଇଞ୍ଜିନିୟରଙ୍କୁ ଅବଗତ କରାଯାଇଥିବା ବିନିକା ବ୍ଲକ୍‌ ଶିକ୍ଷା ଅଧିକାରୀ ଶଶିଭୁଷଣ ସେଠୀ କହିଛନ୍ତି।

ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ରାଜନୀତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଉଦାସୀନତା ଯୋଗୁ ଅନେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଉନ୍ନତ ଭିତ୍ତିଭୂମି ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହା ସେଲେଡ଼ି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ କ୍ଷେତ୍ରରେ ଦେଖାଯାଇଛି। ୧୦ ବର୍ଷ ହେଲାଣି ସମସ୍ୟା ମଧ୍ୟରେ ଥିବା ଏହି ସ୍କୁଲ୍‌ର ଭିତ୍ତିଭୂମି ସଜାଡ଼ିବାକୁ ସରକାର ଆହୁରି କେତେ ସମୟ ନେଉଛନ୍ତି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2RLkbCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages