ଗୁଣପୁର(ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ୧୯୮୯ ମସିହାରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଲା। ଏହାପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଯେ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ହେବେ। ଆଉ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ। ହେଲେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି, ଏଯାଏ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇପାରି ନାହାନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ପାଇବାରୁ ରୋଗୀମାନେ ବଞ୍ଚିତ ହେଉଛନ୍ତି। ଏଠାରେ ବିଶେଷଜ୍ଞ ଡାକ୍ତର ସମେତ ୧୮ ଜଣ ଡାକ୍ତର ରହିବା କଥା, କିନ୍ତୁ ଏବେ ଅଛନ୍ତି ୩ ଜଣ ଡାକ୍ତର। ତେବେ ଆବଶ୍ୟକ ଡାକ୍ତର ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଏନେଇ ରୋଗୀଙ୍କ ସମ୍ପର୍କୀୟ ଇଚ୍ଛାବତୀ ପାଣି କହିଛନ୍ତି, “ଏଠି ଡାକ୍ତରମାନେ କେହି ରହୁ ନାହାନ୍ତି। ଛୋଟ ଛୁଆଙ୍କୁ ଦେଖିବାକୁ ଡାକ୍ତର ନାହାନ୍ତି କି ବଡ଼ ଲୋକଙ୍କୁ ଦେଖିବା ପାଇଁ ମଧ୍ୟ ଡାକ୍ତର ନାହାନ୍ତି। ରୋଗୀଙ୍କୁ ରାୟଗଡ଼ା, ବ୍ରହ୍ମପୁର କିମ୍ୱା କଟକ ନେଇ ଯିବାକୁ କହୁଛନ୍ତି। ଆମେ ଗରିବ ଲୋକ କେମିତି ନେବୁ। ଏହି ଡାକ୍ତରଖାନା ପାଖରେ ଥିବାରୁ ଆମେ ଏଠାକୁ ଆସୁଛୁ।”
ଏହି ଡାକ୍ତରଖାନା ଉପରେ ଗୁଡାରୀ, ରାମନାଗୁଡ଼ା, ଚନ୍ଦ୍ରପୁର, ପଦ୍ମପୁର ଓ ଗୁଣପୁର ବ୍ଲକ୍ର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ନିର୍ଭର କରିଥାଆନ୍ତି। ହେଲେ ବିଶେଷଜ୍ଞ ସମେତ ଆବଶ୍ୟକ ଡାକ୍ତର ନଥିବାରୁ ବିଭିନ୍ନ ସମୟରେ ରୋଗୀ ଆନ୍ଧ୍ର ପ୍ରଦେଶ ଯାଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି।
ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସର ରତିକାନ୍ତ ସାହୁ କହିଛନ୍ତି,“ ଏହି ଡାକ୍ତରଖାନାରେ ୧୮ ଜଣ ଡାକ୍ତରଙ୍କ ପୋଷ୍ଟ ଅଛି। ଆମେ ୫ ଜଣ ଡାକ୍ତର ପୋଷ୍ଟିଂ ହେଉଛୁ। ସେଥିମଧ୍ୟରୁ ଜଣେ ଡାକ୍ତର ତିନି ମାସିଆ ସିଡିଏମ୍ଓ ଟ୍ରେନିଂରେ ଯାଇଛନ୍ତି। ଆଉ ଜଣେ ଡାକ୍ତର ଡେପୁଟେସନ୍ରେ ମୁନିଗୁଡ଼ା ଯାଇଛନ୍ତି। ଏବେ ଆଉ ୩ ଜଣ ଷ୍ଟାଫ୍ ଅଛନ୍ତି। ଯେହେତୁ ଡାକ୍ତର ଅଭାବ ରହିଛି ଆମେ ଯେତିକି ପାରୁଛୁ କରୁଛୁ।”
ସ୍ୱେଚ୍ଛାସେବୀ ଅକ୍ଷୟ କୁମାର ଦାସ କହିଛନ୍ତି, “୧୯୮୯ ମସିହାରେ ଏହି ଡାକ୍ତରଖାନା ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଲା। ଆରମ୍ଭରୁ ଡାକ୍ତରଖାନାରେ ବେଡ୍ ସଂଖ୍ୟା ୨୦ ଥିଲା। ଏବେ ୭୦ଟି ବେଡ୍ ରହିଛି। ହେଲେ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଏଠି ଆବଶ୍ୟକୀୟ ଡାକ୍ତର ନାହାନ୍ତି। ଏହି ଡାକ୍ତରଖାନାକୁ ଆଖପାଖ ବହୁ ଅଞ୍ଚଳର ଅନେକ ରୋଗୀ ନିର୍ଭର କରିଥାନ୍ତି। ବର୍ତ୍ତମାନ ୧୮ ଜଣ ଡାକ୍ତର ରହିବା କଥା। ହେଲେ ମାତ୍ର ୫ ଜଣ ଡାକ୍ତର ଅଛନ୍ତି। ସେଥିମଧ୍ୟରୁ ୨ ଜଣ ଡାକ୍ତର ଛୁଟିରେ। ହଜାର ହଜାର ରୋଗୀ ଓପିଡିକୁ ଆସୁଛନ୍ତି। କିଭଳି ରୋଗୀ ସେବା ଚାଲିଛି ଭାବନ୍ତୁ। ଏନେଇ ଲୋକେ ମନ୍ତ୍ରୀ, ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଗୁହାରି କରିଛନ୍ତି। ହେଲେ କିଛି ସଫଳ ହୋଇ ନାହିଁ। ଆଗାମୀ ଦିନରେ ଡାକ୍ତରୀ ପଦବୀ ପୂରଣ ନହେଲେ ବଡ଼ ଆନ୍ଦୋଳନକୁ ଏଡାଇ ଦିଆଯାଇ ନପାରେ। ମୋର ଅନୁରୋଧ ସରକାର ଖୁବଶୀଘ୍ର ଡାକ୍ତର ପଦବୀ ପୂରଣ କରନ୍ତୁ।”
ତେବେ ସାମୟିକ ବ୍ୟବସ୍ଥା କିଛି କରିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିବା ଗୁଣପୁର ଉପଜିଲ୍ଲାପାଳ ବି.ଏସ୍.ବଳିରାମ କହିଛନ୍ତି।
ଦଶନ୍ଧି ଦଶନ୍ଧି ଧରି ଡାକ୍ତରଖାନାରେ ଏହି ସମସ୍ୟା ଲାଗି ରହିଛି। ହେଲେ ସମାଧାନ ହୋଇ ପାରୁ ନାହିଁ। କେବେ ଡାକ୍ତର ପଦବୀ ପୂରଣ ହେବ ଆଉ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରିବେ ତାକୁ ହିଁ ଅପେକ୍ଷା।
from Odisha Reporter https://ift.tt/2TThVw2
No comments:
Post a Comment