ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କଲେ; ମିଳୁନି ବୋନସ୍‌ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କଲେ; ମିଳୁନି ବୋନସ୍‌ ଟଙ୍କା

ବିନିକା(ଦିଲୀପ ସାହୁ): ଗରିବ ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛନ୍ତି। ଏଥିପାଇଁ ପ୍ରତି ହିତାଧିକାରୀଙ୍କୁ ସରକାର ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏଥିସହ ଘର କାମ ନିର୍ଦ୍ଧାରିତ ସମୟ ଆଗରୁ ଶେଷ କଲେ ହିତାଧିକାରୀଙ୍କୁ ବୋନସ୍‌ ଟଙ୍କା ଦେବାର ସୁବିଧା ମଧ୍ୟ ରହିଛି। ୪ ମାସ ଭିତରେ ଘର କାମ ଶେଷ କଲେ ୨୦ ହଜାର ଓ ୬ ମାସ ଭିତରେ ଶେଷ କଲେ ୧୦ ହଜାର ବୋନସ୍‌ ଟଙ୍କା ମିଳିବ। ତେଣୁ ନିର୍ଦ୍ଧାରିତ ସମୟ ଆଗରୁ ହିତାଧିକାରୀ ଘର ତିଆରି କାମ ଶେଷ କରିଛନ୍ତି। ହେଲେ ସେମାନଙ୍କୁ ବୋନସ ଟଙ୍କା ମିଳୁନାହିଁ। ବୋନସ୍‌ ଟଙ୍କା ପାଇଁ ବାରମ୍ୱାର ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କଲେ ବି କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅଞ୍ଚଳରେ।

ଚରଦା ପଞ୍ଚାୟତର ଫୁଲମୁଠୀ ଗାଁର ଜୀବରଧନ ଦାସ। ସେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କର ପକ୍କା ଘରଟିଏ ନଥିଲା। ତେଣୁ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କରିଥିଲେ। ୨୦୧୮/୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ କାର୍ଯ୍ୟାଦେଶ ପାଇଲେ। ବୋନସ ଟଙ୍କା ମିଳିବା ଆଶା ନେଇ ସେ ତିନି ମାସ ଭିତରେ ଘର ତିଆରି କାମ ସମ୍ପୂର୍ଣ୍ଣ କଲେ। ହେଲେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ  ତାଙ୍କୁ ଏପର୍ଯ୍ୟନ୍ତ ବୋନସ ଟଙ୍କା ମିଳି ନାହିଁ।

ଏନେଇ ଫୁଲମୁଠୀ ଗାଁର ହିତାଧିକାରୀ ଜୀବରଧନ ଦାସ କହିଛନ୍ତି, “ବୋନସ୍‌ ଟଙ୍କା ମିଳିବା ଆଶାରେ ପିଲା ଛୁଆ ମିଶି ଆମେ ତିନି ମାସ ତିନି ଦିନରେ ଘର କାମ ଶେଷ କରିଛୁ। ଦେଢ଼ ବର୍ଷ ହେବ ଅତି କମ୍‌ରେ ମୁଁ ୫୦ ଥର ବିଡିଓଙ୍କୁ ଭେଟିଛି। ବିଡିଓ ତାରିଖ ଗଡ଼ାଇ ଚାଲିଛନ୍ତି। ଏହାପରେ ମୁଁ ଦୁଇ ଥର ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରିଛି।  ଖୁବଶୀଘ୍ର ଟଙ୍କା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନାହିଁ।”

ସେହିପରି ବିନିକା ବ୍ଲକ ଶଙ୍କରା ପଞ୍ଚାୟତର କୌଡିଆମୁଣ୍ଡା ଗାଁର ପ୍ରମୋଦ ନାଏକ। ଘର ଖଣ୍ଡେ ପାଇଁ ସରକାରୀ ବାବୁଙ୍କ ପାଖରେ ଦଉଡ଼ି ଦଉଡ଼ି ଚପଲ ଘୋରି ହେବା ପରେ ୨୦୧୯/୨୦ ଆର୍ଥିକ ବର୍ଷରେ ଘର ପାଇଲେ। ବୋନସ ଟଙ୍କା ପାଇବା ଆଶାରେ ସେ ବି ଗୋଟିଏ ମାସ ଭିତରେ ଘର ତିଆରି କାମ ସମ୍ପୂର୍ଣ୍ଣ କଲେ। ହେଲେ ପ୍ରମୋଦଙ୍କୁ ମଧ୍ୟ ବୋନସ ଟଙ୍କା ମିଳି ନାହିଁ। ସେହି ଗାଁର ପ୍ରସନ୍ନ ନାଏକ  ୨୦୧୯/୨୦ ଆର୍ଥିକ ବର୍ଷରେ ଘର ପାଇଲେ। ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କଲେ। ୪ ମାସ ହେଲାଣି ସେ ନୂଆ ଘରେ ରହୁଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ  ଶେଷ କିସ୍ତି, ବୋନସ କିମ୍ୱା ଶ୍ରମିକ ମଜୁରୀ ମିଳିନାହିଁ।

କୌଡିଆମୁଣ୍ଡା ହିତାଧିକାରୀ ପ୍ରମୋଦ ନାଏକ କହିଛନ୍ତି, “ମାସେ ମଧ୍ୟରେ ମୁଁ ଘର ତିଆରି କରିଛି, କିନ୍ତୁ ବୋନସ୍‌ ଟଙ୍କା ମିଳିପାରି ନାହିଁ। ନୂଆ ଘରେ ପ୍ରାୟ ୫ ମାସ ହେଲାଣି ରହିଲୁଣି। ଜିଲ୍ଲାପାଳ, ସରପଞ୍ଚଙ୍କୁ ଏନେଇ ଅଭିଯୋଗ କରିଛି।”

କୌଡିଆମୁଣ୍ଡା ହିତାଧିକାରୀ ପ୍ରସନ୍ନ ନାଏକ କହିଛନ୍ତି, “୨୮ ଦିନ ଭିତରେ ଘର ତିଆରି କରିଛି। ବୋନସ୍ ଟଙ୍କା ମିଳି ନାହିଁ। ୪ ମାସ ଭିତରେ ଘର ତିଆରି କଲେ ବୋନସ୍‌ ଟଙ୍କା ଓ ଲାଷ୍ଟ ବିଲ୍ ପାଇବ ବୋଲି କୁହାଯାଇଥିଲା। ହେଲେ ଲାଷ୍ଟ ବିଲ୍‌ ମିଳିଲାନି କି ବୋନସ୍ ଟଙ୍କା ମଧ୍ୟ ମିଳି ନାହିଁ।”

ସୁବର୍ଣ୍ଣପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି, “ଯେଉଁ ହିତାଧିକାରୀ ବୋନସ୍‌ ଟଙ୍କା ପାଇଁ ଯୋଗ୍ୟ, ସେମିତି କେସ୍‌ ଦୃଷ୍ଟଗୋଚର ହେଲେ ବିଡିଓ ତଦନ୍ତ କରି ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଟଙ୍କା ଦେଉଛନ୍ତି। ଯଦି କେହି ହିତାଧିକାରୀ ରହି ଯାଇଛନ୍ତି ଆମେ ବିନିକା ବିଡିଓଙ୍କୁ ନିର୍ଦ୍ଦେଶ ଦେବୁ ତଦନ୍ତ କରିବେ। ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

କେଉଁଠି ହିତାଧିକାରୀ ବିଳମ୍ୱରେ ଘର କାମ ସାରୁ ଥିବାରୁ ବିଡିଓ  ହିତାଧିକାରୀଙ୍କ ଘର ସାମ୍ନାରେ ଧାରଣାରେ ବସୁଛନ୍ତି। ହେଲେ ଏଠି  ନିର୍ଦ୍ଧାରିତ ସମୟ ଆଗରୁ ହିତାଧିକାରୀ ସେମାନଙ୍କ ଘର କାମ ଶେଷ କରି ମଧ୍ୟ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳିପାରୁ ନାହିଁ।



from Odisha Reporter https://ift.tt/38IaNXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages