ଶ୍ରୀନଗର: ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍ପି ଦବିନ୍ଦର ସିଂହଙ୍କ ଗୁମର ଫିଟିବାରେ ଲାଗିଛି। ସେ ଆତଙ୍କବାଦୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ନେଇ ସେମାନଙ୍କୁ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ପଠାଇବାକୁ ଡିଲ କରିଥିଲେ ବୋଲି ଜଣାପଡ଼ିଛି।
ଆଇଜି(କଶ୍ମୀର) ବିଜୟ କୁମାର କହିଛନ୍ତି ଯେ ଶନିବାର ଗିରଫ ଦବିନ୍ଦରଙ୍କୁ ଜେରା କରାଯାଉଛି। ଜେରା ବେଳେ ସେ ନିଜ ଭୁଲ ସ୍ୱୀକାର କରିଛନ୍ତି। ସେ ୧୨ ଲକ୍ଷ ଟଙ୍କା ନେଇ ପ୍ରଥମେ ଆତଙ୍କବାଦୀଙ୍କୁ ଜମ୍ମୁରୁ ଚଣ୍ଡିଗଡ଼ ଓ ପରେ ସେମାନେ ଦିଲ୍ଲୀ ଯିବାର ଥିଲା।
ଗୁଇନ୍ଦା ତଥ୍ୟ ଅନୁଯାୟୀ, ଏହି ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୋମବାର ଦବିନ୍ଦରଙ୍କୁ ନିଲମ୍ବିତ କରାଯାଇଛି ଓ ସେ ପାଇଥିବା ସମସ୍ତ ପୁରସ୍କାରକୁ ଫେରାଇ ନିଆଯାଇଛି। ଅଧିକ ଖୋଳତାଡ଼ ପାଇଁ ଏବେ ଦବିନ୍ଦରଙ୍କୁ ଆଇବି, ସେନାର ଗୁଇନ୍ଦା ବିଭାଗ, ର ଓ ଜମ୍ମୁ-କଶ୍ମୀର ପୁଲିସ ପର୍ଯ୍ୟାୟକ୍ରମେ ଜେରା କରିବାରେ ଲାଗିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କେନ୍ଦ୍ର ସରକାର ଏନଆଇଏକୁ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗିରଫ ଆତଙ୍କବାଦୀଙ୍କ ପ୍ରକୃତ ଟାର୍ଗେଟ କ’ଣ ଥିଲା, ତା’ର ତଦନ୍ତ ଏନଆଇଏ କରିବ। ସେହିପରି ଦବିନ୍ଦର ପ୍ରଥମଥର ପାଇଁ ଏଭଳି ଆତଙ୍କବାଦୀଙ୍କୁ ସହଯୋଗ କରିଥିଲେ ନା ପୂର୍ବରୁ ମଧ୍ୟ ତାଙ୍କର ଆତଙ୍କୀ ଲିଙ୍କ ଥିଲା ତା’ର ମଧ୍ୟ ଏନଆଇଏ ଖୋଳତାଡ଼ କରିବ।
ଦବିନ୍ଦର ୩ ଜଣ ଆତଙ୍କବାଦୀଙ୍କୁ ଏସ୍କର୍ଟ କରି ଦକ୍ଷିଣ କଶ୍ମୀରର ସୋପିଆନରୁ ତାଙ୍କ ଘରକୁ ଆଣିଥିଲେ। ସେମାନେ ରାତି ତମାମ ତାଙ୍କରି ଘରେ ରହିଥିଲେ। ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍ ନଭଦୀପ ବାବୁ ସମେତ ତା’ର ଦୁଇ ସହଯୋଗୀ ଇରଫାନ ଓ ରଫି ରହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦବିନ୍ଦରଙ୍କ ଘର ଆର୍ମିର ୧୫ କ୍ରପ୍ସ ମୁଖ୍ୟାଳୟ ନିକଟରେ। ଆତଙ୍କବାଦୀମାନେ ରାତି ତମାମ ସେହି ଘରେ ରହିଥିଲେ। ଶନିବାର ସକାଳେ ସେମାନେ ଜମ୍ମୁ ଯାଇଥାଆନ୍ତେ ଓ ସେଠାରୁ ଦିଲ୍ଲୀ ଆସିଥାଆନ୍ତେ।
ଶନିବାର ସକାଳ ୧୦ରେ ଦବିନ୍ଦର ଆତଙ୍କୀଙ୍କ ସହ ଘର ଛାଡ଼ିଥିଲେ। ସମସ୍ତେ ଶ୍ରୀନଗର ଠାରୁ ୬୦ କିମି ଦୂରରେ ଥିବା ବେଳେ ପୁଲିସ୍ ତାଙ୍କ କାରକୁ ଅଟକାଇଥିଲା। ଏହାପରେ ଦବିନ୍ଦରଙ୍କ ସହ ୩ ଆତଙ୍କୀଙ୍କୁ ଗିରଫ କରିଥିଲା।
from Odisha Reporter https://ift.tt/2u0neyx
No comments:
Post a Comment