ଶିଓଲ: ଚୀନରୁ ବ୍ୟାପିଥିବା ଘାତକ କରୋନା ଭାଇରସ ଏବେ କୋରିଆରେ ପହଞ୍ଚିଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆରେ ୫୫୬ ଜଣ ଏହି ଘାତକ ଭାଇରସର ସଂକ୍ରମଣର ଶିକାର ହୋଇଥିବା ସୂଚନା ରହିଛି। ରବିବାର ସାଉଥ କୋରିଆ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦକ୍ଷିଣ କୋରିଆରେ ଏହି ଭାଇରସ ବ୍ୟାପିବା ନେଇ ଗୋଟିଏ ଚର୍ଚ୍ଚ ଏବଂ ସ୍ଥାନୀୟ ହସ୍ପିଟାଲକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ଚୁଙ୍ଗ ସାଇ କ୍ୟୁନ୍।
କୋରିଆ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି, ଦେଶର ଚତୁର୍ଥ ବଡ଼ ସହର ଭାବେ ପରିଚିତ ଡେଗୁ ଏବଂ ଆଖାପାଖରେ ୧୨୦ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି। ହେଲେ ୧୧୩ ଜଣ ଚିକିତ୍ସାଧୀନ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ଡେଗୁରେ ଥିବା ଶିନଚୋନଜି ଚର୍ଚ୍ଚର ଏକ ଶାଖା ସହିତ ଜଡ଼ିତ। ଦେଶରେ ଭାଇରସ ବ୍ୟାପିବା ପଛରେ ଏହି ଚର୍ଚ୍ଚକୁ ଦାୟୀ କରାଯାଇଛି। ଏଯାବତ ଦକ୍ଷିଣ କୋରିଆରେ ୫୫୬ ନୂଆ ମାମଲା ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ଚୁଙ୍ଗ ସାଇ କ୍ୟୁନ୍ ରବିବାର ରାତିରେ କରୋନାକୁ ନେଇ ମନ୍ତବ୍ୟ ରଖିଛନ୍ତି। ଏହି କରୋନା ଭାଇରସ ଏବେ ଅତି ଗମ୍ଭୀର ଶ୍ରେଣୀରେ ରହିଛି। ତେଣୁ ଦକ୍ଷିଣ କୋରିଆର ବିଭିନ୍ନ ପ୍ରାନ୍ତରେ ଏହା ବ୍ୟାପିବାରେ ଲାଗିଛି। ଭାଇରସ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଏହା ପୂର୍ବରୁ ଇସ୍ରାଏଲକୁ ଦକ୍ଷିଣ କୋରିଆ କହିଥିଲା, ଚଳିତ ମାସରେ ଇସ୍ରାଏଲ ଏବଂ ଓ୍ୱେଷ୍ଟ ବ୍ୟାଙ୍କ ମଧ୍ୟରେ ଗସ୍ତ କରିଥିବା ୯ ଜଣ ସଦସ୍ୟ କରୋନା ଭାଇରସରେ ଆକ୍ରାନ୍ତ।
ସୂଚନାଯୋଗ୍ୟ, ଏହି କରୋନା ଭାଇରସ ଏବେ ବିଭିନ୍ନ ଦେଶକୁ ବ୍ୟାପିଛି। ଚୀନରେ ଏହି ଘାତକ ଭାଇରସ ଦ୍ୱାରା ୭୬, ୨୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨,୩୪୫ରେ ପହଞ୍ଚିଛି। ସେହିପରି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାରରେ ପହଞ୍ଚିଛି। ଜାପାନରେ ୭୩୯ ଜଣ ଏହି ଭାଇରସର ଶିକାର ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦକ୍ଷିଣ କୋରିଆରେ ୫୫୬ ଜଣ ଶିକାର ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ଏହାବାଦ ସିଙ୍ଗାପୁରରେ ୮୬ଟି ଓ ଆମେରିକାରେ ୩୫ଟି ମାମଲା ସାମ୍ନାକୁ ଆସିଛି। ଆମେରିକାରେ କିନ୍ତୁ ଜଣେ ଚୀନ ନାଗରିକଙ୍କ ଏହି ଭାଇରସରେ ମୃତ୍ୟୁ ଘଟିଛି। ଏହାବାଦ ଭାରତ, ଥାଇଲ୍ୟାଣ୍ଡ, ତାଇଓ୍ୱାନ, ଅଷ୍ଟ୍ରେଲିଆ, ମାଲେଶିଆ, ଇରାନ, ଭିଏତନାମା, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ଆଉ କିଛି ଦେଶରେ ମଧ୍ୟ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।
from Odisha Reporter https://ift.tt/2v7Elzz
No comments:
Post a Comment