ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶୁଣାଣି ବେଳେ କୋର୍ଟ ହିଂସାକାଣ୍ଡରେ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସହଯୋଗ ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ମୁରଲୀଧରଙ୍କ ବାସଭବନରେ ହିଁ ମାମଲାର ଶୁଣାଣି ମଧ୍ୟରାତ୍ରରେ ହୋଇଛି। ଆଇନଜୀବୀ ସୁରୁର ମାଣ୍ଡେର ହିଂସାରେ ଆହତ ଲୋକଙ୍କୁ ତୁରନ୍ତ ମେଡିକାଲ ସୁବିଧା ଓ ଚିକତ୍ସା ଯୋଗାଇ ଦେବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଜରୁରୀ ଶୁଣାଣି ପାଇଁ ରିଟ୍ ପିଟିସନ ଦାଖଲ କରିଥିଲେ।
ଏହାପରେ ମଧ୍ୟରାତ୍ରରେ ଜଷ୍ଟିସ ମୁରଲୀଧର ଓ ଜଷ୍ଟିସ ଅନୂପ ଜେ ବାହାମବାହାନିଙ୍କ ଖଣ୍ଡପୀଠ ମାମଲା ଶୁଣାଣି ଆରମ୍ଭ କରିଥିଲେ। ଶୁଣାଣି ବେଳେ ଖଣ୍ଡପୀଠ ଦିଲ୍ଲୀ ପୁଲିସ୍କୁ ସମସ୍ତ ସମ୍ବଳ ଲଗାଇ ଲୋକଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଆହତଙ୍କୁ ତୁରନ୍ତ ଭଲ ଚିକତ୍ସା କେମିତି ମିଳି ପାରିବ, ତା’ର ବ୍ୟବସ୍ଥା କରିବାକୁ କହିଛନ୍ତି।
ଏଥିସହ ସମସ୍ତ ଆହତଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିସ୍ତୃତ ସୂଚନାରେ ଲୋକମାନେ କେମିତି ଆହତ ହେଲେ, ଅବସ୍ଥା କେତେ ଗୁରୁତର ଓ ସେମାନଙ୍କୁ କେମିତି ଚିକିତ୍ସା ମିଳୁଛି ତା’ର ତଥ୍ୟ ରହିବ।
କୋର୍ଟ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଆହତଙ୍କ ଜୀବନ ରକ୍ଷା ସମସ୍ତଙ୍କ ପ୍ରଥମ କାମ ହେବା ଦରକାର। ଜିବିଟି ହସ୍ପିଟାଲ, ଏଲଏନଜେପି ହସ୍ପିଟାଲ, ମୌଲାନା ଆଜାଦ କିମ୍ବା ଅନ୍ୟ ଯେକୌଣସି ହସ୍ପିଟାଲରେ ଥିବା ଲୋକଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଉଚିତ। କୋର୍ଟ ଆଜି ପୁଣିଥରେ ଅପରାହ୍ଣ ୨.୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି। ମେଡିକାଲ ସୁପରିନଟେଡଣ୍ଟ ମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପହଞ୍ଚାଇ ଦେବାକୁ କୋର୍ଟ ଦିଲ୍ଲୀ ପୁଲିସକୁ କହିଛନ୍ତି।
from Odisha Reporter https://ift.tt/2T0uk0j
No comments:
Post a Comment