ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ତୀବ୍ର ହେବାରେ ଲାଗିଛି। ଆଜି ଏହି ହିଂସାକାଣ୍ଡରେ ପୁଣି ୫ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ସୋମବାର ଠାରୁ ସୃଷ୍ଟି ହୋଇଥିବା ହିଂସାଜନିତ ମୃତ୍ୟୁସଂଖ୍ୟା ୧୮ରେ ପହଞ୍ଚିଛି।
ଏବେ ବି ପ୍ରାୟ ୨୦୦ ଜଣ ଲୋକ ସଂଘର୍ଷରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଲୋକଙ୍କ ଦେହରେ ଗୁଳିମାଡ଼ର ଦାଗ ରହିଛି।
ଅନ୍ୟପକ୍ଷରେ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲଗାଇଥିଲେ ହେଁ ଆଜି ସକାଳୁ ଗୋକୁଲପୁରୀରେ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆସି ଏହି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଗାଡ଼ି ମଟର ମଧ୍ୟ ପୋଡ଼ି ଦେଇଛନ୍ତି। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ସ୍ଥିତି ପୁଣିଥରେ ସାଂଘାତିକ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶହଦାରା ଠାରେ ଥିବା ଗୁରୁ ତେଗ ବାହାଦୂର(ଜିବିଟି) ହସ୍ପିଟାଲକୁ ଆଉ ୫ଟି ମୃତଦେହ ଅଣାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରୁ ଜିବିଟି ହସ୍ପିଟାଲକୁ ଅଣାଯାଇଥିବା କୁହାଯାଇଥିଲା। ଫଳରେ ମୃତ୍ୟୁସଂଖ୍ୟା ୧୭ ଛୁଇଁଥିଲା। ହେଲେ ଏହାର କିଛି ମିନିଟ୍ ପରେ ଆଉ ଜଣଙ୍କ ମୃତଦେହ ହସ୍ପିଟାଲରେ ପହଞ୍ଚିଥିଲା।
ଜିବିଟି ମେଡିକାଲ ସୁପରିନଟେଣ୍ଡେଣ୍ଟ ସୁନୀଲ କୁମାର କହିଛନ୍ତି, ଆହତ ହୋଇ ଚିକିତ୍ସିତ ହେଉଥିବା ୫୦%ରୁ ଅଧିକ ଲୋକଙ୍କ ଦେହରେ ଗୁଳିମାଡ଼ର ଚିହ୍ନ ରହିଛି।
ସ୍ଥିତିକୁ ଦେଖି ଆଜି ମଧ୍ୟ ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦ ବାଗ, ଭଜନପୁରା, ଗୋକୁଲପୁରୀ, ମୌଜପୁରୀ, କରଦମପୁର ଓ ଜାଫରବାଦରେ କଟକଣା ଜାରି ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ସହ ଦିଲ୍ଲୀ ପୁଲିସର ଯବାନମାନଙ୍କୁ ଅଧିକ ସଂଖ୍ୟାରେ ମୁତୟନ କରାଯାଇଛି।
ଗତକାଲି ଦିଲ୍ଲୀ ପୁଲିସ୍ ପକ୍ଷରୁ ଶୁଟ ଆଟ ସାଇଟ୍ ନିର୍ଦ୍ଦେଶ ଦିଆଯାଇଥିଲା। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ କୁହାଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହେଲେ ଏଭଳି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନଥିବା ଉତ୍ତରପୂର୍ବ ଦିଲ୍ଲୀର ଡେପୁଟି କମିଶନର ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି।
from Odisha Reporter https://ift.tt/2uu3gNl
No comments:
Post a Comment