ଉମରକୋଟ (କାର୍ତ୍ତିକ ମଲ୍ଲିକ): ଶ୍ରମିକ ସାଜିଲେ ବିଡିଓ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ସେ ଶ୍ରମିକ ସାଜିଥିଲେ। ଆଉ ହାତରେ କୋଦାଳ ଧରି ସିମେଣ୍ଟ୍ ମସଲା ଗୋଳାଇବା ସହିତ କାନ୍ଧରେ ମେଟାଲ ବୋହିଥିଲେ। ଗତକାଲି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜମାଦାରପଡା ପଞ୍ଚାୟତର ପିପଲପଡ଼ା ଗାଁରେ।
ସୂଚନା ଅନୁସାରେ, ପିପଲପଡ଼ା ଗାଁର ମକର ସୋରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଘର ପାଇଥିଲେ। ତାଙ୍କ ଘରର କାନ୍ଥ ଉଠି ଯାଇଥିଲା। କିନ୍ତୁ ଛାତ ପଡ଼ି ପାରି ନଥିଲା। ତେଣୁ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଵ୍ଲକ ଏବଂ ପଞ୍ଚାୟତ ତରଫରୁ ତାଙ୍କୁ ବାରମ୍ବାର କୁହାଯାଇଥିଲା। ହେଲେ ସେ ମିସ୍ତ୍ରୀ ଓ ମୂଲିଆ ମିଳୁ ନଥିବା କହି ଘର କାର୍ଯ୍ୟ ସଂପୂର୍ଣ୍ଣ କରୁ ନଥିଲେ। ତେବେ କଡ଼ା ତାଗିଦ୍ ପରେ ସେ ଗତକାଲି ଠାରୁ ପୁଣି କାମ ଆରମ୍ଭ କରିଛନ୍ତି। ଆଉ ତାଙ୍କ ପ୍ରୋତ୍ସାହିତ କରିବା ପାଇଁ ଗତକାଲି ବିଡିଓ ଧର୍ମରାଜ ମାଝୀ ପିପଳପଡ଼ା ଗାଁକୁ ଯାଇ ପିଇଓ ଲଛମନ ନିଆଲ ଏବଂ ଯୋଗାଣ ସହାୟକଙ୍କ ସହିତ ଶ୍ରମିକଙ୍କ ପରି କାମ କରିଥିଲେ। ପ୍ରାୟ ଘଣ୍ଟାଏ ଧରି ସେ ସେଠାରେ କାମ କରିଥିଲେ।
ତେବେ ବିଡିଓ ଗତକାଲି ପିପଲପଡ଼ା ଗାଁ ସହିତ ବ୍ଲକ୍ର ଆଉ କିଛି ଅଞ୍ଚଳକୁ ବି ଯାଇଥିଲେ। ସେ ସବୁଠି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ତଦାରଖ କରିଥିଲେ। ଏଥିସହ କିଛି ସ୍ଥାନରେ ଲୋକଙ୍କ ସହ ମିଶି ଏମିତି ମୂଲିଆ ଭାବେ କାର୍ଯ୍ୟ କରିଥିଲେ। କେଉଁଠି ହାତରେ କୋଦାଳ ଧରି ତ କେଉଁଠି କାନ୍ଧରେ ଚିପ୍ସ ବୋହି ଲୋକଙ୍କୁ ଉତ୍ସାହିତ କରିଥିଲେ। ଗୋଟିଏ ଜାଗାରେ ରାସ୍ତା କାମରେ ବି ଶ୍ରମିକ ଭାବେ ନିଜର ସହଯୋଗ ଦେଇଥିଲେ।
ବିଡିଓଙ୍କ ଏତାଦୃଶ୍ୟ କାର୍ଯ୍ୟ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଲୋକେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏଭଳି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସରକାରୀ ଯୋଜନାକୁ ତ୍ୱରାନ୍ୱିତ କରିବାର ଆଗ୍ରହ ପ୍ରକାଶ ପାଇବ ବୋଲି ବିଡିଓ ମତ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/397EJwJ
No comments:
Post a Comment