ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ଗାୟତ୍ରୀ ବିହାର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଯାଇଥିବା ତିନି ଜଣ ଛାତ୍ରୀଙ୍କୁ ଏକ ମନ୍ଦିର ନିକଟରୁ ପୁଲିସ୍ ଆଜି ଉଦ୍ଧାର କରିଛି। ସେମାନଙ୍କୁ ଥାନାରେ ରଖି ପୁଲିସ୍ ପଚରାଉଚରା କରୁଛି। ଏହାସହ ସେମାନଙ୍କ ବାପାମା’ଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରାଯାଉଛି।
ସୂଚନା ଅନୁସାୟୀ, ଗତକାଲି ଗାୟତ୍ରୀ ବିହାର ଅଞ୍ଚଳର ବିକାଶ ଦାସ (ଛଦ୍ମନାମ)ଙ୍କ ଦୁଇ ଝିଅ ଓ ଆକାଶ ଛନ୍ଛନ୍ (ଛଦ୍ମନାମ)ଙ୍କ ଝିଅ ସ୍କୁଲ୍ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ସ୍କୁଲ ନ ଯାଇ ସେମାନେ କୁଆଡ଼େ ନିଖୋଜ ହୋଇଯାଇଥିଲେ। ସ୍କୁଲ୍ ଛୁଟି ହେବା ପରେ ପିଲାମାନେ ଘରକୁ ନ ଆସିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନଙ୍କ ସାଙ୍ଗସାଥୀଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ସବୁଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ପରିବାର ଲୋକେ ଗତକାଲି ରାତିରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ। ଆଉ ଆଜି ପୁଲିସ୍ ସେମାନଙ୍କୁ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଥିଲା। ତେବେ ସେମାନେ କୁଆଡ଼େ ଯାଇଥିଲେ, ସେ ସମ୍ପର୍କରେ ତଥ୍ୟ ମିଳି ନାହିଁ।
ଏ ସଂପର୍କରେ ଉକ୍ତ ଛାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କ ବାପା କହିଛନ୍ତି, “ସ୍କୁଲ ଯାଉଛୁ କହି ତିନି ଜଣ ଯାକ ଘରୁ ଯାଇଥିଲେ। ସ୍କୁଲ ଛୁଟି ହେବା ପରେ ସେମାନେ ଘରକୁ ଫେରି ନଥିଲେ। ଆମେ ବହୁତ ଖୋଜାଖୋଜି କରିବା ପରେ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲୁ। ଆଜି ସକାଳେ ପୁଲିସ୍ ଆମ ଝିଅମାନଙ୍କୁ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଛି।”
from Odisha Reporter https://ift.tt/38NSSij
No comments:
Post a Comment