ଝାରସୁଗୁଡ଼ା (ଭାଗିରଥୀ ସାହୁ): ଡବଲ୍ ମର୍ଡର ମାମଲାରେ ଗିରଫ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୁଲିସ୍ ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ତାଙ୍କୁ ପୁଲିସ୍ କୌଣସି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। ଅନ୍ୟପକ୍ଷରେ ବର୍ଦ୍ଧନ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ଏହି ମାମଲାରେ ବୁଧବାର ରାତିରେ ଛତିଶଗଡ଼ର ରାଇଗଡ଼ ପୁଲିସ୍ ତାଙ୍କୁ ଉଠାଇ ନେଇଥିବା ବେଳେ ଗୁରୁବାର ଗିରଫ କରିଥିଲା। ତାଙ୍କୁ କାଲି ଗଣମାଧ୍ୟମ ସମ୍ମୁଖକୁ ଅଣାଯିବା ସହିତ ସେ ହିଁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ରାଇଗଡ଼ ଏସ୍ପି ସନ୍ତୋଷ ସିଂହ କହିଥିଲେ। ତା’ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେ ଏବେ ଜେଲ୍ରେ ଅଛନ୍ତି। ପଚରାଉଚରା ବେଳେ ଅନୁପ ଦୋଷ ସ୍ୱୀକାର କରିଥିବା ଏସ୍ପି କହିଥିଲେ।
ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ଲୁହା ରଡ୍ରେ ପିଟି ହତ୍ୟା ପରେ ଗାଡ଼ି ଚଢ଼ାଯାଇଥିବା ସେମାନଙ୍କୁ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ସେମାନଙ୍କୁ ଚିହ୍ନଟ କରିବାକୁ ରାଇଗଡ଼ ପୁଲିସ୍କୁ ଏକ ବର୍ଷ ଲାଗିଯାଇଥିଲା। ଏହା ପରେ ମୋବାଇଲ କଲ୍ ରେକର୍ଡ ଯାଞ୍ଚ ପରେ ଏଥିରେ ଅନୁପଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଶେଷରେ ଠୋସ୍ ପ୍ରମାଣ ମିଳିଲା ପରେ ତାଙ୍କୁ ଗୁରୁବାର ଗିରଫ କରାଯାଇଥିଲା।
ସ୍ୱାମୀଙ୍କ ସହିତ ଡିଭୋର୍ସ ହେବା ପରେ କଳ୍ପନା ଝିଅକୁ ଧରି ଅନୁପଙ୍କ ସହିତ ରହୁଥିଲେ। ସେମାନେ ପ୍ରାୟ ୫ ବର୍ଷ ଏକାଠି ରହିଥିଲେ। ଅନୁପ ତାଙ୍କୁ ପ୍ରଥମେ କଟକରେ ଓ ପରେ ଭୁବନେଶ୍ୱରର ସୁନ୍ଦରପଦାରେ ଏକ ଫ୍ଲାଟ୍ରେ ରଖିଥିଲେ। ତେବେ କଳ୍ପନା ବାହା ହେବାକୁ ଜିଦ୍ ଧରିବାରୁ ଅନୁପ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲେ। ଏଥିରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାମିଲ କରିଥିଲେ। ତେବେ ଏ ଦୁଇ ଜଣଙ୍କ ବ୍ୟତୀତ ଏହି ଡବଲ୍ ମର୍ଡର ଘଟଣାର ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ତା’ ଉପରେ ବି ପୁଲିସ୍ର ଅନୁସନ୍ଧାନ ଜାରି ରହିଛି।
from Odisha Reporter https://ift.tt/2HqlhPA
No comments:
Post a Comment