ଶ୍ରୀମନ୍ଦିରର ଶ୍ରୀବୃଦ୍ଧି: ବୟସ୍କ ଭକ୍ତଙ୍କ ଦୁର୍ଦ୍ଦଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ଶ୍ରୀମନ୍ଦିରର ଶ୍ରୀବୃଦ୍ଧି: ବୟସ୍କ ଭକ୍ତଙ୍କ ଦୁର୍ଦ୍ଦଶା

  • ରୁଦ୍ର ପ୍ରସନ୍ନ ରଥ

ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ବିକାଶ କାର୍ଯ୍ୟ ଏବେ ଜୋରସୋରରେ ଚାଲୁଛି। ମନ୍ଦିର ଚାରିପଟେ ଥିବା ସ୍ଥାନକୁ ଖାଲି କରାଯାଇଛି। ବଡ଼ ଦାଣ୍ଡ ଏବେ ନୂଆ କରି ଝଲସୁଛି। ଜଗନ୍ନାଥଙ୍କର ନବକଳେବର ସରିଥିବା ବେଳେ ପୁରୀର ନବକଳେବର ଆରମ୍ଭ ହୋଇଛି ବୋଲି କୁହାଯାଇପାରିବ। ରାଜ୍ୟ ସରକାର ଅବଢ଼ା ଯୋଜନାରେ ଏଥିପାଇଁ ୩୨୦୮ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବାବେଳେ ୨୦୨୦-୨୧ ବଜେଟ୍‌ରେ ଏଥିପାଇଁ ୬୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦିଆଯାଉଛି ବୋଲି କୁହାଯାଉଛି। ବହୁଥାକିଆ ରାସ୍ତା, ବହୁତଳିଆ ପାର୍କିଂ ବ୍ୟବସ୍ଥା, ମଠ ଆଉ ହ୍ରଦ ଗୁଡ଼ିକର ବିକାଶ ଆଦି ଏଥିରେ ସାମିଲ ଅଛି। ଏହି ଯୋଜନା ଗୁଡ଼ିକଥରେ ଲାଗୁ ହୋଇଗଲେ ପୁରୀ ସହରର ରୂପରେଖ ବାସ୍ତବିକ୍ ବଦଳି ଯିବ ବୋଲି ଲାଗୁଛି ଏବଂ ଖୁବ୍ କିଛିଦିନ ମଧ୍ୟରେ ଏହା ସବୁ ସୁବିଧା ଥିବା ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିବ ବୋଲି ଲାଗୁଛି।

ଏହି ସବୁ ଯୋଜନା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ବର୍ଷ ଲାଗିଯିବ ବୋଲି ଲାଗୁଛି। ସେ ଭିତରେ ଏବେ ପୁରୀରେ ଭକ୍ତମାନଙ୍କ ପାଇଁ ଅନେକ ଅସ୍ଥାୟୀ ପଦକ୍ଷେପ ନିଆଯାଇଛି। ତେବେ ଏସବୁ ମଧ୍ୟରୁ ଅନେକ ସମସ୍ତଙ୍କ ପାଇଁ ବୋଲି ଲାଗୁନାହିଁ। ଉଦାହରଣ ସ୍ୱରୂପ ଏବେ ପୁରୀର ବଡଦାଣ୍ଡରୁ ମନ୍ଦିର ମଧ୍ୟରେ ଏକ କିଲୋମିଟର ପୂର୍ବରୁ ଛୋଟ ଗାଡ଼ି ଚାଳନା ବନ୍ଦ କରିଦିଆଯାଇଛି। ବହୁ ପୂର୍ବରୁ ବାରିକେଡ୍ କରାଯାଇ ଲୋକଙ୍କୁ ଏକ ସୁରକ୍ଷା ବଳୟ ଦେଇ ଯିବାକୁ ହେଉଛି। ତେବେ ପ୍ରବଳ ଭିଡ଼ଯୋଗୁ ଲୋକଙ୍କୁ ପାଖାପାଖି ପାଞ୍ଚଶହ ମିଟରରୁ ଅଧିକ ବାଟ ଏକ ସୁରକ୍ଷା ବଳୟ ମଧ୍ୟରେ ଠିଆ ହେବାକୁ ପଡୁଛି। ମେଟାଲ ଡିଟେକ୍ଟର ଦେଇ ଯିବାକୁ ହେଉଛି। ଏହି ମେଟାଲ ଡିକେକ୍ଟର ମଧ୍ୟରୁ ଅନେକ କାମ କରୁନାହିଁ। ପୁଣି ଏକାଥରକେ ଏତେ ଲୋକଙ୍କୁ ସୁରକ୍ଷାବଳୟ ଦେଇ ଯାଞ୍ଚ କରି ଆଗକୁ ଛାଡିବା ମଧ୍ୟ ବେଶ୍ ସମୟ ସାପେକ୍ଷ। ଏଣୁ ଏଠାରେ ସୁରକ୍ଷା ଯାଞ୍ଚ ହେଉନାହିଁ ମାତ୍ର ଏହା ଗହଳିକୁ ବଢାଉଛି। ଆଉ ଏହା ଯୋଗୁ ବୟସ୍କଭକ୍ତମାନଙ୍କୁ ବେଶ୍ କଷ୍ଟ କରିବାକୁ ହେଉଛି। ଦୀର୍ଘ ସମୟ ଭିଡ଼ରେ ଲାଇନ୍‌ରେ ଠିଆ ହେବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ। ପୁଣି ହ୍ୱିଲ୍ ଚେୟାରରେ ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ବର୍ତ୍ତମାନ ବ୍ୟବସ୍ଥା ଆହୁରି ଭୀତିପ୍ରଦ। ବିଭିନ୍ନ କାରଣରୁ ଜଗନ୍ନାଥ ମନ୍ଦିରଭିତରକୁ ଯାଇପାରୁନଥିବା ବ୍ୟକ୍ତି ବିଶେଷ ଅରୁଣସ୍ତମ୍ଭ ପାଖରୁ ମୁଣ୍ଡିଆ ମାରି ଜଗନ୍ନାଥ ଦର୍ଶନର ଯେଉଁ ବିରଳ ଅନୁଭବ ପାଉଥିଲେ, ତାହା ଏବେ ସମ୍ଭବ ହେଉନାହିଁ। ବରିଷ୍ଠମାନଙ୍କ ପାଇଁ ଏହି ବ୍ୟବସ୍ଥା ଯମ ଯନ୍ତ୍ରଣା ପରି ହେଉଛି।

ପୁଣି ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଭକ୍ତମାନଙ୍କୁ ଚପଲକୁ ମନ୍ଦିରଠାରୁ ବେଶ୍ ଦୂରରେ ରଖିବାକୁ ପଡୁଛି। ଏହା ଯୋଗୁ ଭକ୍ତମାନଙ୍କୁ ଦୀର୍ଘସମୟ ଧରି ଖାଲିପାଦରେ ଖରାରେ ଚାଲିବାକୁ ପଡୁଛି। ମନ୍ଦିରରୁ ଦର୍ଶନ କରି ଫେରିବା କିମ୍ୱା ଯିବା ବେଳେ ତାତିଥିବା ପିଚୁ ଉପରେ ଦୀର୍ଘ ସମୟ ଧରି ଚାଲିବାକୁ ପଡୁଛି ଏବଂ ଏହା ଯୋଗୁ ବୟସ୍କ ଭକ୍ତମାନେ ବେଶ୍ ହଟହଟା ହେଉଛନ୍ତି। ନରେନ୍ଦ୍ର ପୋଖରୀ ପାଖରେ ଗାଡ଼ି ରଖିଲା ପରେ ଶୌଚାଳୟ ଯିବା ପାଇଁ ଆଉ ବ୍ୟବସ୍ଥା ନାହିଁ। ଏହା ଯୋଗୁ ବହୁମୂତ୍ର ରୋଗୀମାନେ ଅନେକ ହଇରାଣ ହେଉଛନ୍ତି। ଦୀର୍ଘ ସମୟ ଧରି ଠିଆ ହେବା, ଅପେକ୍ଷା କରିବା ଆଦି କାରଣ ପାଇଁ କ୍ଲାନ୍ତ ହୋଇପଡୁଥିବା ବୟସ୍କ ଲୋକମାନେ ପରିସ୍ରା ଯିବାକୁ ବାଟ ପାଉନାହାନ୍ତି। ବୋଧହୁଏ ନରେନ୍ଦ୍ର ପୋଖରୀ ପାଖରେ ଅସ୍ଥାୟୀ ଶୌଚାଳୟ ତିଆରି କରିବା ସହ ଦିବ୍ୟାଙ୍ଗ ଭକ୍ତ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଭିନ୍ନ ଧାଡି କରିବା ଏ ସମସ୍ୟାର ସାମାନ୍ୟ ସମାଧାନ କରିପାରିବ।

ଏତେ ସବୁ ବ୍ୟବସ୍ଥା ଭିତରେ ଯାହା ବେଶୀ ଯନ୍ତ୍ରଣା ଦାୟକ ତାହା ହେଉଛି ଦିଅଁକୁ ଦର୍ଶନ କରିବା ବାହାରେ ଅଧିକ ଭକ୍ତଙ୍କୁ ଲମ୍ୱା ସମୟ ଧରି ଧାଡ଼ିରେ ବାନ୍ଧି ରଖାଯାଉଥିଲେ ବି ଭିତରକୁ ଏକାଥରକେ ଅନେକ ଲୋକଙ୍କୁ ଛାଡ଼ି ଦିଆଯାଉଛି। ଯାହାଫଳରେ ଭିତରେ ଦଳାଚକଟା ହେବାର ପରିସ୍ଥିତି ସୃଷ୍ଟି ହେଉଛି। ବହୁଟଙ୍କା ଖର୍ଚ୍ଚ କରି, ବହୁ ଶ୍ରମ କରି ଦୀର୍ଘ ବାଟ ଆସିଥିବା ବରିଷ୍ଠ ଲୋକମାନେ ଠାକୁରଙ୍କୁ ଠିକ୍‌ରେ ଦର୍ଶନ କରି ନପାରିବାଟା ହିଁ ବେଶ୍ ବାଧୁଛି। ଏଥିରେ ପରିବର୍ତ୍ତନ ଆଣିବା ଏବେ ଅବଶ୍ୟମ୍ଭାବୀ ହୋଇପଡିଛି। ଯଦି ଲୋକ ପୁରୀରେ ଜଗନ୍ନାଥଙ୍କୁ ଦେଖିବା ପାଇଁ ଆସିବେ ଆଉ ଠାକୁରଙ୍କୁ ହିଁ ଦେଖିପାରିବ ନାହିଁ, ତାହା ହେଲେ ପୁରୀ ଆସିବ କାହିଁକି? ପୁରୀର ଏତେ ସୁବିଧାରେ କାହାର ଲାଭ ହେବ।

ଯେଯାଏ ପୁରୀରେ ବଡ଼ ଧରଣର ପରିବର୍ତ୍ତନ ନ ଆସିଛି ସେତେଯାଏ ବର୍ତ୍ତମାନର ବ୍ୟବସ୍ଥାକୁ ସର୍ବଜନାଦୃତ କରିବା ବେଶ୍ ଆବଶ୍ୟକ ହୋଇପଡ଼ିଛି। ନରେନ୍ଦ୍ର ପୋଖରୀ ଏବଂ ଜଗନ୍ନାଥ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରିବା ସହ ସୁରକ୍ଷା ପାଇଁ ଯାଞ୍ଚ ବ୍ୟବସ୍ଥା ପାଖରେ ପାନୀୟଜଳର ବ୍ୟବସ୍ଥା କରାଯାଉ। ଶ୍ରୀ ମନ୍ଦିର ମଧ୍ୟରେ ଠାକୁରଙ୍କୁ ଦେଖିବାପାଇଁ ଭିଡ଼ର ପରିଚାଳନା କରାଯାଉ। ସମୟ ମଧ୍ୟରେ ଯେମିତି ସମସ୍ତେ ସୁରୁଖୁରୁରେ ଠାକୁରଙ୍କୁ ଦେଖିପାରିବେ, ତାହା ଚିନ୍ତା କରିବା ଦରକାର। ଯେଯାଏ ଏହି ବ୍ୟବସ୍ଥା ଶିଶୁ, ମହିଳା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କର ସୁବିଧା ପାଇଁ ଉତ୍ସଗୀର୍କୃତ ନହୋଇଛି, ସେଯାଏ ଏହି ବ୍ୟବସ୍ଥାର କିଛିମାନେ ନାହିଁ। ସରକାର ଏଦିଗରେ ଗୁରୁତରସହ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଯାଜପୁର ରୋଡ
ମୋ:୭୯୭୮୬୭୧୭୭୬



from Odisha Reporter https://ift.tt/2we745M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages