ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ବେଡ଼ାପଦର ଗାଁରେ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ହେଲେ ଗାଁରେ ପାଣି ସମସ୍ୟା ରହିଛି। ଗାଁ ଲୋକଙ୍କ ପାଇଁ ତିନୋଟି ନଳକୂପ ରହିଛି। ତା’ ସହିତ ଗୋଟିଏ ପୋଖରୀ ବି ଅଛି। ହେଲେ ଦୁଇଟି ନୂଳକୂପରୁ ଆବଶ୍ୟକତା ଅନୁସାରେ ପାଣି ବାହାରୁ ନାହିଁ। ଗୋଟିଏ ନଳକୂପରୁ ଭଲ ପାଣି ବାହାରୁ ଥିଲା। କିନ୍ତୁ କିଛି ଦିନ ହେବ ତାହା ତାହା ଅଚଳ ହୋଇପଡ଼ିଛି। ଫଳରେ ଲୋକେ ଏବେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ତିନି ବର୍ଷ ହେବ ଗାଁରେ ଥିବା ପୋଖରୀ ପଙ୍କରେ ଭର୍ତ୍ତି ହୋଇ ରହିଥିଲା। ଏହି ପାଣି ବ୍ୟବହାର କରି ଲୋକେ କାଛୁ କୁଣ୍ଡିଆ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲା। ପୋଖରୀରୁ ପଙ୍କ ବାହାର କରିବା ପାଇଁ ଗାଁ ଲୋକେ ବାରମ୍ୱାର ପ୍ରଶାସନକୁ ଜଣାଇଥିଲେ। ହେଲେ କେହି କର୍ଣ୍ଣପାତ କରି ନଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ସେମାନେ ନିଜ ଉଦ୍ୟମରେ ପୋଖରୀରୁ ପଙ୍କ ବାହାର କରିଛନ୍ତି।
ପଦ୍ମନ ଗୌଡ଼ କହିଛନ୍ତି, “ଭଲ ପାଣି ବାହାରୁଥିବା ନଳକୂପଟି ଅଚଳ ହୋଇଯିବାରୁ ପାଣି ସମସ୍ୟା ହେଲା। ଗାଧୋଇବା ପାଇଁ ଲୋକେ ଅସୁବିଧାରେ ପଡ଼ିଲେ। ଏଣେ ଖରା ଦିନ ଆସିଗଲାଣି। ଏଣୁ ଆମେ ଗାଁ ଲୋକ ମିଶି ପୋଖରୀରୁ ପଙ୍କ ବାହାର କଲୁ। ପୋଖରୀରୁ ପଙ୍କ କାଢ଼ିବା ନେଇ ସରପଞ୍ଚକୁ ଜଣାଇଥିଲୁ। ସେ କିଛି ବୁଝିଲେ ନାହିଁ। ବିଡିଓଙ୍କୁ ବି ଲେଖିକି ଦେଉଥିଲୁ। ଏଥିସହ ବିଧାୟକଙ୍କୁ ମଧ୍ୟ ଜଣାଇଥିଲୁ। ହେଲେ କେହି ଣୁଣି ନଥିଲେ।”
ସେହିପରି ଗାଁର ନିଲା ଗଣ୍ଡା କହିଛନ୍ତି, “ଗାଁରେ ଥିବା ପୋଖରୀ ପାଣି ଦୂଷିତ ହୋଇ ଯାଇଥିଲା। ଏହି ପାଣି ବ୍ୟବହାର କରି ଲୋକେ ରୋଗରେ ପଡୁଥିଲେ। ତେଣୁ ଗାଁର ଯୁବକମାନେ ପୋଖରୀ ସଫା କଲେ। ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଆମ ଗାଁରେ ଆଉ ଗୋଟିଏ ପୋଖରୀ ଖୋଳାଇ ଦିଅନ୍ତୁ। ଗୋଟିଏ ପୋଖରୀ ଥିବାରୁ ଗାଈଗୋରୁଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ଏହା ଉପରେ ନିର୍ଭର କରୁଛନ୍ତି। ଏନେଇ ଆମେ ସରପଞ୍ଚ ଏବଂ ବିଡିଓଙ୍କୁ ଜଣାଇଥିଲୁ। କିନ୍ତୁ ସେମାନେ କିଛି ବୁଝିଲେ ନାହିଁ।”
from Odisha Reporter https://ift.tt/2QEvRHR
No comments:
Post a Comment