ନୀଳଗିରି (ବିଶ୍ୱମ୍ୱର ଦାସ): କରୋନା ସଂକ୍ରମଣକୁ ରୋକିବାକୁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଥିବା ବେଳେ ଏଥିଯୋଗୁ ଶ୍ରମିକ ଓ ଦିନ ମଜୁରିଆମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରତିଦିନ ଏନେଇ ଖବର ଆସୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଉଛନ୍ତି। ଏହା ସହିତ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ ବି ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଯାତ୍ରା ଅଭିନେତା ଦାମ ପଣ୍ଡା।
ଲକ୍ଡାଉନ୍ ଯୋଗୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ କଣ୍ଟାବଣିଆ ଅଞ୍ଚଳରେ ଫସି ରହିଥିବା ଝାଡ଼ଖଣ୍ଡର ୨୦ ଜଣ ଶ୍ରମିକଙ୍କ ମୁହଁରେ ଦାନା ଦେଉଛନ୍ତି ଦାମ। ପ୍ରାୟ ଦେଢ଼ ବର୍ଷ ହେବ ଏହି ଅଞ୍ଚଳରେ ଏହି ଶ୍ରମିକମାନେ କାମ କରି ପେଟ ପୋଷୁଛନ୍ତି। ସେମାନେ ଦାମ ପଣ୍ଡାଙ୍କ ଘରେ ବର୍ଷେ ହେଲାଣି ଭଡ଼ାରେ ବି ରହୁଛନ୍ତି। କିନ୍ତୁ ଲକ୍ଡାଉନ୍ ଯୋଗୁ ସେମାନେ ଏବେ କାମ କରିବାକୁ ଯାଇ ପାରୁ ନାହାନ୍ତି। ସେମାନଙ୍କ ପାଖରେ ପଇସା ନାହିଁ କି ଖାଇବାକୁ କିଛି ନାହିଁ। ଏଭଳି ସ୍ଥିତିରେ ଦାମ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି ଶ୍ରମିକମାନେ କିପରି ସରକାରୀ ସୁବିଧା ସୁଯୋଗ ପାଇପାରିବେ, ସେ ନେଇ ବି ଦାମ ଚେଷ୍ଟା ଚଲାଇଛନ୍ତି।
ଏନେଇ ଜଣେ ଶ୍ରମିକ କହିଛନ୍ତି, “ଲକ୍ଡାଉନ୍ ପାଇଁ କାମ ବନ୍ଦ ହୋଇଗଲା। ଏବେ ଆମ ପାଖରେ ପଇସା ନାହିଁ। ଏଭଳି ସ୍ଥିତିରେ ଆମେ ଆମ ଗାଁକୁ ମଧ୍ୟ ଯାଇ ପାରିବୁନି। କିନ୍ତୁ ଘର ମାଲିକ ଆମକୁ ସାହାଯ୍ୟ କରୁଛନ୍ତି। ସେ ଘର ଭଡ଼ା ନେଇ ନାହାନ୍ତି। ଏଥିସହ ଆମକୁ ଖାଇବାକୁ ମଧ୍ୟ ଦେଉଛନ୍ତି।”
ଦାମ ପଣ୍ଡା କହିଛନ୍ତି, “ମୁଁ ତ’ ଗରିବ ଦୁଃଖୀ ଲୋକଟିଏ। କିନ୍ତୁ ସେମାନେ ମୋ ଘରେ ରହୁଛନ୍ତି। ତେଣୁ ଯାହା ଅଛି, ସେତିକିରେ ସେମାନଙ୍କୁ ସାହାଯ୍ୟ କରୁଛି। ମୋ ଖାଦ୍ୟରୁ ମୁଁ ସେମାନଙ୍କୁ ଖାଇବାକୁ ଦେଉଛି। ତେବେ ଯୁବକ ସଂଘକୁ ଫୋନ୍ କରି ସେମାନଙ୍କ ବିଷୟରେ କହିଛି। ସଂଘର ସଦସ୍ୟମାନେ ବିଡିଓଙ୍କୁ ଏ ବିଷୟରେ କହିଛନ୍ତି। ତା’ସହିତ ଏସ୍ଏଚଜି ମାଧ୍ୟମରେ ସେମାନଙ୍କ ନାଁ ପଞ୍ଜୀକରଣ କରାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ପଞ୍ଚାୟତ ତରଫରୁ ଖାଇବାକୁ ଦିଆଯିବ ବୋଲି ମୁଁ ଶୁଣୁଛି।”
from Odisha Reporter https://ift.tt/2UMQgLT
No comments:
Post a Comment